ନୂଆଦିଲ୍ଲୀ,୪।୧୦: ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ରୁଷ ଏବଂ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶହ ଶହ ଲୋକଙ୍କ ଜୀବନ ଯାଇଛି। ଏହା ସହ ଲକ୍ଷ ଲକ୍ଷ ଲୋକଙ୍କୁ ବାସଚ୍ୟୁତ କରିଛି। ଚିନ୍ତାର ବିଷୟ ଯେ ଏହି ସଂଘର୍ଷ ଶୀଘ୍ର ଶେଷ ହେବାର କୌଣସି ସଙ୍କେତ ନାହିଁ। ଏହି ସମୟରେ, ରୁଷ ପୁଣି ଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛି। ୟୁକ୍ରେନର ସୁମି ଅଞ୍ଚଳର ଏକ ରେଳ ଷ୍ଟେସନରେ ରୁଷ ଡ୍ରୋନ ଆକ୍ରମଣରେ ଅତି କମରେ ୩୦ ଜଣ ଆହତ ହୋଇଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣକୁ ବର୍ବର ବୋଲି କହିଛନ୍ତି। ସଂଘର୍ଷ ଆରମ୍ଭ ହେବା ପରଠାରୁ ରୁଷ ବାରମ୍ବାର ୟୁକ୍ରେନୀୟ ରେଳ ଲାଇନକୁ ଟାର୍ଗେଟ କରିଆସୁଛି। ସେ କହିଛନ୍ତି, ଯାତ୍ରୀ ଏବଂ ରେଳ କର୍ମଚାରୀଙ୍କ ସମେତ ଏପର୍ଯ୍ୟନ୍ତ ଅତି କମରେ ୩୦ ଜଣ ଆହତ ହୋଇଛନ୍ତି। ସେ ଏକ ଟ୍ରେନ ବଗିରେ ନିଆଁ ଲାଗିଥିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଜେଲେନସ୍କି କହିଛନ୍ତି ରୁଷୀୟମାନେ ଜାଣିଥିଲେ ଯେ ସେମାନେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁଛନ୍ତି। ଆକ୍ରମଣଟି ରୁଷ ସୀମାରୁ ପ୍ରାୟ ୭୦ କିଲୋମିଟର ଦୂରରେ ଘଟିଥିଲା।
ଏହାର ଠିକ୍ ପୂର୍ବରୁ ୟୁକ୍ରେନ୍ର ବିଜୁଳି ନେଟଓ୍ବର୍କୁ ଟାର୍ଗେଟ କରିଥିଲା ରୁଷ। ଯେଉଁଠାରେ ସେ ଡ୍ରୋନ୍ ଓ ମିସାଇଲ ମାଡ଼ କରିଥିଲା। ୟୁକ୍ରେନର ବିଦ୍ୟୁତ କମ୍ପାନୀ କହିଛି, ଏହି ଆକ୍ରମଣ ଶୁକ୍ରବାର ରାତିରୁ ନେଇ ଶିବାର ସକାଳ ପର୍ଯ୍ୟନ୍ତ ରହିଥିଲା। ଯାହାକି ୟୁକ୍ରେନ ପ୍ରାକୃତିକ ଗ୍ୟାସ୍ ସୁବିଧା ଉପରେ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଫଳରେ ୫୦ ହଜାରରୁ ଅଧିକ ଘର ଅନ୍ଧାର ହୋଇ ରହିଛି।