ନୂଆଦିଲ୍ଲୀ,୧୮/୧୧; ୟୁକ୍ରେନ୍ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ଅନେକ ଆବାସିକ ଅଞ୍ଚଳ ଧ୍ୱଂସସ୍ତୁପ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ, ରାତିସାରା ରୁଷ ମିସାଇଲ ମାଡ଼ କରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି ।

ଟେଲିଗ୍ରାମରେ ଏକ ବିବୃତ୍ତିରେ, ଜେଲେନ୍ସକି କହିଛନ୍ତି ଯେ, ରୁଷ ୟୁକ୍ରେନର ଆବାସିକ ଅଞ୍ଚଳ, ଭିତ୍ତିଭୂମି ଏବଂ ନାଗରିକ ନିର୍ମାଣ କମ୍ପାନୀଗୁଡ଼ିକୁ ଟାର୍ଗେଟ କରି ୫୮୦ ଡ୍ରୋନ୍ ଏବଂ ୪୦ଟି ମିସାଇଲ ନିକ୍ଷେପ କରିଛି । ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ରାତିତମାମ, ୟୁକ୍ରେନ ଏକ ବଡ଼ ରୁଷିଆ ଆକ୍ରମଣର ଶିକାର ହୋଇଛି। ଏପରି ଆକ୍ରମଣ ଏକ ସାମରିକ ଆବଶ୍ୟକତା ନୁହେଁ, ବରଂ ନାଗରିକମାନଙ୍କୁ ଆତଙ୍କିତ କରିବା ଏବଂ ଆମର ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଏକ ସୁଚିନ୍ତିତ ରୁଷିଆ ରଣନୀତି।"

ସୋସିଆଲ ମିଡିଆରେ ଧ୍ୱଂସର ଚିତ୍ର- ଭଙ୍ଗା ଝରକା ଏବଂ ଭୁଶୁଡ଼ି ପଡ଼ିଥିବା ଛାତ ସହିତ କ୍ଷତିଗ୍ରସ୍ତ କୋଠାଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ୟୁକ୍ରେନର ନିପର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଛନ୍ତି । ଉତ୍ତରରେ ଚେର୍ନିହିଭ୍ ଅଞ୍ଚଳ ଏବଂ ପଶ୍ଚିମରେ ଖମେଲନିଟସ୍କି ଅଞ୍ଚଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ସ୍ଥାନରେ, ଘର ଏବଂ କାରରେ ନିଆଁ ଲାଗିଯାଇଛି, ଏବଂ କୃଷି ଗୋଦାମ ପୋଡ଼ି ଯାଇଥିବା ଜଣାପଡ଼ିଛି । ୟୁକ୍ରେନ ବାୟୁସେନା ଅନୁଯାୟୀ, ୫୫୨ ଡ୍ରୋନ୍ ଏବଂ ୩୧ କ୍ଷେପଣାସ୍ତ୍ର ଖସାଇ ଦିଆଯାଇଛି । ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସହଯୋଗୀମାନଙ୍କୁ ସାମରିକ ସହାୟତା ପ୍ରଦାନ କରିବାକୁ ଏବଂ ମସ୍କୋ ଉପରେ କଟକଣା ଲଗାଇବାକୁ ଅପିଲ କରିଛନ୍ତି ।

​​​​​​​କ’ଣ କହିଲେ ବିଶ୍ୱନେତା ?
ପୋଲାଣ୍ଡ ସୀମା ରକ୍ଷକଙ୍କ ଅନୁଯାୟୀ, ଦୁଇଟି ରୁଷୀୟ ଲଢ଼ୁଆ ବିମାନ ବାଲ୍ଟିକ୍ ସାଗରରେ ଥିବା ଏକ ପୋଲାଣ୍ଡ ତୈଳ ପ୍ଲାଟଫର୍ମର ସୁରକ୍ଷା କ୍ଷେତ୍ର ଉଲ୍ଲଂଘନ କରିଥିଲେ । ଏହି ସମୟରେ, ୩ଟି ରୁଷୀୟ ଲଢ଼ୁଆ ବିମାନ ନାଟୋ ନିୟମ ଉଲ୍ଲଂଘନ କରି ଏଷ୍ଟୋନିଆ ଏୟାରସ୍ପେସ୍‌ରେ ପ୍ରବେଶ କରିଥିଲେ । MiG-31 ବିମାନ ୧୨ ମିନିଟ୍ ପାଇଁ ସେଠାରେ ରହିଥିଲା । ଏଷ୍ଟୋନିଆ ପ୍ରଧାନମନ୍ତ୍ରୀ କ୍ରିଷ୍ଟେନ୍ ମାଇକେଲ୍ କହିଛନ୍ତି ଯେ, ତାଙ୍କ ଦେଶ ରୁଷୀୟ ଲଢ଼ୁଆ ବିମାନ ଦ୍ୱାରା ଏହାର ଏୟାରସ୍ପେସ୍ ଉଲ୍ଲଂଘନ ଉପରେ ନାଟୋ ଧାରା ୪ ପରାମର୍ଶ ପାଇଁ ଅନୁରୋଧ କରିବ । ବୈଦେଶିକ ମନ୍ତ୍ରୀ ମାର୍ଗସ୍ ସାଖ୍ନା କହିଛନ୍ତି, "ଋଷ ଏହି ବର୍ଷ ୪ ଥର ଏଷ୍ଟୋନିଆ ଏୟୋସ୍ପେସ ଉଲ୍ଲଂଘନ କରିସାରିଛି, ଯାହା ଗ୍ରହଣୀୟ ନୁହେଁ,।" 

ଉଲ୍ଲଂଘନ ବିଷୟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ମୁଁ ଏହାକୁ ପସନ୍ଦ କରେ ନାହିଁ । ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିପାରେ।" ବ୍ରିଟିଶ ପ୍ରତିରକ୍ଷା ସଚିବ ଜନ୍ ହିଲି ଏହି ଉଲ୍ଲଂଘନକୁ "ବେପରୁଆ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପ" ବୋଲି କହିଛନ୍ତି । ସେହିପରି ନାଟୋର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହା "ରୁଷର ବେପରୁଆ ଆଚରଣ ଏବଂ ନାଟୋର ପ୍ରତିକ୍ରିୟା ଦେବାରେ ଅକ୍ଷମତାର ଆଉ ଏକ ଉଦାହରଣ"।