ନୂଆଦିଲ୍ଲୀ: ରୁଷିଆର ଦୁଇଟି ବଡ଼ ତୈଳ କମ୍ପାନୀ, ରୋସନେଫ୍ଟ ଏବଂ ଲୁକଏଲ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବାକୁ ନେଇ ରୁଷ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ରୁଷିଆର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି ଯେ, ଏହି ପଦକ୍ଷେପ "ଓଲଟା ପ୍ରଭାବ" ପକାଇବ ଏବଂ ରୁଷ ଅପେକ୍ଷା ବିଶ୍ୱ ଅର୍ଥନୀତିକୁ ଅଧିକ କ୍ଷତି ପହଞ୍ଚାଇବ।
ଜାଖାରୋଭା କହିଛନ୍ତି ଯେ, ଆମେରିକାର ଏହି ପଦକ୍ଷେପ ରୁଷକୁ ତା'ର ଜାତୀୟ ସ୍ୱାର୍ଥ ସହିତ ସାଲିସ କରିବାକୁ ବାଧ୍ୟ କରିପାରିବ ନାହିଁ। ରୁଷ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଏହି ଆଲୋଚନା ଗଣମାଧ୍ୟମ ବୟାନବାଜି ବଦଳରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ହେବା ଉଚିତ। ଏହି ପଦକ୍ଷେପର ସମ୍ପୂର୍ଣ୍ଣ ଓଲଟା ପ୍ରଭାବ ପଡ଼ିବ ଏବଂ ୟୁକ୍ରେନ୍ ବିବାଦର ସମାଧାନ ପାଇଁ ଯେକୌଣସି ଅର୍ଥପୂର୍ଣ୍ଣ ଆଲୋଚନାର ସମ୍ଭାବନାକୁ ଆହୁରି ଜଟିଳ କରିବ। ଜାଖାରୋଭା ଏହା ମଧ୍ୟ କହିଛନ୍ତି ଯେ, ରୁଷ ପାଶ୍ଚାତ୍ୟ ପ୍ରତିବନ୍ଧକ ବିରୋଧରେ ଦୃଢ଼ ପ୍ରତିରୋଧ କ୍ଷମତା ବିକଶିତ କରିଛି ଏବଂ ଦେଶ ଆତ୍ମବିଶ୍ୱାସର ସହିତ ଏହାର ଅର୍ଥନୈତିକ ଏବଂ ଶକ୍ତି ସମ୍ଭାବନାକୁ ଆଗକୁ ବଢ଼ାଇବ।
ଆମେରିକାର ଏହି ନୂଆ ପ୍ରତିବନ୍ଧକ ଉପରେ ଅସନ୍ତୋଷ ପ୍ରକାଶ କରିଛି ଚୀନ । ଆମେରିକା ଏହି ଏକପାଖିଆ ପଦକ୍ଷେପର କୌଣସି ଅନ୍ତର୍ଜାତୀୟ ଆଇନଗତ ଆଧାର ନାହିଁ ବୋଲି କହିଛି ବେଜିଂ । ଚାପ କିମ୍ବା ଜବରଦସ୍ତି ନକରି ଆଲୋଚନାର ପଥ ଆପଣାଇବାକୁ ଆମେରିକାକୁ ପରାମର୍ଶ ଦେଇଛି ଚୀନ୍ । ସେପଟେ ରୁଷକୁ ସହଯୋଗ କରୁଥିବା ଅଭିଯୋଗରେ କତେକ ଚୀନ କମ୍ପାନୀ ଉପରେ ୟରୋପୀୟ ସଂଘ ଲଗାଇଥିବା ପ୍ରତିବନ୍ଧକକୁ ମଧ୍ୟ ବେଜିଂ ବିରୋଧ କରିଛି ।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ କହିଛନ୍ତି, ‘ଚୀନ୍ ନା ୟୁକ୍ରେନ ସଙ୍କଟର ସୃଷ୍ଟିକର୍ତ୍ତା ନା ଏହାର ସମର୍ଥକ। ଆମେ ଚୀନ୍ କମ୍ପାନୀଗୁଡ଼ିକର ବୈଧ ସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା ସମସ୍ତ ପଦକ୍ଷେପକୁ ବିରୋଧ କରୁଛୁ।’
ଅନ୍ୟପଟେ ବିଶେଷଜ୍ଞମାନେ କହିଛନ୍ତି, ରୁଷ ଏବଂ ଚୀନ୍ର ଏହି ମିଳିତ ପ୍ରତିକ୍ରିୟା ଆମେରିକାର ବର୍ଦ୍ଧିତ କଟକଣା ବିରୋଧରେ ଏକ ଦୃଢ଼ ମୋର୍ଚ୍ଚା ଗଠନ କରିପାରେ। ଉଭୟ ଦେଶ ପୂର୍ବରୁ ଡଲାର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବିକଳ୍ପ ବାଣିଜ୍ୟ ବ୍ୟବସ୍ଥା ବିକଶିତ କରିବା ପାଇଁ କାମ କରୁଛନ୍ତି। ଯଦି ରୁଷ ଏବଂ ଚୀନ୍ ଶକ୍ତି ଓ ବାଣିଜ୍ୟ ସହଯୋଗକୁ ଆହୁରି ମଜଭୁତ କରନ୍ତି, ତେବେ ଏହା ପାଶ୍ଚାତ୍ୟ ଅର୍ଥନୈତିକ ନୀତିକୁ ପ୍ରଭାବିତ କରିପାରେ ଏବଂ ବିଶ୍ୱ ଶକ୍ତି ସନ୍ତୁଳନକୁ ପରିବର୍ତ୍ତନ କରିପାରେ।