ନୂଆଦିଲ୍ଲୀ: ୟୁକ୍ରେନ ଋଷର ସାମରିକ ଘାଟିରେ ଭୟଙ୍କର ଆକ୍ରମଣ କରିବା ପରେ ବଡ ଧରଣର ଯୁଦ୍ଧ ନେଇ ପ୍ରସ୍ତୁତ ହେଉଛନ୍ତି ଭ୍ଲାଦିମିର ପୁଟିନ। ଏନେଇ ଆମେରିକୀୟ ସେନେଟରମାନେ ଦାବି କରିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବୃହତ୍ତର ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହାସହ ସେନେଟରମାନେ ଭାରତ ଏବଂ ଚୀନଙ୍କୁ ରୁଷିଆ ସହିତ ବାଣିଜ୍ୟ ସମ୍ପର୍କ ଜାରି ରଖିଥିବା ନେଇ ମଧ୍ୟ ସାବଧାନ କରାଇଛନ୍ତି। ସେମାନଙ୍କ ମତରେ, ଏହି ବାଣିଜ୍ୟ ସମ୍ପର୍କ ରୁଷିଆର ଅର୍ଥନୀତିକୁ ଶକ୍ତିଶାଳୀ କରୁଛି, ଯାହା ପୁଟିନଙ୍କୁ ତାଙ୍କ ସାମରିକ ଯୋଜନାକୁ ଆଗେଇ ନେବାରେ ସହାୟକ ହେଉଛି।

ସୂଚନା ମୁତାବକ, ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମ ଏବଂ ରିଚାର୍ଡ ବ୍ଲୁମେନ୍ଥାଲ ଚେତାବନୀ ଦେଇଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନାରେ ବିଳମ୍ବ କରୁଛନ୍ତି ଏବଂ ୟୁକ୍ରେନ ବିରୁଦ୍ଧରେ ଏକ ନୂଆ ସାମରିକ ଆକ୍ରମଣର ପ୍ରସ୍ତୁତି କରୁଛନ୍ତି। ପ୍ୟାରିସରେ ଦେଇଥିବା ଏକ ସାକ୍ଷାତକାରରେ ସେମାନେ କହିଛନ୍ତି ଯେ ଆଗାମୀ ଦୁଇ ସପ୍ତାହ ଯୁଦ୍ଧର ଭବିଷ୍ୟତ ନିର୍ଦ୍ଧାରଣ କରିପାରେ। ସେମାନେ କିଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିବା ପରେ ଏବଂ ରୁଷ ବୋମା ଆକ୍ରମଣରେ ଧ୍ୱଂସ ହୋଇଥିବା ଅଞ୍ଚଳ ପରିଦର୍ଶନ କରିବା ପରେ ଏହି ଚେତାବନୀ ଦେଇଛନ୍ତି। 

ସେନେଟରମାନେ କହିଛନ୍ତି ଯେ ପୁଟିନ ଶାନ୍ତି ଆଲୋଚନାକୁ ଇଚ୍ଛାକୃତ ଭାବେ ବିଳମ୍ବ କରୁଛନ୍ତି। ଆସନ୍ତା ଗ୍ରୀଷ୍ମ କିମ୍ବା ଶରତ ଋତୁରେ ନୂଆ ଆକ୍ରମଣର ଯୋଜନା କରୁଛନ୍ତି। ସେମାନେ ଆମେରିକୀୟ କଂଗ୍ରେସ ଏବଂ ୟୁରୋପକୁ ରୁଷିଆ ବିରୁଦ୍ଧରେ କଠୋର ଅର୍ଥନୈତିକ ନିଷେଧାଜ୍ଞା ଲାଗୁ କରିବାକୁ ତାଗିଦ କରିଛନ୍ତି। ବ୍ଲୁମେନ୍ଥାଲ ଅଭିଯୋଗ କରିଛନ୍ତି ଯେ ପୁଟିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ "ଠକୁଛନ୍ତି" ଏବଂ ଅଧିକ ଅଞ୍ଚଳ ଦଖଲ କରିବା ପାଇଁ ସମୟ ଅପେକ୍ଷା କରୁଛନ୍ତି।

ଏହି ଅଭିଯୋଗ ମୁଖ୍ୟତଃ ରୁଷିଆ-ୟୁକ୍ରେନ ସଂଘର୍ଷ ଏବଂ ପଶ୍ଚିମୀ ଦେଶମାନଙ୍କ ଦ୍ୱାରା ରୁଷିଆ ଉପରେ ଲଗାଯାଇଥିବା ଅର୍ଥନୈତିକ ନିଷେଧାଜ୍ଞାର ପୃଷ୍ଠଭୂମି ପରେ ଆସିଛି। ଆମେରିକୀୟ ସେନେଟରମାନେ କହିଛନ୍ତି ଯେ ଭାରତ ଓ ଚୀନ ରୁଷିଆଠାରୁ ତୈଳ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣୁଛନ୍ତି, ଯାହା ରୁଷିଆର ଯୁଦ୍ଧ ପ୍ରୟାସକୁ ଅର୍ଥନୈତିକ ସମର୍ଥନ ଯୋଗାଉଛି। 

ତେବେ, ଭାରତ ଏବଂ ଚୀନ ଏହି ଅଭିଯୋଗର ସିଧାସିଧା ଉତ୍ତର ଦେଇନାହାନ୍ତି, କିନ୍ତୁ ଉଭୟ ଦେଶ ସେମାନଙ୍କ ଜାତୀୟ ସ୍ୱାର୍ଥ ଅନୁଯାୟୀ ବାଣିଜ୍ୟ ନିଷ୍ପତ୍ତି ନେଉଥିବା କହିଛନ୍ତି। ଏହି ପରିସ୍ଥିତି ଆନ୍ତର୍ଜାତୀୟ କୂଟନୀତିରେ ନୂଆ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। 

ଆପଣଙ୍କୁ ଜଣାଇରଖୁ ଯେ, ୟୁକ୍ରେନ ଋଷରେ ଏପର୍ଯ୍ୟନ୍ତ ଯାଏଁ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ୟୁକ୍ରେନ ଋଷର ସାଇବେରିଆରେ ଥିବା ଏକ ଏୟାରବେସ୍ ଉପରେ ଏହି ଡ୍ରୋନ୍ ଆକ୍ରମଣ କରିଛି। ଯେଉଁଥିରେ ୪୦ରୁ ଅଧିକ ରୁଷୀୟ ବିମାନକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି। ଯାହାଫଳରେ ଋଷିଆକୁ ବଡ କ୍ଷତି ପହଞ୍ଚିଛି। ଏହାର ଜବାବରେ ଋଷିଆ ବହୁ ଜଲଦି ଆକ୍ରମଣ କରିବାକୁ ଯାଉଛି ବୋଲି ସୂଚନା ମିଳିଛି।