ମସ୍କୋ,୧୨।୨: ରୁଷରେ ଆଇନ ଉଲଂଘନ କରିବା ଅଭିଯୋଗରେ ମେଟା ମାଲିକାନା ଥିବା ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍‌କୁ ସମ୍ପୂର୍ଣ୍ଣ ବ୍ଲକ କରି ଦିଆଯାଇଛି। ଏନେଇ ଗୁରୁବାର କ୍ରେମାଲିନ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ସ୍ଥାନୀୟ ଆଇନ ପାଳନ ନକରିବା କାରଣରୁ ନିଆଯାଇଛି। କ୍ରେମାଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ ଏହି କଟକଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାସ୍ତବରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି। ହ୍ବାଟସଆପ୍ ରୁଷର ଆଇନ ମାନଦଣ୍ଡ ପାଳନ କରିବାରେ ଅନିଛା ପ୍ରକାଶ କରିଥିଲା,ଏହାପରେ ସରକାର ଏଭଳି ପଦକ୍ଷେ ଗ୍ରହଣ କରିଛନ୍ତି।

ଏହା ପୂର୍ବରୁ ହ୍ବାଟସଆପ୍ କହିଥିଲା, ରୁଷ ଅଧିକାରୀ ଆପ୍‌ର କ୍ଷମତାକୁ ସୀମିତ କରୁଛନ୍ତି। କମ୍ପାନୀର ଏହି ବୟାନ ଟେଲିଗ୍ରାମ୍‌ର ସଂସ୍ଥାପକ ପାଭେଲ ଦୁରାଭେଙ୍କ ଦ୍ବାରା ମସ୍କୋ ଉପରେ ନିଜର ପ୍ଲାଟଫର୍ମ ଉପରେ କଟକଣା ଅଭିଯୋଗର ତୁରନ୍ତ ପରେ ଆସିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜାରି ବୟାନରେ ହ୍ବାଟସଆପ୍ କହିଛି, ଆଜି ରୁଷ ସରକାର ଲୋକଙ୍କୁ ସରକାରୀ ଆପ୍ ବ୍ୟବହାର କରିବା ପାଇଁ ହ୍ବାଟସଆପ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ଲକ କରିବାକୁ ଚେଷ୍ଟା କରିଛନ୍ତି। ୧୦ କୋଟିରୁ ଅଧିକ ୟୁଜରଙ୍କ ବ୍ୟକ୍ତିଗତ ଓ ସୁରକ୍ଷିତ ସଞ୍ଚାରଠାରୁ ଅଲଗା କରିବାର ଚେଷ୍ଟା ଲୋକଙ୍କୁ ପଛକୁ ଟାଣିନେବ। ଏହାଦ୍ବାରା ରୁଷର ଲୋକଙ୍କର ସୁରକ୍ଷାରେ ଅଭାବ ଆସିବ। ଆମକୁ ୟୁଜରଙ୍କୁ ଯୋଡି ରଖିବା ପାଇଁ ଯଥାସମ୍ଭବ ସବୁ ପ୍ରକାର ଚେଷ୍ଟା ଜାରି ରଖିବାକୁ ହେବ। ରୁଷ ସମାଚାର ଏଜେନ୍ସି ‘ତାସ୍’କୁ ପେସକୋଭ କହିଛନ୍ତି ଯଦି ମୂଳ କମ୍ପାନୀ ମେଟା ସ୍ଥାନୀୟ ନିୟମର ପାଳନ କରେ ତେବେ ପ୍ଲାଟଫର୍ମକୁ ପୁଣିଥରେ ଖୋଲି ଦିଆଯିବ।