ନୂଆଦିଲ୍ଲୀ - ଅନେକ ଦିନ ହେବ ରୁଷ୍‌-ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଆଉ ଏହାରିି ଭିତରେ ରୁଷିଆରେ ବହୁ ପରିମାଣରେ ଶ୍ରମିକଙ୍କ ଅଭାବ ଦେଖା ଦେଇଛି। ଏଠାରେ ଅନେକ କ୍ଷେତ୍ରରେ ଶ୍ରମିକ ଆବଶ୍ୟକ ହେଉଛି। ଏପର୍ଯ୍ୟନ୍ତ ମଧ୍ୟ ଏସୀୟ ଦେଶର ନାଗରିକମାନେ ଏଠାକୁ କାମ କରିବାକୁ ଆସୁ ଥିଲେ। କିନ୍ତୁ ବର୍ତ୍ତମାନ ରୁଷ କମ୍ପାନୀଗୁଡ଼ିକ ଭାରତ ଆଡ଼କୁ ମୁହାଁଇଛନ୍ତି। ଏଠାରେ ଶ୍ରମିକଙ୍କୁ ନିଯୁକ୍ତି ଦେବାରେ ପ୍ରାଥମିକତା ଦେଉଛନ୍ତି। ଏହି ଦଶନ୍ଧିର ଶେଷ ସୁଦ୍ଧା ୧.୧୦ କୋଟି କର୍ମଚାରୀ ଆବଶ୍ୟକ। ରୁଷ୍‌ର ବୟସ୍କ ଜନସଂଖ୍ୟା ହେତୁ, ଏହି ସଂଖ୍ୟା ପୂରଣ କରିବା ପାଇଁ ବିଦେଶରୁ ନିଯୁକ୍ତି କରିବାକୁ ପଡିବ।

ରାଷ୍ଟ୍ରପତି ପୁଟିନ ଯେବେ ଡିସେମ୍ବରରେ ଭାରତ ଗସ୍ତରେ ଆସିଥିଲେ , ସେତେବେଳେ ଭାରତୀୟ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ଲେବର ମାଇଗ୍ରେସନ ଉପରେ ଆଲୋଚନା ହୋଇଥିଲା। ସେମାନଙ୍କ ପାଇଁ ରୁଷ ଯିବାକୁ ସହଜ କରିବା ଉପରେ ମଧ୍ୟ ଆଲୋଚନା ହୋଇ ଥିଲା। ଏହାକୁ ନେଇ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ପୂର୍ବରୁ ମଧ୍ୟ, ରୁଷରେ ଭାରତୀୟମାନଙ୍କୁ ମିଳୁଥିବା ୱାର୍କ ପରମିଟ୍‌ର ସଂଖ୍ୟା ବୃଦ୍ଧି ହୋଇ ସାରି ଥିଲା।

ଗତ ବର୍ଷ, ୫୬ ହଜାର ଭାରତୀୟଙ୍କୁ ୱାର୍କ ପରମିଟ ମିଳି ଥିଲା, ଯାହାକି ୨୦୨୧ ମସିହାରେ ଏହି ସଂଖ୍ୟା ୫ହଜାର ଥିଲା । ଏହି ସମୟରେ ରୁଷ୍‌ରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଚୀନରୁ ସବୁଠୁ ଅଧିକ କର୍ମଚାରୀ ଆସିଛନ୍ତି।

ଭାରତୀୟମାନଙ୍କୁ କାହିଁକି ଚାକିରି ଦେବାକୁ ଚାହୁଁଛି ରୁଷ୍ ?

ଏପର୍ଯ୍ୟନ୍ତ, ଭାରତ ସମେତ ଦକ୍ଷିଣ ଏସୀୟ ଦେଶଗୁଡ଼ିକରୁ ଆସୁଥିବା ଶ୍ରମିକମାନେ ବଡ଼ ବଡ଼ ସହର ଗୁଡ଼ିକରେ ବରଫ ହଟେଇବା କାର୍ଯ୍ୟ କରୁଥିଲେ। ହେଲେ ବର୍ତ୍ତମାନ ସେମାନେ କନଷ୍ଟ୍ରକସନ , ରେଷ୍ଟୁରାଣ୍ଟ ଭଳି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନେ କାମ କରିବା ପାଇଁ ଦୂରଦୂରାନ୍ତ ସହରଗୁଡ଼ିକୁ ମଧ୍ୟ ଯାଉଛନ୍ତି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ, ମସ୍କୋ ସ୍ଥିତ ନିଯୁକ୍ତି ସଂସ୍ଥା ଇଣ୍ଟ୍ରୁଡର ଅପରେସନ୍ ନିର୍ଦ୍ଦେଶକ ଏଲେନା ଭେଲାୟେଭା କହିଛନ୍ତି, ଆମେ ରୁଷୀୟ ଜବ୍ ମାର୍କେଟ୍‌ରେ ଏକ ବଡ଼ ପରିବର୍ତ୍ତନ ଦେଖୁଛୁ। ଏହି ନିଯୁକ୍ତି ସଂସ୍ଥାର ସ୍ଥାପନା ଦୁଇ ବର୍ଷ ପୂର୍ବେ ହୋଇଥିଲା ଏବଂ ଏବେ ସେ ଭାରତରୁ ହାୟରିଂ କରୁଛି।

ଭେଲାୟେଭା କହିଛନ୍ତି ଯେ , ରୁଷ କମ୍ପାନୀଗୁଡ଼ିକ ଏବେ ସେହି ବିଦେଶୀ କର୍ମଚାରୀ ନିଯୁକ୍ତି ଦେବାକୁ ଅଧିକ ଆଗ୍ରହୀ ହେଉଛନ୍ତି , ଯିଏ ଭିସା ଓ କଣ୍ଟ୍ରାକ୍ଟର ସର୍ତ୍ତରେ ରହିଥାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟ ଏସୀୟ ଦେଶଗୁଡ଼ିକର ଶ୍ରମିକମାନେ ଭିସା-ଫ୍ରି ନିଯୁକ୍ତିର ଫାଇଦା ଉଠାନ୍ତି, ଯାହାକି ସେମାନେ ଏଠାରେ ସହଜରେ ଚାକିରି ପରିବର୍ତ୍ତନ କରି ପାରନ୍ତି । ହେଲେ ଭାରତୀୟମାନଙ୍କୁ ନିଯୁକ୍ତି ଦେବାର ସୁବିଧା ହେଉଛି ଯେ, ସେମାନେ ଭିସାର ସର୍ତ୍ତରେ ବାନ୍ଧି ହୋଇ ଥାନ୍ତି ଏବଂ କେବଳ ସେହି କମ୍ପାନୀରେ କାମ କରନ୍ତି , ଯିଏ ସେମାନଙ୍କୁ ସ୍ପନସର କରିଛି।