ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିଶ୍ୱରେ ପରମାଣୁ ଯୁଦ୍ଧର ବିପଦ ବୃଦ୍ଧି କରିଛି। ରୁଷ୍ ସୋମବାର ପରମାଣୁ କ୍ଷମତାସମ୍ପନ୍ନ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରକୁ ନିଷିଦ୍ଧ କରୁଥିବା ନୀତିଠାରୁ ଓହରି ଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ସାମୁଦ୍ରିକ ସୀମା ନିକଟରେ ପରମାଣୁ ବୁଡ଼ାଜାହାଜ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେବା ପରେ ରୁଷ ଏହି ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କ ଯୁଦ୍ଧ ଧମକ ପରେ ଟ୍ରମ୍ପ ପରମାଣୁ ବୁଡ଼ାଜାହାଜ ମୁତୟନ କରିଛନ୍ତି । ରୁଷ ଏବଂ ଆମେରିକା ପାଖରେ ବିଶ୍ୱରେ ସର୍ବାଧିକ ପରମାଣୁ ବୋମା ଅଛି ଏବଂ ସେମାନଙ୍କର ଏହି ପଦକ୍ଷେପ ପରମାଣୁ ଯୁଦ୍ଧର ବିପଦକୁ ବୃଦ୍ଧି କରୁଛି ।
ରୁଷ ଏବଂ ଆମେରିକା ମଧ୍ୟରେ ଏହି ଉତ୍ତେଜନା ବର୍ଷ ବର୍ଷ ଧରି ବିଶ୍ୱରେ ଚାଲିଥିବା ନିରସ୍ତ୍ରୀକରଣ ପ୍ରୟାସକୁ ଏକ ବଡ଼ ଧକ୍କା ଦେଇଛି। ଆମେରିକା, ରୁଷ ଏବଂ ଚୀନ୍ ଭଳି ପରମାଣୁ ଅସ୍ତ୍ର ସମୃଦ୍ଧ ଦେଶ କେବଳ ପରମାଣୁ ବୋମା ତିଆରି କରୁନାହାନ୍ତି, ବରଂ ସେଗୁଡ଼ିକୁ ଅପଗ୍ରେଡ୍ ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଅନେକ ଦେଶ ମଧ୍ୟ ଏବେ ପରମାଣୁ ବୋମା ତିଆରି କରିବାକୁ ଆଗ୍ରହ ଦେଖାଉଛନ୍ତି । ଏହି ତାଲିକାରେ ଜାପାନ, ପୋଲାଣ୍ଡ, ଦକ୍ଷିଣ କୋରିଆ, ତୁର୍କୀ, ସାଉଦି ଆରବ ଭଳି ଦେଶ ଅନ୍ତର୍ଭୁକ୍ତ ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଟ୍ରମ୍ପଙ୍କ ବିଭାଜନକାରୀ ନୀତି ଏହି ପରମାଣୁ ରେସ୍ ପାଇଁ ଦାୟୀ । ବିଶ୍ୱର ଅନେକ ଦେଶ ଏବେ ପରମାଣୁ ବୋମା ତିଆରି କରିବା ବିଷୟରେ ଚିନ୍ତା କରୁଛନ୍ତି। ଟ୍ରମ୍ପଙ୍କ 'ସର୍ବାଧିକ ଚାପ' ନୀତି ଯୋଗୁଁ, ଇରାନ ଏବେ ପରମାଣୁ ବୋମା ତିଆରି କରିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ରୁଷ ଏବଂ ଆମେରିକାର ବୟାନବାଜି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ ପକାଇଛି ।
ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ମେଦଭେଦେବ ନାଟୋ ଦେଶଗୁଡ଼ିକୁ ଅନେକ ଥର ପରମାଣୁ ବୋମା ଧମକ ଦେଇଛନ୍ତି। ଗତ ମାସରେ ମେଦଭେଦେବ ଏକ୍ସରେ ଟ୍ରମ୍ପଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ଏହାର ଜବାବରେ, ଟ୍ରମ୍ପ ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିଲେ । ଆଉ ଏବେ ରୁଷ INF ଚୁକ୍ତିରୁ ଓହରି ଯାଇଥିବା ଘୋଷଣା କରିଛି ।
ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ INF ଚୁକ୍ତିରୁ ଓହରି ଯାଇଥିଲେ । ଏହି ଚୁକ୍ତି ୧୯୮୭ରେ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଉଭୟ ଦେଶ ସହମତ ହୋଇଥିଲେ ଯେ, ୫୦୦ ରୁ ୫୫୦୦ କିଲୋମିଟର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ରଗୁଡ଼ିକୁ ନିଷିଦ୍ଧ କରାଯିବ ଏବଂ ଧୀରେ ଧୀରେ ନଷ୍ଟ କରାଯିବ। ରୁଷ ମଧ୍ୟ ୨୦୨୩ରେ ନ୍ୟୁ START ଚୁକ୍ତିରୁ ଓହରି ଯାଇଥିଲା ।