ୱାଶିଂଟନ୍,୨୮ \୭ : ଆମେରିକା ସହ ଯୁଦ୍ଧରେ ଇରାନ୍ କୁ ମିଳୁଛି ରୁଷର ସହାୟତା । ଏପରି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହି ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ବୟାନ ।  ସେ କହିଛନ୍ତି, ଆମେ ଏହାର ସତ୍ୟତା ଯାଞ୍ଚ କରିବୁ । ଏ ସମ୍ପର୍କରେ ମୁଁ ପୁଟିନଙ୍କୁ ପଚାରିବି । ଯଦି ରୁଷ ସହାୟତା କରିବି ଥାଏ ତେବେ କୌଣସି ପ୍ରଭାବ ପଡ଼ି ନାହିଁ । କାରଣ ଆମେ ଇରାନକୁ ଦୃଢ଼ ଭାବରେ ପରାସ୍ତ କରିଛୁ।

ସୂଚନା ଅନୁସାରେ ,ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଥିଲେ ଯେ ରୁଷ ସାଟେଲାଇଟ୍ ନିରୀକ୍ଷଣ ସୂଚନା ଯୋଗାଇ ମଧ୍ୟପ୍ରାଚ୍ୟରେ ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରିବାରେ ସାହାଯ୍ୟ କରୁଛି । ଟ୍ରମ୍ପ ଏହାର ଜବାବରେ କହିଥିଲେ ଯେ, ରୁଷ ଭେନେଜୁଏଲାକୁ ପ୍ରଚୁର ଉପକରଣ ଯୋଗାଇଛି । ଭେନେଜୁଏଲାର ସମସ୍ତ ଉପକରଣ ରୁଷରୁ ଆସିଥିଲା । ଏହାର ଫଳାଫଳ କ'ଣ ହେଲା ?

ରୁଷ ସାହାଯ୍ୟର ପ୍ରଭାବ ପଡ଼ିବନି 

ଟ୍ରମ୍ପ କହିଛନ୍ତି, "ରୁଷ ହୁଏତ ଇରାନକୁ ସାହାଯ୍ୟ କରୁଥିବ, କିନ୍ତୁ ଯଦି କରୁଥାନ୍ତି, ତେବେ ଏହାର କୌଣସି ପ୍ରଭାବ ପଡ଼ିନାହିଁ । କାରଣ ଇରାନର କୌଣସି ସେନା ନାହିଁ । ନା ବାୟୁସେନା , ନା ନୌସେନା - ସେମାନଙ୍କର କିଛି ନାହିଁ । ମତେ ଲାଗୁନି କି ସେମାନେ ଏପରି କରୁଥିବେ । ଅତି କମରେ ବଡ଼ ସ୍ତରରେ ସହଯୋଗ ତ ବିଲକୁଲ୍ କରିବେନି । ଯଦି କରୁଥାନ୍ତି , ତେବେ ଏହାର କୌଣସି ପ୍ରଭାବ ପଡ଼ିନାହିଁ ।

ଟ୍ରମ୍ପଙ୍କୁ ଭେଟିବେ ନେତାନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଏହି ବୈଠକ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା ଲଗାତାର ଦ୍ୱିତୀୟ ଥର ପାଇଁ ଇରାନ ଉପରେ ଆକ୍ରମଣ ବନ୍ଦ କରିଦେଇଛି। ସେପଟେ ତେହେରାନ ମଧ୍ୟ କହିଛି ଯେ ,ସେମାନେ ବି ପାଲଟା ଆକ୍ରମଣ ବନ୍ଦ କରିଛନ୍ତି ।

ପରମାଣୁ ଯୁଦ୍ଧ ରୋକିବାକୁ ଚାପ

ନେତାନ୍ୟାହୁ କହିଛନ୍ତି , ସେ ଟ୍ରମ୍ପଙ୍କ ପ୍ରୟାସକୁ ପୂର୍ଣ୍ଣ ସମର୍ଥନ କରନ୍ତି । ଯାହାର ଉଦ୍ଦେଶ୍ୟ ଇରାନକୁ ଦୁର୍ବଳ କରିବା ଏବଂ ଏହାର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଚାପ ପକେଇବା । ସେ କହିଛନ୍ତି ଯେ ,ଯଦି କୌଣସି ସଂଘର୍ଷ ବିନା ଏହି ଲକ୍ଷ୍ୟ ହାସଲ କରିହେବ, ତେବେ ଏଥିରେ କ’ଣ କ୍ଷତି ଅଛି ? । ଇସ୍ରାଏଲର ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଛନ୍ତି ଯେ, ସେ ଟ୍ରମ୍ପଙ୍କୁ କୌଣସି ନୂଆ ସୂଚନା ଦେବେ ନାହିଁ, ବରଂ ତାଙ୍କ ଭଲ ବନ୍ଧୁ ଟ୍ରମ୍ପଙ୍କ ଯୋଜନା ବିଷୟରେ ଶୁଣିବେ ।

ସେ ଆହୁରି କହିଛନ୍ତି ଯେ ଅନେକ ଦୃଷ୍ଟିରୁ, ଚୂଡ଼ାନ୍ତ ନିଷ୍ପତ୍ତି ତାଙ୍କର ହେବ । ତଥାପି, ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଭବିଷ୍ୟତରେ ସିଧାସଳଖ କିମ୍ବା ତାର ସହଯୋଗୀ ଦେଶମାନଙ୍କ ମାଧ୍ୟମରେ ଇସ୍ରାଏଲ ଉପରେ ପୁଣି ଆକ୍ରମଣ କରେ, ତେବେ ଏହା ବହୁତ ବଡ଼ ଭୁଲ ହେବ । ଏହି ଘଟଣାକ୍ରମରେ,ଦୁଇ ଦେଶ ମଧ୍ୟରେ ହୋଇଥିବା ଅନ୍ତରୀଣ ଯୁଦ୍ଧ ବିରତି ଚୁକ୍ତିନାମା ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ ପ୍ରୟାସ ଚାଲିଛି । ତଥାପି, ସାମ୍ପ୍ରତିକ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଏହି ଚୁକ୍ତିନାମାକୁ ଯଥେଷ୍ଟ ଦୁର୍ବଳ କରିଦେଇଛି ।

ଆଲୋଚନା ପାଇଁ ସମୟ ଦେବାକୁ ଚାହୁଁଛନ୍ତି ଟ୍ରମ୍ପ

ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଆଲୋଚନାକୁ ଆହୁରି କିଛି ସମୟ ଦେବାକୁ ଚାହୁଁଛନ୍ତି। ଗତ କିଛି ସପ୍ତାହ ଧରି ଓମାନ, ଇରାନ ଏବଂ ଆମର ଅନ୍ୟ ଆଲୋଚନାକାରୀମାନେ ବଡ଼ ସ୍ତର ଠାରୁ ବୈଷୟିକ ସ୍ତର ପର୍ଯ୍ୟନ୍ତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ଇରାନ ଆକ୍ରମଣରୁ ରକ୍ଷା ପାଇଁ ବ୍ୟବହୃତ ଆମେରିକାର ଇଣ୍ଟରସେପ୍ଟର ମିସାଇଲର ଭଣ୍ଡାର ହ୍ରାସ ପାଉଛି ବୋଲି ୱାଲ୍ଟଜ୍ ଚିନ୍ତାକୁ ଖାରଜ କରିଛନ୍ତି । ତଥାପି, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଆମେରିକା ଏବଂ ଇରାନ ଉଭୟଙ୍କ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି ସାମରିକ କାର୍ଯ୍ୟକଳାପ ବଜାୟ ରଖିବା କଷ୍ଟକର ହେବ ।

ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ

ନେତାନାହୁ ଏବଂ ଟ୍ରମ୍ପ ଶେଷ ଥର ପାଇଁ ଫେବୃଆରୀରେ ସାକ୍ଷାତ କରିଥିଲେ । ଏହାର କିଛି ସପ୍ତାହ ପରେ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ସମେତ ଅନେକ ବରିଷ୍ଠ ଇରାନୀ ନେତାଙ୍କ ମୃତ୍ୟୁ ଘଟିଥିଲା । ଯୁଦ୍ଧ ଆରମ୍ଭ ହେବାର ଦୁଇ ଦିନ ପରେ, ଇରାନ ସମର୍ଥିତ ହିଜବୋଲା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ଯାହା ଫଳରେ ଇସ୍ରାଏଲ ଦକ୍ଷିଣ ଲେବାନନରେ ବିମାନ ଆକ୍ରମଣ ଏବଂ ସ୍ଥଳ ଅଭିଯାନ ଆରମ୍ଭ କରିଥିଲା । ପରବର୍ତ୍ତୀ ସମୟରେ ଆମେରିକା ସୀମାରେ ଉତ୍ତେଜନା ହ୍ରାସ କରିବା ଏବଂ ହିଜବୋଲାକୁ ନିରସ୍ତ୍ର କରିବାର ଉପାୟ ଖୋଜିବା ପାଇଁ ଲେବାନନ ଏବଂ ଇସ୍ରାଏଲ ମଧ୍ୟରେ ସିଧାସଳଖ ଆଲୋଚନାକୁ ସମର୍ଥନ କରିଥିଲା।