ନୂଆଦିଲ୍ଲୀ: ତାଲିବାନ ସପକ୍ଷରେ ରୁଷ ଏକ ବଡ ପଦକ୍ଷେପ ନେଇଛି । ପ୍ରଥମଥର ପାଇଁ ରୁଷ ସଂସଦର ନିମ୍ନ ସଦନ ମଙ୍ଗଳବାର ଦିନ ଏକ ବିଲ୍ ଅନୁମୋଦନ କରିଛି, ଯାହା ଆଫଗାନିସ୍ତାନରେ ତାଲିବାନକୁ ଆତଙ୍କବାଦୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ ନକରିବା ପାଇଁ ପଥ ପରିଷ୍କାର କରିବ । ଅତୀତରେ ମଧ୍ୟ ଆଫଗାନିସ୍ତାନରେ ତାଲିବାନ ଶାସନ ପ୍ରତି ରୁଷର ଆଭିମୁଖ୍ୟ ସବୁଠାରୁ ନରମ ଥିଲା। ବର୍ତ୍ତମାନ ରୁଷର ଏହି ପଦକ୍ଷେପ ତାଲିବାନକୁ ଅଧିକ ସଶକ୍ତ କରିବ। 

ସୂଚନାଥାଉକି ଯେ, ରୁଷ ସଂସଦର ନିମ୍ନ ସଦନ ଡ୍ୟୁମା ଦ୍ବାରା ପାରିତ ହୋଇଥିବା ବିଧେୟକ ଅନୁଯାୟୀ, କୌଣସି ସଂଗଠନର ଆତଙ୍କବାଦୀ ଗୋଷ୍ଠୀର ଆନୁଷ୍ଠାନିକ ସ୍ଥିତିକୁ କୋର୍ଟ ସ୍ଥଗିତ ରଖିପାରିବେ। ଏହି ବିଧେୟକକୁ ଆଇନରେ ପରିଣତ କରିବା ପାଇଁ ଏପର୍ଯ୍ୟନ୍ତ ଉଚ୍ଚ ସଦନ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାକ୍ଷର ବାକି ରହିଛି।  ୨୦୦୩ ରେ ତାଲିବାନକୁ ରୁଷର ଆତଙ୍କବାଦୀ ସଂଗଠନ ତାଲିକାରେ ରଖାଯାଇଥିଲା ଏବଂ ରୁଷର ଆଇନ ଅନୁଯାୟୀ ଏହିପରି ଗୋଷ୍ଠୀ ସହ କୌଣସି ସମ୍ପର୍କ ଦଣ୍ଡନୀୟ। ତେବେ ମସ୍କୋ ଦ୍ୱାରା ଆୟୋଜିତ ବିଭିନ୍ନ ଫୋରମରେ ତାଲିବାନ ପ୍ରତିନିଧୀ ମାନେ ଅଂଶଗ୍ରହଣ କରିଥିଲେ।

ଆଫଗାନିସ୍ତାନରେ ସ୍ଥିରତା ଆଣିବା ପାଇଁ ତାଲିବାନ ସହ ଆଲୋଚନା ହେବାର ଆବଶ୍ୟକତା ଉପରେ ରୁଷର ଅଧିକାରୀ ମାନେ ଏହି ପ୍ରତିବାଦକୁ ନେଇ ପ୍ରଶ୍ନକୁ ଅଣଦେଖା କରିଛନ୍ତି। ସୂଚନାଥାଉକି ଯେ ସୋଭିଏତ୍ ୟୁନିଅନ୍ ଆଫଗାନିସ୍ତାନରେ ୧୦ ବର୍ଷର ଯୁଦ୍ଧ କରିଥିଲା ଯାହା ୧୯୮୯ ରେ ମସ୍କୋ ନିଜର ସୈନ୍ୟ ପ୍ରତ୍ୟାହାର ସହିତ ଶେଷ ହୋଇଥିଲା । କିଛି ବର୍ଷ ପୂର୍ବେ ସଶସ୍ତ୍ର ତାଲିବାନ ଗୋଷ୍ଠୀ ଆଫଗାନିସ୍ତାନ ଉପରେ ଆକ୍ରମଣ କରି ସେଠାରେ ନିର୍ବାଚିତ ସରକାରକୁ ବହିଷ୍କାର କରିଥିଲେ । ତେବେ ଅଦ୍ୟାବଧି ଅଧିକାଂଶ ଦେଶ ତାଲିବାନକୁ ସରକାର ଭାବରେ ସ୍ୱୀକୃତି ଦେଇନାହାଁନ୍ତି।