ବ୍ରସେଲ୍ସ ,୧୧/୦୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲୁଥିବା ଯୁଦ୍ଧ ଯୋଗୁ ଅଦ୍ୟାବଧି ସବୁଠୁ ଅଧିକ ଫାଇବା ରୁଷ୍କୁ ହୋଇଛି । ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟେନିଓ କୋଷ୍ଟା ଆଜି ଏହା କହିଛନ୍ତି । ବ୍ରସେଲ୍ସରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ସାରା ବିଶ୍ୱରେ ତେଲ ଏବଂ ଗ୍ୟାସ୍ର ଦର ବଢ଼ୁଛି । ଏଥିଯୋଗୁ ରୁଷ୍କୁ ବ୍ୟାପକ ଆର୍ଥିକ ଲାଭ ମିଳୁଛି । ରୁଷ୍ ତେଲ ଏବଂ ଗ୍ୟାସ୍ର ବଡ଼ ରପ୍ତାନୀକାରୀ । ତେଣୁ ସଙ୍କଟ ମଧ୍ୟରେ ଚଢ଼ା ଦାମ୍ରେ ତେଲ ଓ ଗ୍ୟାସ୍ ବିକ୍ରି କରି ଏହା ଲାଭବାନ୍ ହେଉଛି ।
ଆହୁରି ପଢନ୍ତୁ-'ଯୁଦ୍ଧ ନ ଥମିଲେ ବିନାଶକାରୀ ସ୍ଥିତ, ଦୋହଲିବ ତୈଳ ବଜାର'; ସାଉଦି ଆରାମ୍କୋ ସିଇଓଙ୍କ ସତର୍କବାଣୀ
ଏହି ଅତିରିକ୍ତ ଅର୍ଥ ରୁଷ୍କୁ ୟୁକ୍ରେନ୍ ବିରୋଧରେ ଚାଲୁଥିବା ଯୁଦ୍ଧ ଜାରି ରଖିବା ଏବଂ ଦେଶକୁ ଆର୍ଥିକ ରୂପେ ସଶକ୍ତ କରିବାରେ ସହାୟତା କରିପାରେ । କୋଷ୍ଟାଙ୍କ ଅନୁସାରେ, ମଧ୍ୟପ୍ରାଚ୍ୟରେ ବର୍ଦ୍ଧିଷ୍ଣୁ ସଂଘର୍ଷ କାରଣରୁ ଅନେକ ଦେଶର ସାମରିକ ଧ୍ୟାନ ଏବଂ ସମ୍ବଳ ଏବେ ସେହି କ୍ଷେତ୍ର ଆଡ଼କୁ ଯାଉଛି । ଅସ୍ତ୍ରଶସ୍ତ୍ର, ସାମରିକ ଉପକରଣ ଏବଂ ରଣନୈତିକ ସମର୍ଥନର ଏକ ଅଂଶ ମଧ୍ୟପ୍ରାଚ୍ୟ ସଙ୍କଟକୁ ସମ୍ଭାଳିବାରେ ଲଗାଯାଉଛି । ଯଦି ଏହି ଯୁଦ୍ଧ ହୋଇନଥାନ୍ତା ତେବେ ସେହି ସାମରିକ ଧ୍ୟାନ ଏବଂ ସହାୟତା ୟୁକ୍ରେନ୍କୁ ମିଳିଥାନ୍ତା । ୟୁକ୍ରେନ୍କୁ ମିଳିବାକୁ ଥିବା ସମ୍ଭାବିତ ସହାୟତା କମ୍ ହେଉଥିବାରୁ ରୁଷ୍ ପରୋକ୍ଷରେ ଲାଭବାନ୍ ହେଉଛି । କେବଳ ସେତିକି ନୁହେଁ, ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟ ରାଜନୀତି ଏବଂ ମିଡିଆର ଧ୍ୟାନ ଏବେ ସେହି କ୍ଷେତ୍ର ଉପରେ କେନ୍ଦ୍ରିତ ହୋଇଯାଇଛି । ଫଳରେ ୟୁକ୍ରେନ୍ ଯୁଦ୍ଧ ଉପରେ ବୈଶ୍ୱିକ ଧ୍ୟାନ କମ୍ ହୋଇଛି । ଯଦି ଏହି ପରିସ୍ଥିତି ଆଗକୁ ଆହୁରି ଖରାପ ହୁଏ ତେବେ ମଧ୍ୟପ୍ରାଚ୍ୟ, ୟୁରୋପ ଏବଂ ବିଶ୍ୱର ଅନ୍ୟ କ୍ଷେତ୍ରର ସୁରକ୍ଷା ଉପରେ ବି ପ୍ରଭାବ ପଡି଼ପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥିସହ ସମସ୍ତ ପକ୍ଷ ଆଲୋଚନା ରାସ୍ତାକୁ ଫେରିବା ଉଚିତ୍ ବୋଲି କୋଷ୍ଟା ଜୋର୍ ଦେଇଛନ୍ତି ।