ନୂଆଦିଲ୍ଲୀ,୧।୬: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ସଂଘର୍ଷ ପୁଣିଥରେ ଚରମ ସ୍ଥିତିରେ ପହଁଞ୍ଚିଛି। ରୁଷିଆର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି - ଓଲେନିଆ ଏବଂ ବେଲାୟା ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏହି ଆକ୍ରମଣରେ ୟୁକ୍ରେନୀୟ ସେନା ଡ୍ରୋନ୍ ବ୍ୟବହାର କରିଛି। କୁହାଯାଉଛି ଯେ ଯେଉଁ ବାୟୁସେନା ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଛି ସେଗୁଡ଼ିକ ରୁଷ-ୟୁକ୍ରେନ ସୀମା ଭିତରେ ଅବସ୍ଥିତ। ୟୁକ୍ରେନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଆକ୍ରମଣ ଏପର୍ଯ୍ୟନ୍ତ ୟୁକ୍ରେନୀୟ ସେନା ଦ୍ୱାରା ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ଥିଲା। ୟୁକ୍ରେନ ବିଶେଷ ଭାବରେ ସେହି ଘାଟିକୁ ଟାର୍ଗେଟ କରିଛି ଯାହାକୁ ରୁଷ ବୋମା ପକାଇବା ପାଇଁ ବ୍ୟବହାର କରୁଥିଲା।
ୟୁକ୍ରେନ କହିଛି ଯେ ସେ ରୁଷ ଭିତରେ ଥିବା ଅନେକ ବାୟୁସେନା ଘାଟି ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି, ଯେଉଁଥିରେ ୪୦ ରୁ ଅଧିକ ରୁଷୀୟ ଏୟାରକ୍ରାଫ୍ଟ ନଷ୍ଟ ହୋଇଛି, ଯାହାକୁ ରୁଷ ୟୁକ୍ରେନ ଉପରେ ବୋମା ପକାଇବା ପାଇଁ ବ୍ୟବହାର କରୁଥିଲା। ୟୁକ୍ରେନ କହିଛି ଯେ ଏଗୁଡ଼ିକ ସେହି ବିମାନ ଯେଉଁମାନେ ପ୍ରାୟତଃ ୟୁକ୍ରେନ ଉପରେ ଉଡ଼ନ୍ତି ଏବଂ ବୋମା ପକାନ୍ତି। ୟୁକ୍ରେନର ସୁରକ୍ଷା ସେବା (SBU)ର ଜଣେ ଅଧିକାରୀ କହିଛନ୍ତି, ସେମାନଙ୍କର ଡ୍ରୋନଗୁଡ଼ିକ ରୁଷ ଭିତରକୁ ଗଭୀରକୁ ଯାଇ Tu-95, Tu-22 ଏବଂ ମହଙ୍ଗା ଏବଂ ଦୁର୍ଲଭ A-50 ଗୁପ୍ତଚର ବିମାନ ଭଳି ବଡ଼ ବିମାନକୁ କ୍ଷତି ପହଞ୍ଚାଇବାରେ ସଫଳ ହୋଇଛି।'
ଏହା ପୂର୍ବରୁ ରବିବାର ରୁଷ ଲଗାତାର ୯ ଘଣ୍ଟା ପର୍ଯ୍ୟନ୍ତ ମିସାଇଲ ଓ ଡ୍ରୋନ୍ରେ ୟୁକ୍ରେନ୍ର ବହୁ ସହର ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ରାଜଧାନୀ କିଭ ମଧ୍ୟ ରହିଛି। ଏହି ଆକ୍ରମଣରେ ୧୨ ୟୁକ୍ରେନୀୟ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଦୁଇ ଦେଶ ଭିତରେ ଚଳିସ ସପ୍ତାହ ଇସ୍ତାନବୁଲରେ ଶାନ୍ତି ବାର୍ତ୍ତାର ପ୍ରସ୍ତୁତି ଚାଲିଥିଲା। ହଠାତ ହୋଇଥିବା ଏହି ବଡ଼ ଆକ୍ରମଣ ଯୁଦ୍ଧ ସ୍ଥିତିକୁ ଜଟିଳ କରିଦେଇଛି। ଅନ୍ତର୍ଜାତୀୟ ସମୁଦାୟ ନିକଟରେ ଚିନ୍ତା ବଢାଇ ଦେଇଛି।
ୟୁକ୍ରେନ୍ ସେନା କହିଛି ଏକ ସାମରିକ ପ୍ରଶିକ୍ଷଣ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୬୦ ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି କେନ୍ଦ୍ରର ସ୍ଥାନ ନେଇ ସୂଚନା ମିଳିନାହିଁ। ସେଭଳି କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ଶନିବାର ରାତିରେ ଜୋରଦାର ହମଲା ହୋଇଥିଲା। ସ୍ଥାନୀୟ ପ୍ରଶାସନର କହିବା ଅନୁସାରେ, ରୁଷ ଡ୍ରୋନ୍ ଆକ୍ରମଣ ସଂଖ୍ୟା ବଢାଇ ଦେଇଛି। ଯାହାଫଳରେ ନାଗରିକ ରହୁଥିବା ଅଞ୍ଚଳକୁ ଟାର୍ଗେଟ କରିହେବ। ତେବେ ଏହି ଆକ୍ରମଣରେ କେହି ଆହତ ହୋଇନାହାନ୍ତି। କିନ୍ତୁ ବହୁ ଘର କ୍ଷତିଗ୍ରସ୍ତ ହୋଇଛି।