ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍‌ରେ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ କୁସୁମର ୱେୟାରହାଉସରେ ରୁଷ୍ କରିଛି ମିସାଇଲ ହମଲା। କିଭ୍ ପକ୍ଷରୁ ଏକ୍ସରେ ଏକ ପୋଷ୍ଟରେ ଏହା ଦାବି କରାଯାଇଛି। ନୂଆ ଦିଲ୍ଲୀ ସ୍ଥିତ ୟୁକ୍ରେନୀ ଦୂତାବାସ ଅଭିଯୋଗ କରିଛି ଯେ , ରୁଷ୍‌ ଜାଣିଶୁଣି ୟୁକ୍ରେନରେ ଭାରତୀୟ ବ୍ୟବସାୟକୁ ଟାର୍ଗେଟ୍‌ କରିଛି। ଦୂତାବାସ ପକ୍ଷରୁ କୁହାଯାଇଛି, ଆଜି ରୁଷୀୟ ମିସାଇଲ ୟୁକ୍ରେନରେ ଭାରତୀ ଫାର୍ମା କମ୍ପାନୀ କୁସୁମର ୱେୟାରହାଉସ୍‌ରେ ହମଲା କରିଛି। ଭାରତ ସହ ବିଶେଷ ବନ୍ଧୁତାର ଦାବି କରୁଥିବା ମସ୍କୋ ଜାଣିଶୁଣି ଭାରତୀୟ ବିଜନେସ୍‌କୁ ଟାର୍ଗେଟ୍ କରୁଛି। ଶିଶୁ ଓ ବୟସ୍କ ପାଇଁ ଅତ୍ୟାବଶ୍ୟକୀୟ ଔଷଧକୁ ନଷ୍ଟ କରାଯାଉଛି। 

ବ୍ରିଟେନ୍‌ର ୟୁକ୍ରେନରେ ରାଷ୍ଟ୍ରଦୂତ ମାର୍ଟିନ ହାରିସ୍‌ ମଧ୍ୟ କହିଛନ୍ତି ଯେ ,ରୁଷୀୟ ହମଲା କିଭ୍‌ରେ ଏକ ବଡ଼ ଫାର୍ମା ୱେୟରହାଉସ୍‌କୁ ଧ୍ୱଂସ କରି ଦେଇଛି। ହେଲେ ସେ କହିଛନ୍ତି ଯେ, ଏହି ହମଲା ରୁଷ୍‌ର ଡ୍ରୋନ୍‌ରେ ହିଁ ହୋଇଛି , ମିସାଇଲ ଦ୍ୱାରା ନୁହେଁ। ସେ ଏକ୍ସରେ ପୋଷ୍ଟ କରିଛନ୍ତି , ଆଜି ସକାଳେ ରୁଷ୍‌ର ଡ୍ରୋନ୍ସ କିଭ୍‌ରେ ଏକ ବଡ଼ ଫାର୍ମାସ୍ୟୁଟିକଲ ୱେୟରହାଉସ୍‌କୁ ପୂରା ନଷ୍ଟ କରି ଦେଇଛି, ଯେଉଁଥିରେ ବୟସ୍କ ଓ ପିଲାଙ୍କ ପାଇଁ ଜରୁରୀ ଔଷଧର ଭଣ୍ଡାର ଥିଲା। ଏହା ସଂପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇ ଯାଇଛି। ୟୁକ୍ରେନୀ ନାଗରିକଙ୍କ ବିରୋଧରେ ରୁଷ୍‌ର ଆତଙ୍କୀ ଅଭିଯାନ ଜାରି ରହିଛି।

ଉଲ୍ଲେଖନୀୟ ଯେ, ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଫେବ୍ରୁଆରୀ ୨୦୨୨ରୁ ଯୁଦ୍ଧ ଚାଲିଛି। ରୁଷ୍‌ ସେନା ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ ଆରମ୍ଭ କରି ଥିଲା, ଯାହାକୁ ଏହା ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ ବୋଲି କହୁଛି , ଅନ୍ୟପଟେ ୟୁକ୍ରେନ ଏହାକୁ ନିଜ ଅଞ୍ଚଳର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି ବିବେଚନା କରୁଛି।