ନୂଆଦିଲ୍ଲୀ: ଋଷର ବିଶିଷ୍ଟ ମିସାଇଲ୍‌ ଡିଜାଇନ୍‌ରଙ୍କ ହତ୍ୟା । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଶ୍ବସ୍ତ ମିଖାଇଲ ଶାତସ୍କିଙ୍କ ମୃତଦେହ ମସ୍କୋରେ ମିଳିବା ପରେ ସମଗ୍ର ଦେଶରେ ହଇଚଇ । କିଭ୍‌ ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଖବରରୁ ଏନେଇ ଜଣାପଡ଼ିଛି । କୁଜମିନସ୍କି ପାର୍କ ପାଖରେ ତାଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । କ୍ରେମଲିନ୍‌ରୁ ୮ ମାଇଲ୍‌ ଦୂରରେ ତାଙ୍କୁ ହତ୍ୟା କରାଯିବା ପରେ ପୁଟିନଙ୍କ ଚିନ୍ତା ବୃଦ୍ଧି ପାଇଛି । 

ଶାତସ୍କି ଋଷ ସେନା ଲାଗି ଅତ୍ୟାଧୁନିକ ମିସାଇଲ ସିଷ୍ଟମ ବିକଶିତ କରିବାରେ ପ୍ରମୁଖ ଭୂମିକା ନେଉଥିଲେ । ଋଷର ବହୁ ଚର୍ଚ୍ଚିତ ମିସାଇଲ୍‌ Kh-59 c ଉପରେ ସେ କାର୍ଯ୍ୟ କରୁଥିଲେ । ଦେଶର ଡ୍ରୋନ୍‌, ଏୟାରକ୍ରାଫ୍ଟ ଏବଂ ସ୍ପେସକ୍ରାଫ୍ଟରେ ଏଆଇର ବ୍ୟବହାର ଆରମ୍ଭ କରିଥିଲେ ଶାତସ୍କି ।  ଏହା ପୂର୍ବରୁ ଶାତସ୍କିଙ୍କ ହତ୍ୟା ଖବର ଦେଇଥିଲେ କ୍ରେମଲିନ୍‌ ବିରୋଧୀ ସାମ୍ବାଦିକ ଆଲେକଜାଣ୍ଡର ନେଭଜୋରୋଭ ।  

ଜଣେ ଭୟଙ୍କର ଅପରାଧୀର ହତ୍ୟା ହୋଇଛି ବୋଲି ସେ ନିଜ ଟେଲିଗ୍ରାମରେ ଲେଖିଥିଲେ । କିଭ୍‌ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁସାରେ, ଋଷ-ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହୃତ ମିସାଇଲ୍‌ ବିକଶିତ କରୁଥିବା ମାର୍ସ ଡିଜାଇନ୍‌ ବ୍ୟୁରୋର ଡେପୁଟି ଜେନେରାଲ୍‌ ଡିଜାଇନର ଏବଂ ସଫ୍ଟଓ୍ବେୟର ହେଡ୍‌ ମିଖାଇଲ ଶାତସ୍କିଙ୍କୁ ହତ୍ୟା କରାଯାଇଛି ।