ନୂଆଦିଲ୍ଲୀ – ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ହମଲା କରି ୧୨ ଜଣ ଲୋକଙ୍କ ଜୀବନ ନେଇଛି, ଯେଉଁଥିରେ ଡୋନେଟସ୍କ କ୍ଷେତ୍ରରେ ଡୋବ୍ରୋପିଲିଆ ଠାରେ ହୋଇଥିବା ହମଲାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଖାର୍କିଭ୍‌ରେ ଏକ ଡ୍ରୋନ୍‌ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହି ହମଲା ସେତେବେଳେ ଘଟିଛି , ଯେବେ ଆମେରିକା ଓ ୟୁକ୍ରେନର ମଧ୍ୟସ୍ଥି ସାଉଦି ଆରବରେ ଯୁଦ୍ଧ ବିରତି ବାର୍ତ୍ତା ପାଇଁ ପ୍ରସ୍ତୁତ ହେଉଛନ୍ତି। 

ରୁଷ୍‌ ହମଲା ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଠୋର ହୋଇ ଉଠିଛନ୍ତି।ସେ ରୁଷ୍‌ ଉପରେ ନୂଆ ବ୍ୟାଙ୍କିଂ ପ୍ରତିବନ୍ଧକ ଓ ଟାରିଫ୍‌ (ଶୁଳ୍କ) ଲଗାଇବାକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ , ରୁଷ୍‌ ଓ ୟୁକ୍ରେନକୁ ଯୁଦ୍ଧ ବନ୍ଦ କରିବା ପାଇଁ କଥାବାର୍ତ୍ତା କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ରୁଷ୍‌ ସହ ଡିଲ୍‌ କରିବା ୟୁକ୍ରେନ୍‌ ତୁଳନାରେ ସହଜ ହୋଇପାରେ। 

ୟୁକ୍ରେନୀ ରାଷ୍ଟ୍ରପତି ଜେଲେନସ୍କି ସାଉଦୀ ଆରବରେ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ସହ କଥାବାର୍ତ୍ତା କରିବେ। ଏହି ବୈଠକର ଉଦ୍ଦେଶ୍ୟ ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧବିରତି ଓ ଶାନ୍ତି ଚୁକ୍ତିନାମା ଦିଗରେ ପଦକ୍ଷେପ ନେବା। ରୁଷ୍‌ , ୟୁକ୍ରେନର ଶକ୍ତି ଓ ଗ୍ୟାସ୍‌ ଉତ୍ପାଦନ ସୁବିଧା ଉପରେ ହମଲା କରୁଛି, ଯେଉଁଥିରେ ୟୁକ୍ରେନର ଅନେକ ଅଞ୍ଚଳରେ ଖୁବ୍‌ କ୍ଷତି ହୋଇଛି। ୟୁକ୍ରେନ ଅଧିକାରୀଙ୍କ ଅନୁସାରେ , ରୁଷ୍‌ ସାଧାରଣ ୟୁକ୍ରେନୀଙ୍କର କ୍ଷତି କରିବା ପାଇଁ ଏହି ସୁବିଧା ଗୁଡ଼ିକୁ ଟାର୍ଗେଟ୍‌ କରୁଛି।

ସଦ୍ୟ ମତଭେଦ ସତ୍ତ୍ୱେ , ଆମେରିକୀୟ ରାଷ୍ଟ୍ରଦୂତ ଷ୍ଟିଭ୍‌ ୱିଟକାଫ କହିଛନ୍ତି , ସାଉଦୀ ଆରବରେ ହେବାକୁ ଥିବା ଆଲୋଚନାରେ ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ପ୍ରାରମ୍ଭିକ ଯୁଦ୍ଧ ବିରତି ଓ ଶାନ୍ତି ଚୁକ୍ତି ପାଇଁ ରୂପରେଖ ଉପରେ ଆଲୋଚନା ହେବ। 

ୟୁକ୍ରେନରେ ଜାରି ରୁଷ୍‌ ହମଲା ଓ ଶକ୍ତି ସୁବିଧା ଗୁଡ଼ିକ ଉପରେ ବୋମା ମାଡ଼ ମଧ୍ୟରେ , ସାଉଦୀ ଆରବରେ ଆମେରିକା ଓ ୟୁକ୍ରେନୀ ମଧ୍ୟସ୍ଥିଙ୍କ ମଧ୍ୟରେ ଶାନ୍ତି ବାର୍ତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। ହେଲେ , ଟ୍ରମ୍ପଙ୍କ ପକ୍ଷରୁ ରୁଷ୍‌ ଉପରେ ଲଗାଯାଇ ଥିବା ପ୍ରତିବନ୍ଧକ ଓ ଶୁଳ୍କ ମଧ୍ୟରେ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ କୌଣସି ସମାଧାନର ଆଶା କରିବା ଚ୍ୟାଲେଞ୍ଜପୂର୍ଣ୍ଣ ହେବ।