ନୂଆଦିଲ୍ଲୀ: ଯଦି ସେଦିନ ୧୬ ବର୍ଷୀୟ ସଚିନଙ୍କୁ ଚୟନ କରାଯାଇନଥାନ୍ତା ତାହେଲେ ଆଜି ସେ ଇତିହାସ ରଚିପାରି ନଥାନ୍ତେ । ତେବେ କ୍ରିକେଟରେ ମହାନ କ୍ରିକେଟରଙ୍କ ସଫଳତା ପଛରେ ରହିଛି ଚୟନକର୍ତ୍ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା । ଏବେ ଚାରି ଦଶନ୍ଧି ପରେ ସଚିନଙ୍କ ଭଳି ବୈଭବଙ୍କୁ ଦଳରେ ଖେଳିବାର ସୁଯୋଗ ଦେବେ କି ନାହିଁ ଏହା ଉପରେ ସାରା ବିଶ୍ବର ନଜର ରହିଛି । କାରଣ ସଚିନଙ୍କ ଭଳି ବୈଭବଙ୍କୁ କମ୍ ବୟସରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବାର ସୁଯୋଗ ମିଳିବ ତ? ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ସୃଷ୍ଟି ହୋଇଛି ।

୧୯୮୯ ମସିହାରେ ଯେତେବେଳେ ଭାରତ ପାକିସ୍ତାନ ଗସ୍ତ କରିଥିଲା ସେତେବେଳ ୧୬ ବର୍ଷୀୟ ସଚିନ ଦଳରେ ସ୍ଥାନ ପାଇଥିଲେ । ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବା ଏକ ଚ୍ୟାଲେଞ୍ଜ ଥିଲା । କାରଣ ସେତେବେଳେ ଅଧିନାୟକ ଇମ୍ରାନ୍ ଖାନ, ଓ୍ବାସିମ ଆକ୍ରାମ ଏବଂ ଓ୍ବାକର ୟୁନୁସଙ୍କ ଭଳି ଦ୍ରୁତ ବୋଲର ଥିଲେ । ବିଶ୍ବର ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଉଥିବା ଏହି ଏହି ବୋଲରଙ୍କ ସାମ୍ନା କେମିତି କରିବେ ? ଏହାସହ ସ୍ପିନରେ ମଧ୍ୟ ଅବଦୁଲ କାଦିର ରହିଥିବାବେଳେ ଗୁଗଲି ଆଗରେ ତିଷ୍ଠିବା ସମ୍ଭବ ନଥିଲା । ତଥାପି ସଚିନଙ୍କୁ ଦଳରେ ଖେଳାଇବା ପଛରେ ବଡ଼ ନିଷ୍ପତ୍ତି ଥିଲା ।

ସଚିନଙ୍କ ଖେଳାଇବା ପାଇଁ ୫ ଜଣିଆ ଚୟନ କମିଟି ରହିଥିଲା । ୩-୨ ହାରରେ ତାଙ୍କୁ ଖେଳିବାର ସୁଯୋଗ ମିଳିଥିଲା । କିଛି ଚୟନକର୍ତ୍ତା ଭାବୁଥିଲେ କି, ବଡ଼ ବଡ଼ ବୋଲରଙ୍କ ସାମ୍ନାରେ ଛୋଟ ବାଳକକୁ ଖେଳିବାକୁ ପଠାଇବା ଅସାଧାରଣ । ଆଉ କିଛି ଚୟନକର୍ତ୍ତା କହିଥିଲେ କି, ଏବେ ନୁହେଁ ତ କେବେ ସୁଯୋଗ ମିଳିବ । ଏତେ ପ୍ରତିଭାର ଅଧିକାରୀ ଥିବାବେଳେ ସୁଯୋଗ ଦେବାରେ ବିଳମ୍ବ କରିବା କାହିଁକି ? ତେବେ ସଚିନଙ୍କ ଡେବ୍ୟୁ ପଛରେ କୌଣସି ଭାବପ୍ରବଣତା ନୁହେଁ ବରଂ ସ୍ଥିର ପ୍ରଦର୍ଶନ ଉପରେ ଆଧାରିତ ଥିଲା ।

୧୯୮୭-୮୮ ରଣଜୀ ଟ୍ରଫି ସିଜିନରେ ମୁମ୍ବାଇ ଦଳରେ ଚୟନ ହୋଇଥିଲେ ସଚିନ୍ । କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା । ମାତ୍ର ପରବର୍ତ୍ତୀ ସିଜିନରେ ଯେତେବେଳେ ଖେଳିବାର ସୁଯୋଗ ମିଳିଲା ନିଜ ପ୍ରତିଭା ଦେଖାଇବା ସହ ଡେବ୍ୟୁ ମ୍ୟାଚରେ ଅପରାଜିତ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ସେ ସମ୍ପୂଣ୍ଣ୍ଣ ସିଜିନରେ ୫୮୩ ରନ କରିଥିଲେ । ଏଭଳି ପ୍ରଦର୍ଶନ ପରେ ଅଧିକ ସମୟ ନନେଇ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା । ଆଉ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ସାମିଲ କରାଯାଇଥିଲା । ନିଜର ସ୍ଥିର ପ୍ରଦର୍ଶନ ବଳରେ ସେ ନିଜର ଦକ୍ଷତା ଦେଖାଇଛନ୍ତି ଆଉ ବିଶ୍ବର ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ୍ ପାଲଟିଥିଲେ ।

ବୈଭବଙ୍କ ମାମଲା ଭିନ୍ନ

ସଚିନ ଘରୋଇ କ୍ରିକେଟରେ ସ୍ଥିର ପ୍ରଦର୍ଶନ କରିବା ପରେ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ମିଳିଥିଲା । ଏଣୁ ବୈଭବଙ୍କୁ ସଚିନଙ୍କ ସହ ଯୋଡ଼ିବା ଭିନ୍ନ । କାରଣ ବୈଭବ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ପରେ ଦଳରେ ସାମିଲ ପାଇଁ ସୋସିଆଲ ମିଡିଆରେ ଚାପ ପଡ଼ିବା ପରେ ସୁଯୋଗ ମିଳିଛି । ତଥାପି ପ୍ଲେଇଂ ଇଲେଭେନରେ ସୁଯୋଗ ଦିଆଯାଉନାହିଁ । ଏମିତି ଅନେକ ଖେଳାଳି ଆଇପିଏଲରୁ ସୁଯୋଗ ପାଇଛନ୍ତି ଏବଂ ବିଫଳ ମଧ୍ୟ ହୋଇଛନ୍ତି । ତଥାପି ବୈଭବଙ୍କ ପ୍ରଦର୍ଶନ ଉପରେ ସାରା ବିଶ୍ବର ଭରସା ରହିଛି । ଏଣୁ ଏହି ଯୁବ ଖେଳାଳିଙ୍କୁ ସଚିନଙ୍କ ଭଳି ଭରସା କରି ଦଳରେ ସୁଯୋଗ ଦେବା ଉଚି୍ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କେବେ ବୈଭବଙ୍କୁ ଦଳରେ ଖେଳିବାର ସୁଯୋଗ ମିଳିବ ଏବଂ ସେ ନିଜର ପ୍ରତିଭା ଦେଖାଇବେ ଏହା ଉପରେ ସାରା ବିଶ୍ବର ନଜର ରହିଛି ।

ଏହାସହ ପଢ଼ନ୍ତୁ : ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତର ସୂଚୀ ଘୋଷଣା