ରାୟପୁର, ୨୩/୦୪ : ବଦଳିବ ମାଓଗଡ଼ର ଭାଗ୍ୟ। ଛତିଶଗଡ଼ ବସ୍ତରରେ କ୍ରୀଡ଼ା ମଞ୍ଜି ବୁଣୁଛନ୍ତି ମାଷ୍ଟରବ୍ଲାଷ୍ଟର। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କ୍ରୀଡ଼ାର ବିକାଶ ଲାଗି ଚେଷ୍ଟା ଚଳାଇଛନ୍ତି ସଚିନ ତେନ୍ଦୁଲକର। ପୂର୍ବତନ ମାଓବାଦୀ ଏବଂ ସେମାନଙ୍କ ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ କରୁଛନ୍ତି ପ୍ରୟାସ। ସଚିନ ତେନ୍ଦୁଲକର ତାଙ୍କ ପରିବାର ସହ ଦନ୍ତେୱାଡାରେ ଆୟୋଜିତ 'ମଇଦାନ୍ କପ୍' ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ୫ ହଜାରରୁ ଅଧିକ ପିଲା ସାମିଲ ହୋଇ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି। 

କ୍ରିକେଟ୍ ଦିଗଜ ସଚିନ ତେନ୍ଦୁଲକର ବୁଧବାର ତାଙ୍କ ପରିବାର ସହ ନକ୍ସଲ ପ୍ରବଣ ଦନ୍ତେୱାଡାର ଛିନ୍ଦନାର ଗାଁରେ ପହଞ୍ଚିଥିଲେ। ସଚିନ ପହଞ୍ଚିବା ପରେ ଇନ୍ଦ୍ରାବତୀ ନଦୀ ତଟ ସଚିନ ସଚିନ ନାରାରେ ଗୁଞ୍ଜି ଉଠିଥିଲା। କ୍ରୀଡ଼ା ମଇଦାନରେ ସଚିନ ପିଲାମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଯେତେବେଳେ ମୋତେ ଜଣାପଡ଼ିଲା ଏଠି ଟ୍ୟାଲେଣ୍ଟ ଲୁଚି ରହିଛି, ହେଲେ ଖେଳିବା ପାଇଁ ମଇଦାନ ନାହିଁ ସେତେବେଳେ ମୋ ପିଲାଦିନ କଥା ମନେ ପଡିଗଲା। ମୁଁ ଏଠାରେ କେବଳ ୫୦ ନୁହେଁ ୧୦୦ରୁ ଅଧିକ କ୍ରୀଡ଼ା ମଇଦାନ ନିର୍ମାଣ କରିବାକୁ ସହଯୋଗ କରିବି। ବସ୍ତରରେ ହଜାର ହିରୋ ଅଛନ୍ତି, ବାସ୍ ତାଙ୍କୁ ଚିହ୍ନଟ କରିବା ବାକି ଅଛି।

ଏହି ଅବସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ସଚିନ ପିଲାମାନଙ୍କ ସହ ରଶି ଟଣାଟଣି ଖେଳ ଖେଳିଥିଲେ। ଗୋଟିଏ ପଟେ ସଚିନ ଥିଲେ, ଅନ୍ୟପଟେ ଝିଅ ସାରା ଏବଂ ବୋହୂ ସାନିଆ ତେନ୍ଦୁଲକର ଥିଲେ। ପୁରା କାଣ୍ଟେ କି ଟକ୍କର ଦେଖିବାକୁ ମିଳିଥିଲା। ଏଥିରେ ସାରାଙ୍କ ଟିମ୍ ବାଜି ମାରିଥିଲା। ସଚିନ ହାରିବା ସତ୍ତ୍ଵେ ମଧ୍ୟ ତାଙ୍କ ମୁହଁରେ ହସ ଥିଲା। ସେ ପିଲାମାନଙ୍କ ସହ ଭଲିବଲ୍ ଖେଳିବା ସହ ମସ୍ତି କରିଥିଲେ। 
ଏହି ଅବସରରେ ସଚିନ ପିଲାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସେ କହିଥିଲେ ଯେ, ଜଣେ ପ୍ରକୃତ ବନ୍ଧୁ ଆଇନା ଏବଂ ଛାଇ ଭଳି ହୋଇଥାଏ। ଆଇନା କେବେ ମିଛ କୁହେ ନାହିଁ। ଛାଇ କେବେ ସାଥ୍ ଛାଡ଼େ ନାହିଁ। କ୍ରିକେଟ୍ କେବଳ ଏକ କ୍ୟାରିଅରରେ ସୀମିତ ହେଲେ ଜଣେ ଭଲ ମଣିଷ ହେବା ହେଉଛି ବଡ଼ ଉପଲବ୍ଧି। 

ସୂଚନାନୁଯାୟୀ, ବସ୍ତରରେ ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ କାମ କରୁଥିବା ମାନ୍‌ ଦେଶୀ ପ୍ରତିଷ୍ଠାନ ଏବଂ ସଚିନ ତେନ୍ଦୁଲକର ଫାଉଣ୍ଡେସନ୍‌ର ମିଳିତ ପ୍ରୟାସରେ ମଇଦାନ କପ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ୧୦୦ଟି ସ୍କୁଲ୍‌ରେ ଖେଳ ପଡ଼ିଆର ନିର୍ମାଣ କାମ ହାତକୁ ନିଆଯାଇଛି। ଯାହାକି ମାଓଗଡ଼ରେ କ୍ରୀଡ଼ାର କ୍ରାନ୍ତି ଆଣିବ ବୋଲି କୁହାଯାଉଛି।

ଏହି ଖବରଟିକୁ ପଢନ୍ତୁ- West Bengal election; ମୁର୍ଶିଦାବାଦରେ ମତଦାନ ବେଳେ ସଂଘର୍ଷ, ହୁମାୟୁନ କବୀରଙ୍କ ସହ ଟିଏମସି ସମର୍ଥକ ହାତାହାତି