ନୂଆଦିଲ୍ଲୀ, ୩୦/୦୧ : ଭାଇରାଲ୍ ଭିଡିଓକୁ ନେଇ ବିବାଦକୁ ଆସିଥିବା ଜୋଧପୁରର ସାଧ୍ଵୀ ପ୍ରେମ ବାଇସାଙ୍କ ସନ୍ଦେହଜନକ ମୃତ୍ୟୁ। ଡେକ୍ସୋନା ଇଞ୍ଜେକ୍ସନ ନେବାର ମାତ୍ର ୫ ମିନିଟ୍ ପରେ ଚାଲିଗଲା ସାଧ୍ଵୀଙ୍କ ଜୀବନ। ଶେଷ ନିଃଶ୍ଵାସ ଗଣୁଥିବା ବେଳେ ମାଗିଲେ ନ୍ୟାୟ। ସନ୍ଦେହ ଘେରରେ ସାଧ୍ଵୀଙ୍କ ମୃତ୍ୟୁ। ସନ୍ଥ ସମାଜକୁ ଶକ୍ତ ଧକ୍କା। କ'ଣ ସତରେ ଥଣ୍ଡାଜ୍ଵର ଉପଶମ ପାଇଁ ନେଇଥିବା ଇଞ୍ଜେକ୍ସନ ଯୋଗୁଁ ଚାଲିଗଲା ଜୀବନ ? ନା ଘଟଣା ପଛରେ ଆଉ କ'ଣ ? ନିରପେକ୍ଷ ତଦନ୍ତ ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦାବି କଲେ ସନ୍ଥ ସମାଜ।
ସୂଚନାନୁଯାୟୀ, ଜୋଧପୁରର ବୋରାନାଡା ଥାନା ଆରତୀ ନଗର ଆଶ୍ରମର କଥାବାଚକ ସାଧ୍ଵୀ ପ୍ରେମ ବାଇସାଙ୍କ ବୁଧବାର ସନ୍ଧ୍ୟା ୫ଟା ୫୦ରେ ମୃତ୍ୟୁ ହୋଇଛି। ତାଙ୍କୁ ଭୀଷଣ ଥଣ୍ଡା ଜ୍ଵର ହୋଇଥିଲା। ଏଥିପାଇଁ ତାଙ୍କୁ ଆଶ୍ରମରେ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ନେବା ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେତେବେଳକୁ ପ୍ରେମ ବାଇସାଙ୍କ ମୃତ୍ୟୁ ହୋଇସାରିଥିଲା। ସାଧ୍ବୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ପୁଲିସ ଇଞ୍ଜେକ୍ସନ ଦେଇଥିବା କମ୍ପାଉଣ୍ଡରଙ୍କୁ ଅଟକ ରଖିଥିଲା। ସାଧ୍ଵୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନ ଜବତ କରିଥିଲା। ସେପଟେ ସାଧ୍ଵୀଙ୍କ ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି। ଆଜି ତାଙ୍କ ପୈତୃକ ଗ୍ରାମ ପରେଔରେ ଶତାଧିକ ଗ୍ରାମବାସୀ, ଶ୍ରଦ୍ଧାଳୁ, ସନ୍ଥ ସମାଜଙ୍କ ଉପସ୍ଥିତିରେ ସମାଧି ଦିଆଯାଇଛି।
ଶେଷ ନିଃଶ୍ଵାସ ବେଳେ ମାଗୁଥିଲେ ନ୍ୟାୟ
ଏନେଇ ସାଧ୍ଵୀଙ୍କ ପିତା ବୀରମ ନାଥ ନ୍ୟାୟ ଦାବି କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଝିଅ ଶେଷ ନିଃଶ୍ଵାସ ନେବା ବେଳେ କହିଥିଲେ ଯେ, ମୁଁ ବଞ୍ଚିଥିବା ବେଳେ ମୋତେ ନ୍ୟାୟ ମିଳିଲା ନାହିଁ, ହେଲେ ମରିବା ପରେ ନ୍ୟାୟ ଦରକାର। ବୀରମଙ୍କ ଏଭଳି ପ୍ରତିକ୍ରିୟା ପରେ ସାଧ୍ଵୀଙ୍କ ମୃତ୍ୟୁ ଘଟଣା ଆହୁରି ସନ୍ଦେହଜନକ ହୋଇଛି। ପରିବାର ଲୋକେ କହିଛନ୍ତି ଯେ, ସେମାନେ କାହା ଉପରେ ଆରୋପ ଲଗାଉ ନାହାଁନ୍ତି। ହେଲେ ତାଙ୍କ ଝିଅର ମୃତ୍ୟୁ ପଛରେ ପ୍ରକୃତ କାରଣ ଖୋଜି ବାହାର କରାଯାଉ। ସେପଟେ ଆଶ୍ରମରୁ ସିସିଟିଭି କ୍ୟାମେରା ହଟାଯିବାକୁ ନେଇ ସନ୍ଦେହ ବଢୁଛି। କାହିଁକି କ୍ୟାମେରା ହଟାଯାଇଛି ତାହା ତଦନ୍ତ ସାପେକ୍ଷ।
ଭାଇରାଲ୍ ଭିଡିଓର ସତ
ପ୍ରକାଶ ଥାଉକି, ଗତ ବର୍ଷ ଜୁଲାଇ ମାସରେ ସୋସିଆଲ ମିଡିଆରେ ସାଧ୍ଵୀ ପ୍ରେମ ବାଇସାଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏହି ଭିଡିଓରେ ସେ ତାଙ୍କ ପିତା ବୀରମ ନାଥଙ୍କୁ କୋଳାଗ୍ରତ କରିଥିଲେ। ହେଲେ କେହି ଏହାର ଭୁଲ୍ ଅର୍ଥ ବାହାର କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଦେଇଥିଲେ। ଏନେଇ ସାଧ୍ଵୀ ଥାନାର ଦ୍ଵାରସ୍ଥ ହୋଇଥିଲେ। ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ସେହି ସମୟରେ ମଧ୍ୟ ସାଧ୍ଵୀ ଅଗ୍ନି ପରୀକ୍ଷା ଦେବା କଥା କହିଥିଲେ। ଏହି ଭିଡିଓକୁ ନେଇ ମଧ୍ୟ ସାଧ୍ଵୀ ମାନସିକ ଚାପରେ ଥିଲେ।
ଏହି ଖବରଟିକୁ ପଢନ୍ତୁ- 'ତୁମେ ମାଙ୍କେଡି', ବାସ୍ କଥା ଥିଲା ଏତିକି... ସହି ପାରିଲେନି ସ୍ଵାମୀଙ୍କ ମଜାକ୍, ସ୍ତ୍ରୀ କଲେ ଏମିତି କାଣ୍ଡ...