ଲକ୍ଷ୍ନୌ, ୩୦/୦୧ : 'ତୁମେ ମାଙ୍କେଡି', ବାସ୍ କଥା ଥିଲା ଏତିକି... ସହି ପାରିଲେନି ସ୍ଵାମୀଙ୍କ ମଜାକ୍। ଝୁଲିପଡ଼ିଲେ ମଡେଲ୍ ସ୍ତ୍ରୀ। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଇନ୍ଦିରାନଗର ଥାନା ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଡେଲିଂ କରୁଥିବା ଜଣେ ୨୮ ବର୍ଷୀୟା ମହିଳା ତନ୍ନୁ ସିଂହ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ଵାମୀ ରାହୁଲ ସିଂହ ତାଙ୍କୁ ମଜାକ୍ ରେ ମାଙ୍କେଡି କହିଦେବାରୁ ସେ ମର୍ମାହାତ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପରିବାର ଲୋକେ କହିଛନ୍ତି। ସେପଟେ ପୁଲିସ ଉକ୍ତ ମହିଳାଙ୍କ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।

ପୁଲିସର ସୂଚନା ଅନୁଯାୟୀ, ତନ୍ନୁ ସିଂ ସ୍ଵାମୀ ରାହୁଲ ସିଂହଙ୍କ ସହ ଇନ୍ଦିରାନଗର ସେକ୍ଟର-୧୪ରେ ରହୁଥିଲେ। ସେ ମଡେଲିଂ କରୁଥିଲେ। ଏହି ପେଶାକୁ ନେଇ ତନ୍ନୁ ଖୁବ୍ ସମ୍ଵେଦନଶୀଳ ଥିଲେ। ବୁଧବାର ସନ୍ଧ୍ୟାରେ ପୁରା ପରିବାର ସୀତାପୁରର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ପରେ ଘରେ ସମସ୍ତେ ଏକାଠି ବସି ମଜାମସ୍ତି କରୁଥିଲେ। ଏହି ସମୟରେ ରାହୁଲ ମଜାକରେ ତନ୍ନୁଙ୍କୁ ମାଙ୍କେଡି ବୋଲି କହିଦେଇଥିଲେ। ଏଥିରେ ତନ୍ନୁ ରାଗିପାଚି ଲାଲ୍ ହୋଇଯାଇଥିଲେ। ରୁମ୍ ଭିତରକୁ ଯାଇ କବାଟ ବନ୍ଦ କରି ଦେଇଥିଲେ। କିଛି ଘଣ୍ଟା ପର୍ଯ୍ୟନ୍ତ ଡୋର୍ ନଖୋଲିବାରୁ ପରିବାର ଲୋକ ଯାଇ ଦେଖନ୍ତି ତ ସେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରି ସାରିଥିଲେ।

ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିଥିଲା। ତନ୍ନୁଙ୍କ ମୃତ୍ୟୁର କାରଣ ପାରିବାରିକ ବିବାଦ ଓ ସ୍ଵାମୀଙ୍କ ମଜାକ୍ ବୋଲି କୁହାଯାଉଛି। ମୃତକଙ୍କ ପରିବାର ପକ୍ଷରୁ ଏନେଇ ଏତଲା ଦିଆଯାଇ ନାହିଁ।

ଏହି ଖବରଟିକୁ ପଢନ୍ତୁ- ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା, ଦୂର ହେଲା ମୂଷାର ଅଗ୍ନାଶୟ କର୍କଟ