ଭୁବନେଶ୍ୱର, ୦୬/୦୮: ଗୃହପାଳିତ  ଗାଈ, ବଳଦ, କୁକୁର, ବିଲେଇ, ଠେକୁଆଙ୍କୁ  କୌଣସି ରୋଗ ହେଲେ କିମ୍ବା ଗୋଡ଼  ଭାଙ୍ଗିଗଲେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଉ  ହଇରାଣ ହେବାକୁ ପଡ଼ିବନି । ନମୁନା ଧରି କୌଣସି ଘରୋଇ ଲ୍ୟାବ୍‌କୁ ଦୌଡ଼ିବାକୁ  ପଡିବନି । ଆଖି ଆଗରେ ନମୁନା ସଂଗ୍ରହ  କରାଯାଇ ରକ୍ତ, ସ୍ୱାବ ପରୀକ୍ଷା କରାଯିବ । ଅସୁସ୍ଥ ପ୍ରାଣୀଙ୍କ ଏକ୍ସରେ କରିବେ ଡାକ୍ତର ।  କେଉଁ ରୋଗ ହୋଇଛି ତାହାର କାରଣ ଓ  ନିରାକରଣ ବାବଦରେ ଫଟାଫଟ୍‌ ପରାମର୍ଶ  ମିଳିଯିବ । ସହିଦନଗରରେ ଥିବା ପ୍ରାଣୀ  ଚିକିତ୍ସାଳୟରେ ଏହି ସୁବିଧା ମିଳିବ । ଫଳରେ ମାଲିକଙ୍କୁ ଆଶ୍ୱସ୍ତି ମିଳିବାକୁ  ଯାଉଛି । କେବଳ ଗୃହପାଳିତ ପ୍ରାଣୀ  ନୁହନ୍ତି, ବୁଲା ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ  ଏହା ସହାୟକ ହେବ ।

ଓୟୁଏଟି ପ୍ରାଣୀ ହସ୍ପିଟାଲରେ ଏକ୍ସରେ,  ଅଲଟ୍ରାସାଉଣ୍ଡ ମିଳୁଛି । ଏବେ ସହିଦନଗର  ସରକାରୀ ହସ୍ପିଟାଲରେ ପ୍ରାଣୀଙ୍କ ସ୍ୱାସ୍ଥ୍ୟ  ପରୀକ୍ଷା ପାଇଁ ଏଭଳି ଏକ ଅତ୍ୟାଧୁନିକ  ଲାବ୍ରୋଟାରୀ(ପରୀକ୍ଷାଗାର) ପ୍ରତିଷ୍ଠା  କରାଯାଇଛି । ଗୋଟିଏ ସ୍ଥାନରେ ସ୍ୱାସ୍ଥ୍ୟ  ଯାଞ୍ଚ ପାଇଁ ଏକ୍ସରେ, ଉନ୍ନତମାନର ହିମୋ  ଆନାଲାଇଜର ମେସିନ୍‌ ରହିଛି । କାଳେ ପଡ଼ି  ପଡ଼ି ଖରାପ ହୋଇଯିବ ସେଥିପାଇଁ ଏହି  ମେସିନ୍‌ ବ୍ୟବହାର କରାଯାଉଛି । ପ୍ରତିଦିନ  ଯେଉଁ ପ୍ରାଣୀଙ୍କ ଗୋଡ କିମ୍ବା ଅନ୍ୟ କୌଣସି  ଅସ୍ଥିରେ ସମସ୍ୟା ଥାଏ ସେମାନଙ୍କ ଏକ୍ସରେ  ଓ ରକ୍ତ ପରୀକ୍ଷା କରାଯାଉଛି । ଏବେ  ଏହାର ଉଦ୍‌ଘାଟନ ହେବାକୁ ବାକି ରହିଛି ।

ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ  ବିଭାଗ ପକ୍ଷରୁ ସହିଦନଗର ପ୍ରାଣୀ  ଚିକିତ୍ସାଳୟ ପରିସରରେ ଏହି ଅତ୍ୟାଧୁନିକ ଲାବ୍ରୋଟାରୀ ନିର୍ମାଣ କରାଯାଇଛି ।  କରୋନା ପରେ ଏହି କୋଠା କାମ ଆରମ୍ଭ ହୋଇଥିଲା । ଗତବର୍ଷ ଶେଷ ସୁଦ୍ଧା କାମ  ସରିବା ସହ ଯନ୍ତ୍ରପାତି ମଧ୍ୟ ଆସିସାରିଛି ।  ଏବେ ଦୈନିକ ଗାଈ, କୁକୁର, ବିଲେଇଙ୍କ ସହ ଅନ୍ୟପ୍ରାଣୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ  ମେସିନ୍‌ ବ୍ୟବହାର କରାଗଲାଣି । ଏକ୍ସରେ,  ହିମୋ ଆନାଲାଇଜର ମେସିନ୍‌ ପରିଚାଳନା ପାଇଁ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ  ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି । 

ସେମାନେ  ଅସୁସ୍ଥ ପ୍ରାଣୀଙ୍କ ପରୀକ୍ଷାନିରୀକ୍ଷା କରୁଛନ୍ତି ।  ଏକ୍ସରେ ପାଇଁ ସକାଳ ୮ଟାରୁ ମଧ୍ୟାହ୍ନ  ୧୨ଟା ଓ ପୁଣି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ରହିଥିବା ବେଳେ  ରକ୍ତ ପରୀକ୍ଷା ପାଇଁ ସକାଳ ୭ଟାରୁ ୧୦ଟା  ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ପକ୍ଷରୁ ଏହି ଲାବ୍ରୋଟାରୀକୁ ପ୍ରମାଣପତ୍ର ମିଳିସାରିଥିବା  ଜଣାପଡ଼ିଛି । ତେବେ ଅଲଟ୍ରାସାଉଣ୍ଡ  ମେସିନ ଆସିବା ପ୍ରକ୍ରିୟା ଜାରିରହିଛି ।  କାରଣ ଏହି ମେସିନ୍‌ ପାଇଁ ବୈଧ ଲାଇସେନ୍ସ  ଦରକାର । ଲାଇସେନ୍ସ ହେଲା ପରେ ମେସିନ୍‌  ଆସିବାର ସମ୍ଭାବନା ରହିଛି ।  

ଚଳିତବର୍ଷ ରାଜ୍ୟ ସରକାର ପ୍ରାଣୀ  ଚିକିତ୍ସାରେ ବ୍ୟବହୃତ ବିଭିନ୍ନ ପରୀକ୍ଷା  ଉପରୁ ୟୁଜର୍ସ ଫି’ କମାଇଛନ୍ତି । ତେଣୁ  ପ୍ରାଣୀପାଳକମାନେ ଏହାର ଅଧିକ ଫାଇଦା  ପାଇବେ । ପୂର୍ବରୁ ଏହି ହସ୍ପିଟାଲରେ ପଶୁଙ୍କ  ଅସ୍ତ୍ରୋପଚାର ହେଉଥିଲା ବେଳେ ଏବେ  ଏହି ଅତ୍ୟାଧୁନିକ ଲାବ୍ରୋଟାରୀ ସେମାନଙ୍କ  ଚିକିତ୍ସାକୁ ଆଉ ପାଦେ ଆଗକୁ ନେଇଛି ବୋଲି  ଏସଡିଭିଓ ରବି ପଟ୍ଟନାୟକ କହିଛନ୍ତି ।  ଏଥିସହ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ  ନେଇଥିବାରୁ ସେ ସରକାରଙ୍କୁ ଧନ୍ୟବାଦ  ଦେଇଛନ୍ତି । ପ୍ରକାଶ ଥାଉକି, ଓୟୁଏଟିରେ  ପ୍ରାଣୀଙ୍କୁ ମଧ୍ୟ ଏକ୍ସରେ,ଏମଆରଆଇ ଓ  ଅଲଟ୍ରାସାଉଣ୍ଡ ସେବା ମିଳୁଛି ।