ଭୁବନେଶ୍ୱର, ୦୬/୦୮: ଗୃହପାଳିତ ଗାଈ, ବଳଦ, କୁକୁର, ବିଲେଇ, ଠେକୁଆଙ୍କୁ କୌଣସି ରୋଗ ହେଲେ କିମ୍ବା ଗୋଡ଼ ଭାଙ୍ଗିଗଲେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଉ ହଇରାଣ ହେବାକୁ ପଡ଼ିବନି । ନମୁନା ଧରି କୌଣସି ଘରୋଇ ଲ୍ୟାବ୍କୁ ଦୌଡ଼ିବାକୁ ପଡିବନି । ଆଖି ଆଗରେ ନମୁନା ସଂଗ୍ରହ କରାଯାଇ ରକ୍ତ, ସ୍ୱାବ ପରୀକ୍ଷା କରାଯିବ । ଅସୁସ୍ଥ ପ୍ରାଣୀଙ୍କ ଏକ୍ସରେ କରିବେ ଡାକ୍ତର । କେଉଁ ରୋଗ ହୋଇଛି ତାହାର କାରଣ ଓ ନିରାକରଣ ବାବଦରେ ଫଟାଫଟ୍ ପରାମର୍ଶ ମିଳିଯିବ । ସହିଦନଗରରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଏହି ସୁବିଧା ମିଳିବ । ଫଳରେ ମାଲିକଙ୍କୁ ଆଶ୍ୱସ୍ତି ମିଳିବାକୁ ଯାଉଛି । କେବଳ ଗୃହପାଳିତ ପ୍ରାଣୀ ନୁହନ୍ତି, ବୁଲା ଜୀବଜନ୍ତୁଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ।
ଓୟୁଏଟି ପ୍ରାଣୀ ହସ୍ପିଟାଲରେ ଏକ୍ସରେ, ଅଲଟ୍ରାସାଉଣ୍ଡ ମିଳୁଛି । ଏବେ ସହିଦନଗର ସରକାରୀ ହସ୍ପିଟାଲରେ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏଭଳି ଏକ ଅତ୍ୟାଧୁନିକ ଲାବ୍ରୋଟାରୀ(ପରୀକ୍ଷାଗାର) ପ୍ରତିଷ୍ଠା କରାଯାଇଛି । ଗୋଟିଏ ସ୍ଥାନରେ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଏକ୍ସରେ, ଉନ୍ନତମାନର ହିମୋ ଆନାଲାଇଜର ମେସିନ୍ ରହିଛି । କାଳେ ପଡ଼ି ପଡ଼ି ଖରାପ ହୋଇଯିବ ସେଥିପାଇଁ ଏହି ମେସିନ୍ ବ୍ୟବହାର କରାଯାଉଛି । ପ୍ରତିଦିନ ଯେଉଁ ପ୍ରାଣୀଙ୍କ ଗୋଡ କିମ୍ବା ଅନ୍ୟ କୌଣସି ଅସ୍ଥିରେ ସମସ୍ୟା ଥାଏ ସେମାନଙ୍କ ଏକ୍ସରେ ଓ ରକ୍ତ ପରୀକ୍ଷା କରାଯାଉଛି । ଏବେ ଏହାର ଉଦ୍ଘାଟନ ହେବାକୁ ବାକି ରହିଛି ।
ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ସହିଦନଗର ପ୍ରାଣୀ ଚିକିତ୍ସାଳୟ ପରିସରରେ ଏହି ଅତ୍ୟାଧୁନିକ ଲାବ୍ରୋଟାରୀ ନିର୍ମାଣ କରାଯାଇଛି । କରୋନା ପରେ ଏହି କୋଠା କାମ ଆରମ୍ଭ ହୋଇଥିଲା । ଗତବର୍ଷ ଶେଷ ସୁଦ୍ଧା କାମ ସରିବା ସହ ଯନ୍ତ୍ରପାତି ମଧ୍ୟ ଆସିସାରିଛି । ଏବେ ଦୈନିକ ଗାଈ, କୁକୁର, ବିଲେଇଙ୍କ ସହ ଅନ୍ୟପ୍ରାଣୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେସିନ୍ ବ୍ୟବହାର କରାଗଲାଣି । ଏକ୍ସରେ, ହିମୋ ଆନାଲାଇଜର ମେସିନ୍ ପରିଚାଳନା ପାଇଁ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି ।
ସେମାନେ ଅସୁସ୍ଥ ପ୍ରାଣୀଙ୍କ ପରୀକ୍ଷାନିରୀକ୍ଷା କରୁଛନ୍ତି । ଏକ୍ସରେ ପାଇଁ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ପୁଣି ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ରହିଥିବା ବେଳେ ରକ୍ତ ପରୀକ୍ଷା ପାଇଁ ସକାଳ ୭ଟାରୁ ୧୦ଟା ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ପକ୍ଷରୁ ଏହି ଲାବ୍ରୋଟାରୀକୁ ପ୍ରମାଣପତ୍ର ମିଳିସାରିଥିବା ଜଣାପଡ଼ିଛି । ତେବେ ଅଲଟ୍ରାସାଉଣ୍ଡ ମେସିନ ଆସିବା ପ୍ରକ୍ରିୟା ଜାରିରହିଛି । କାରଣ ଏହି ମେସିନ୍ ପାଇଁ ବୈଧ ଲାଇସେନ୍ସ ଦରକାର । ଲାଇସେନ୍ସ ହେଲା ପରେ ମେସିନ୍ ଆସିବାର ସମ୍ଭାବନା ରହିଛି ।
ଚଳିତବର୍ଷ ରାଜ୍ୟ ସରକାର ପ୍ରାଣୀ ଚିକିତ୍ସାରେ ବ୍ୟବହୃତ ବିଭିନ୍ନ ପରୀକ୍ଷା ଉପରୁ ୟୁଜର୍ସ ଫି’ କମାଇଛନ୍ତି । ତେଣୁ ପ୍ରାଣୀପାଳକମାନେ ଏହାର ଅଧିକ ଫାଇଦା ପାଇବେ । ପୂର୍ବରୁ ଏହି ହସ୍ପିଟାଲରେ ପଶୁଙ୍କ ଅସ୍ତ୍ରୋପଚାର ହେଉଥିଲା ବେଳେ ଏବେ ଏହି ଅତ୍ୟାଧୁନିକ ଲାବ୍ରୋଟାରୀ ସେମାନଙ୍କ ଚିକିତ୍ସାକୁ ଆଉ ପାଦେ ଆଗକୁ ନେଇଛି ବୋଲି ଏସଡିଭିଓ ରବି ପଟ୍ଟନାୟକ କହିଛନ୍ତି । ଏଥିସହ ଏଭଳି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରକାଶ ଥାଉକି, ଓୟୁଏଟିରେ ପ୍ରାଣୀଙ୍କୁ ମଧ୍ୟ ଏକ୍ସରେ,ଏମଆରଆଇ ଓ ଅଲଟ୍ରାସାଉଣ୍ଡ ସେବା ମିଳୁଛି ।