ମୁମ୍ବାଇ,୧୮।୧: ସୈଫ ଅଲ୍ଲୀ ଖାନ୍ ମାମଲାରେ ମୁମ୍ବାଇ ପୋଲିସର ବଡ଼ ଆକ୍ସନ। ଛତିଶଗଡରୁ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି। ବର୍ତ୍ତମାନ ତାକୁ କଷ୍ଟଡିରେ ନିଆଯାଇଥିବା ବେଳେ ପଚରାଉଚରା କରାଯାଉଛି। ସେ ଟ୍ରେନ୍ରେ ଯିବା ସମୟରେ କଷ୍ଟଡିରେ ନିଆଯାଇଥିଲା। ପୋଲିସକୁ ସୂଚନା ମିଳିଥିଲା ଯେଉଁ ସନ୍ଦିଗ୍ଧର ଖୋଜା ଚାଲିଛି ସେ ଜ୍ଞାନେଶ୍ବରୀ ଏକ୍ସପ୍ରେସ୍ର ଜେନେରାଲ ବଗିରେ ମୁମ୍ବାଇରୁ ବିଳାସପୁର ଯାଉଛି। ଏହାପରେ ରେଲଓ୍ବେ ପୋଲିସ ସାହାଯ୍ୟରେ ସେହି ଯାତ୍ରୀକୁ ଟ୍ରେନରୁ ଓହ୍ଲାଇ ଦିଆଯାଇଥିଲା। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେହି ଯାତ୍ରୀ ସୈଫ୍ ଅଳ୍ଲୀ ଖାନ୍ଙ୍କ ମାମଲାରେ ସନ୍ଦିଗ୍ଧ ଭଳି ଦେଖାଯାଉଛି। ସନ୍ଦିଗ୍ଧର କ୍ରିମିନାଲ ରେକର୍ଡ ମଧ୍ୟ ଖୋଜାଯାଉଛି। ମୁମ୍ବାଇ ପୋଲିସ ଦୁର୍ଗରେ ପହଁଞ୍ଚିବା ପରେ ସ୍ପଷ୍ଟ ହୋଇପାରିବ ଗିରଫ ସନ୍ଦିଗ୍ଧ ଜଣକ ଅଭିଯୁକ୍ତ କି ନୁହେଁ।
ମୁମ୍ବାଇ ପୋଲିସ ସନ୍ଦିଗ୍ଦକୁ ଛତିଶଗଡର ଦୁର୍ଗ ଜିଲ୍ଲାରୁ ଗିରଫ କରିଛି। ଏହି ସନ୍ଦିଗ୍ଧକୁ ପଚରାଉଚରା କରାଯିବ ଓ ମାମଲାରେ ତା’ର ଭୂମିକା ନେଇ ଯାଞ୍ଚ ଜାରି ରହିଛି। ପୋଲିସ ଏହି ମାମଲାରେ ୫୦ ଜଣଙ୍କୁ ପଚରା ଉଚରା କରିସାରିଛି। ସେଭଳି ୩୫ଟି ଟିମ୍ ତଦନ୍ତରେ ଲାଗିଛନ୍ତି, ଯେଉଁମାନେ କି ଅଭିଯୁକ୍ତକୁ ଧରିବା ନେଇ ତନାଘନା ଯାଞ୍ଚ ଜାରି ରଖିଛନ୍ତି।ସିସି ଟିଭି ଫୁଟେଜ ଆଧାରରେ ଗତକାଲି ପୋଲିସ ମଧ୍ୟ ପ୍ରଦେଶରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା । ହେଲେ ପରେ ପୋଲିସ ତାଙ୍କୁ ପଚରାଉଚରା କରି ଛାଡିଦେଇଥିଲା।
ବୁଧବାର ବିଳମ୍ବିତ ରାତିରେ ବଲିଉଡ ଆକ୍ଟର ସୈଫ୍ ଅଲ୍ଲୀ ଖାନ୍ ମୁମ୍ବାଇ ସ୍ଥିତ ଘରେ ପଶି ଜଣେ ଯୁବକ ତାଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅଭିନେତା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୈଫ୍ଙ୍କ ମେରୁଦଣ୍ଡ ହାଡକୁ ଛୁରୀରେ ଆକ୍ରମଣ କରାଯାଇଥିଲା। ତେବେ ଦୁଇଟି ସର୍ଜରୀ ପରେ ଏବେ ଅଭିନେତା ବିପଦମୁକ୍ତ ଅଛନ୍ତି। ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ରୁମ୍କୁ ସିଫ୍ଟ କରାଯାଇଥିଲା। ସେପେଟ ଶନିବାର କରିବା ମଧ୍ୟ ମାମଲାକୁ ନେଇ ନିଜର ବୟାନ ଦେଇଛନ୍ତି। ସେ କହିଛନ୍ତି, ଘରର ମହିଳା ଓ ଶିଶୁଙ୍କୁ ସୈଫ ସୁରକ୍ଷା ଦେଇଥିଲେ। ଏହା ସହ ଅଭିଯୁକ୍ତ ସହ ଏକା ଲଢିଥିଲେ। ଅଭଯୁକ୍ତ ଯଦିଓ କିଛି ଚୋରି କରିନି କିନ୍ତୁ ଖୁବ୍ ଆକ୍ରାମକ ଥିଲା।