ନୂଆଦିଲ୍ଲୀ: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ଆସିବା ପରେ ଏବେ ଚାକିରି କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହେବାରେ ଲାଗିଛି । ଏଆଇ ପୁଣି ଚାକିରି ଛଡ଼େଇ ନେଇଛି । ବିଶ୍ବର ଏକ ବଡ଼ କମ୍ପାନିରେ ଏବେ ଲୋକଙ୍କ ସ୍ଥାନ ନେଇଛି ଏଆଇ।  ଲୋକଙ୍କ ସଂଖ୍ୟା କମାଇ ଏଆଇକୁ କାମରେ ଲଗାଇଛି ଆମେରିକୀୟ ସଫ୍ଟଓ୍ବେର କମ୍ପାନି ସେଲ୍ସଫୋର୍ସ । କମ୍ପାନିର ସିଇଓ ମାର୍କ ବେନିଅଫ୍‌ ୪୦୦୦ ସପୋର୍ଟ ଷ୍ଟାଫ୍‌ (ସହାୟକ କର୍ମଚାରୀ)ଙ୍କୁ ଚାକିରରୁ ବାହାର କରିଛନ୍ତି ।  ପୂର୍ବରୁ ଏହି ପଦରେ ୯୦୦୦ କର୍ମଚାରୀ କାର୍ଯ୍ୟ କରୁଥିଲେ ।  କମ୍ପାନିର ଗ୍ରାହକ ସେବା କାର୍ଯ୍ୟରେ ଥିବା ଲୋକସଂଖ୍ୟା ହ୍ରାସ କରାଯାଇଥିବା ବେଳେ ସେମାନଙ୍କର ସ୍ଥାନ ଏଆଇ ନେଇଛି ବୋଲି ମାର୍କ ବେନିଅଫ କହିଛନ୍ତି । 

ଲୋଗାନ ବାର୍ଟଲେଟ୍‌ଙ୍କ ସହ ଏକ ପୋଡକାଷ୍ଟରେ ମାର୍କ ବେନିଅଫ ଛଟେଇ ସଂପର୍କରେ କହିଛନ୍ତି ।  ସେ କହିଛନ୍ତି, ମୋର ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇପାରିଛି । ମୁଁ କମ୍ପାନିର ସହାୟକ କର୍ମଚାରୀ ବିଭାଗରେ ମୁଣ୍ଡ ସଂଖ୍ୟା କମାଇ ପାରିଛି । ଏହି ବିଭାଗରେ ଏବେ ମୋଟ ୫୦୦୦ ଲୋକ କାମ କରୁଛନ୍ତି । ଅର୍ଥାତ କମ୍ପାନିର ସପୋର୍ଟ ଷ୍ଟାଫ ସେକ୍ସନରେ ୪୫ ପ୍ରତିଶତ ଛଟେଇ କରିଛି ସେଲ୍ସଫୋର୍ସ । ତେବେ ବେନିଅଫଙ୍କ ଏହି କାର୍ଯ୍ୟ, ସେ ପୂର୍ବରୁ ଦେଇଥିବା ମନ୍ତବ୍ୟର ବିଲକୁଲ ଓଲଟା । ଜୁଲାଇ ୨୦୨୫ରେ ବେନିଅଫ୍‌ କହିଥିଲେ, ଏଆଇ ଲୋକଙ୍କ ଚାକିରି ନେଇପାରିବ ନାହିଁ ବରଂ ନିଯୁକ୍ତି ବଢ଼ିବ ।  ଏଆଇ ଆସିବା ଦ୍ବାରା ଛଟେଇ ସଂଖ୍ୟା ବଢ଼ିବ ନାହିଁ ବୋଲି କହିଥିଲେ ବେନିଅଫ୍‌ । 

ଏହା ବ୍ୟତୀତ ଦୁଇ ମାସ ତଳେ ବେନିଅଫ ଏକ ଏଆଇ ଷ୍ଟାର୍ଟଅପ୍‌ର ସିଇଓ ଆନଥ୍ରୋପିକ୍‌ ଡାରିଓଙ୍କୁ ସମାଲୋଚନା କରିଥିଲେ । ଏଆଇ ଯୋଗୁ ବହୁ କର୍ମଚାରୀ ଚାକିରି ହରାଇବେ ବୋଲି ପୂର୍ବାନୁମାନ କରିଥିଲେ ଡାରିଓ ।  ବେନିଅଫ କହିଥିଲେ, ଏଆଇ ଦ୍ବାରା ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ, କିନ୍ତୁ ଏଆଇ କର୍ମଚାରୀଙ୍କ ସ୍ଥାନ ନେଇପାରିବ ନାହିଁ । ଏଆଇ ତଥ୍ୟର ଯାଞ୍ଚ କରିପାରିବ ନାହିଁ, କାରଣ ଏଥିରେ ସେହିଭଳି ସଠିକତା ନାହିଁ ବୋଲି ମଧ୍ୟ ସେ କହିଥିଲେ । କିନ୍ତୁ ଦୁଇ ମାସ ପରେ ଏଆଇକୁ ଅସ୍ତ୍ର କରି ନିଜ କମ୍ପାନିରୁ ୪୦୦୦ କର୍ମଚାରୀଙ୍କୁ ଚାକିରିରୁ ତଡ଼ି ଦେଇଛନ୍ତି ମାର୍କ ବେନିଅଫ୍‌ ।