ମୁମ୍ବାଇ, ୦୭/୦୮: ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ସହିତ ଡେବ୍ୟୁ । ଟମ୍ ଇଣ୍ଡିଆ ପାଇଁ ସାଙ୍ଗରେ ଖେଳିଥିଲେ ମ୍ୟାଚ୍ ।  ହେଲେ ସମୟ କାହାକୁ ନେଇ କେଉଁଠି ପହଞ୍ଚାଇବ ତାହା ଆକଳନ କରିବା ମୁସ୍କିଲ୍ । କାରଣ ଟିମ୍ ଇଣ୍ଡିଆ ପୂର୍ବତନ କ୍ରିକେଟ ତଥା ପୂର୍ବତନ ଜାତୀୟ ଟିମର ଚୟନକର୍ତ୍ତା ସଲିଲ ଆଙ୍କୋଲଙ୍କ ପତ୍ନୀ ତାଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ସଲିଲ ଏବେ ଗୁରୁତର ଭାବେ ଡିପ୍ରେସନରେ ଜୁଝି ହେଉଛନ୍ତି । ଚିକିତ୍ସା ପାଇଁ ତାଙ୍କ ପୁଣେ ସ୍ଥିତ ଏକ ସେଲଟର ହୋମରେ ଭର୍ତ୍ତି କରାଯାଇଛି । ଅକ୍ଟୋବର ୨୦୨୪ରେ ମା’ଙ୍କ ଦେହାନ୍ତ ପରେ ସଲିଲ ଗଭୀର ମାନସିକ ଚାପରେ ଥିଲେ । ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି । ମାଆଙ୍କ ମୃତ୍ୟୁ ଦୁଃଖରୁ ବାହାରି ପାରୁନାହାନ୍ତି । ଯାହା ଫଳରେ  ତାଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଛନ୍ତି ବୋଲି ପତ୍ନୀ କହିଛନ୍ତି ।

ପତ୍ନୀ ରିଆ ଅଙ୍କୋଲା ଆହୁରି ମଧ୍ୟ କହିଛନ୍ତି ଯେ, ସଲିଲ ଧୀରେ ଧୀରେ ସୁସ୍ଥ ହେଉଛନ୍ତି, ନିୟମିତ ବ୍ୟାୟାମ କରୁଛନ୍ତି ଏବଂ ଖୁବଶୀଘ୍ର କ୍ରିକେଟ୍ ଜଗତକୁ ଫେରିବେ। ପରିବାର ଏବଂ କ୍ରିକେଟ୍ ଜଗତ ଏହି ସମୟରେ ସଲିଲଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି । ସଲିଲଙ୍କୁ ନେଇ ଆଉ ଏକ ବଡ଼ ଖୁଲାସା କରିଛନ୍ତି ପତ୍ନୀ । ସେ କହିଛନ୍ତି ପ୍ରାୟ ଦୁଉ ଦଶକ ପୂର୍ବରୁ ଅତ୍ୟଧିକ ମଦ୍ୟପାନ କାରଣକୁ ତାଙ୍କୁ ସେଲଟର ହୋମରେ ରଖା ଯାଇଥିଲା । କିନ୍ତୁ ଏଥର ମାମଲା କେବଳ ଡିପ୍ରେସନ୍‌ ସହିତ ସମ୍ବନ୍ଧିତ, କାରଣ ସେ ବହୁ ପୂର୍ବରୁ ମଦ୍ୟପାନକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଛନ୍ତି ।

ସଲିଲ ଜାନୁଆରୀ ୨୦୨୩ରୁ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ଜାତୀୟ ଚୟନକର୍ତ୍ତା ଥିଲେ। ଏହା ପୂର୍ବରୁ ସେ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ । ୫୮ ବର୍ଷୀୟ ଅଙ୍କୋଲା ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟ୍ ଏବଂ ଆଇପିଏଲରେ କମେଣ୍ଟ୍ରି କରୁଥିଲେ।

ସଲିଲ ଅଙ୍କୋଲା ୧୯୮୯ରେ କରାଚିରେ ପାକିସ୍ତାନ ବିରୋଧରେ ନିଜର ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଉକ୍ତ ମ୍ୟାଚରେ ସଚିନ ତେନ୍ଦୁଲକର ଏବଂ ୱାକାର ୟୁନିସ୍‌ ମଧ୍ୟ ଡେବ୍ୟୁ କରିଥିଲେ। ସେ ୨୦ଟି ଦିନିକିଆ ମ୍ୟାଚ ଖେଳି ୧୩ଟି ଓ୍ବିକେଟ୍ ଏବଂ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୮୧ଟି ଓ୍ବିକେଟ ନେଇଥିଲେ ସଲିଲ୍ ।

୧୯୯୭ରେ ତାଙ୍କ ଦେଶ ଅସୁସ୍ଥ ହୋଇଥିଲା । ଟ୍ୟୁମର ହେବାରୁ ମାତ୍ର ୨୮ ବର୍ଷ ବୟସରେ କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ । ପରେ ସେ ଅଭିନୟ ଜଗତକୁ ପ୍ରବେଶ କରି ଅନେକ ଟିଭି ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତେବେ ତାଙ୍କର ଫିଲ୍ମ କ୍ୟାରିୟର ବିଶେଷ ସଫଳ ହୋଇନଥିଲା। ପରବର୍ତ୍ତୀ ସମୟରେ ସେ କମେଣ୍ଟ୍ରି ଓ କୋଚିଂ ଦିଗକୁ ମୁହାଁଥିଲେ । କିନ୍ତୁ ସେଠାରେ ମଧ୍ୟ ଆଶା ଜନକ ସଫଳତା ପାଇପାରିନଥିଲେ।

ଅଧିକ ପଢନ୍ତୁ- କ୍ରିକେଟ୍ ପ୍ରେମୀ ନିରାଶ: ଭାରତ-ପାକିସ୍ତାନ କ୍ରୀଡା ସମ୍ପର୍କରେ ଭଟ୍ଟା ! ଦ୍ବିପାକ୍ଷିକ ସିରିଜକୁ ମିଳିବନି ଅନୁମତି