ନୂଆଦିଲ୍ଲୀ ୦୨/୦୪: ଖୁବ୍ଶୀଘ୍ର ବଡ଼ ପରଦାକୁ ଆସିବେ ବଲିଉଡ୍ର ଦବଙ୍ଗ ଷ୍ଟାର୍ ଓ ସାଉଥ୍ ସୁପରଷ୍ଟାର୍ ନୟନତାରା । ଦିଲ ରାଜୁଙ୍କ ପ୍ରଯୋଜିତ ଫିଲ୍ମରେ ଉଭୟ ପ୍ରଥମ ଥର ସ୍କ୍ରିନ୍ ଶେୟାର କରିବେ । ସଦ୍ୟ ରିପୋର୍ଟରେ ଦାବି ହୋଇଛି, ଫିଲ୍ମ ପାଇଁ ସଲମାନ ଆଦୌ ପାରିଶ୍ରମିକ ନେବେ ନାହିଁ । ଅର୍ଥାତ୍ ଫିଲ୍ମରୁ ସଲମାନଙ୍କ ଆୟ ତା’ର ବକ୍ସ ଅଫିସ୍ ବ୍ୟବସାୟ ଉପରେ ନିର୍ଭର କରିବ । ଲାଭରେ ତାଙ୍କ ଅଂଶ ବିଷୟରେ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ । ଫିଲ୍ମର ନିର୍ଦ୍ଦେଶକ ଭାମ୍ସି ପେଡପାଲ୍ଲୀ । ସଲମାନ ପ୍ରଥମ ଥର ତାଙ୍କ ନିର୍ଦ୍ଦେଶନାରେ କାମ କରିବେ । ଖାସ୍ କଥା ହେଉଛି ଫିଲ୍ମ ପାଇଁ ନୟନତାରା ୧୦ କୋଟି ପାରିଶ୍ରମିକ ନେବେ । ତେବେ ଏ ନେଇ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ସ୍ପଷ୍ଟ ହୋଇନାହିଁ ।
୨୦୨୩ରେ ଫିଲ୍ମ ‘ଯୱାନ’ ଜରିଆରେ ନୟନତାରା ହିନ୍ଦୀ ସିନେମାରେ ପାଦ ଥାପିଥିଲେ । ଫିଲ୍ମରେ ସେ ଶାହରୁଖଙ୍କ ପ୍ରେମିକା ଭାବେ ପରଦାକୁ ଆସିଥିଲେ । ଏଥର ସଲ୍ଲୁଙ୍କ ଅପୋଜିଟ୍ରେ ତାଙ୍କର ଶକ୍ତିଶାଳୀ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଚର୍ଚ୍ଚା ହେଉଛି । ଭାମ୍ସି ନିଜ ଫିଲ୍ମର ମୁଖ୍ୟ କଳାକାରଙ୍କ ପାଇଁ ପ୍ରଭାବଶାଳୀ ଭୂମିକା ଲେଖିବା ପାଇଁ ବେଶ ପରିଚିତ । ଗତ ୩୦ ତାରିଖରେ ସଲମାନ ଭାମ୍ସିଙ୍କ ସହ ଏକ ଫଟୋ ଶେୟାର କରିଥିଲେ । ଏଥିସହ କ୍ୟାପ୍ସନ ଲେଖିଥିଲେ, ଫିଲ୍ମ ଏପ୍ରିଲରେ ସୁଟିଂ ଫ୍ଲୋର୍କୁ ଆସିବ । ଆସନ୍ତା ବର୍ଷ ଏହା ମୁକ୍ତିଲାଭ କରିବ । ତେବେ ଏହାର ଟାଇଟଲ୍ ଘୋଷଣା ହୋଇନାହିଁ । ସଲମାନ ଏବେ ନିଜର ଅପ୍କମିଙ୍ଗ ୱାର୍ ଡ୍ରାମା ‘ମାତୃଭୂମି’କୁ ନେଇ ବ୍ୟସ୍ତ ଅଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ଲଖିୟା । ଏଥିରେ ତାଙ୍କ ଅପୋଜିଟ୍ରେ ସ୍କ୍ରିନ୍ ଶେୟାର କରିଛନ୍ତି ଚିତ୍ରାଙ୍ଗଦା ସିଂହ ।
ଆହୁରି ପଢ଼ନ୍ତୁ...‘ଧୁରନ୍ଧର-୨’କୁ ନେଇ ବଡ଼ କଥା କହିଦେଲେ ମିଥୁନ୍ ଚକ୍ରବର୍ତ୍ତୀ