ମୁମ୍ୱାଇ, ୯।୪: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଜନପ୍ରିୟ ନିର୍ଦ୍ଦେଶକ ଏଟ୍ଲୀଙ୍କ ଆଗାମୀ ଫିଲ୍ମ 'ରାକା'ର ଫାଷ୍ଟ ଲୁକ୍ ପୋଷ୍ଟର ଏବେ ଇଣ୍ଟରନେଟ୍ ସେନସେସନ୍ ପାଲଟିଛି । ଏହି ପୋଷ୍ଟରରେ ଅଲ୍ଲୁ ଅର୍ଜୁନଙ୍କ ଏକ ଭୟଙ୍କର 'ୱେୟାରଉଲଫ୍' ଅବତାର ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ନେଇ ଶାହରୁଖ ଖାନ୍ଙ୍କ ଏକ ପୋଷ୍ଟ ଏବେ ଉଭୟ ଚର୍ଚ୍ଚା ଏବଂ ବିବାଦ ସୃଷ୍ଟି କରିଛି । ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଶାହରୁଖ ଖାନ୍ ଏକ୍ସରେ ଫିଲ୍ମର ପୋଷ୍ଟର ସେୟାର କରି ଶୁଭେଚ୍ଛା ଜଣାଇଥିଲେ । ସେ ଲେଖିଥିଲେ, "ହାପି ବର୍ଥଡେ ଅଲ୍ଲୁ ଅର୍ଜୁନ । ଏହି ପୋଷ୍ଟରଟି ଆପଣଙ୍କ ଭଳି ଅତ୍ୟନ୍ତ ଆକର୍ଷଣୀୟ । ଏଟ୍ଲୀଙ୍କ ଭାଷାରେ କହିଲେ, ଏହା ସମ୍ପୂର୍ଣ୍ଣ 'ମାସ୍' ହେବାକୁ ଯାଉଛି । 'ରାକା' ପାଇଁ ମୁଁ ବହୁତ ଉତ୍ସାହିତ ।" ଏହାର ଉତ୍ତରରେ ଅଲ୍ଲୁ ଅର୍ଜୁନ ମଧ୍ୟ ଶାହରୁଖଙ୍କୁ 'ସାର୍' ସମ୍ବୋଧନ କରି ତାଙ୍କ ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ... ୧୮ ବର୍ଷରେ ବିବାହ, ୨୦ରେ ମା’ ଓ ପରେ ଛାଡ଼ପତ୍ର; ଏବେ ନିଜଠୁ ୮ ବର୍ଷ ସାନ ଯୁବକଙ୍କ ସହ ଖୁସିରେ ଅଛନ୍ତି ତନାଜ୍
କାହିଁକି ଟ୍ରୋଲ୍ ହେଲେ ବାଦଶାହ ?
ଫିଲ୍ମକୁ ପ୍ରମୋଟ୍ କରିବା ସତ୍ତ୍ୱେ ଶାହରୁଖଙ୍କୁ ସୋସିଆଲ ମିଡିଆରେ କିଛି ଲୋକ କଡ଼ା ସମାଲୋଚନା କରିଛନ୍ତି । ଏହାର କିଛି ପ୍ରମୁଖ କାରଣ ହେଉଛି, ଅନେକ ୟୁଜର ଅଭିଯୋଗ କରିଛନ୍ତି ଯେ, ଶାହରୁଖ ପ୍ରାୟ ସବୁ ଫିଲ୍ମକୁ ପ୍ରମୋଟ୍ କରନ୍ତି କିମ୍ବା ରିଭ୍ୟୁ ଲେଖନ୍ତି, କିନ୍ତୁ ନିକଟରେ ମୁକ୍ତିଲାଭ କରିଥିବା ବଡ଼ ଫିଲ୍ମ 'ଧୁରନ୍ଧର' ବିଷୟରେ ସେ ପଦଟିଏ ବି କହିନାହାନ୍ତି । ସାଧାରଣ ଜନତା ଏବଂ କିଛି ସମାଲୋଚକଙ୍କ ମତରେ, ଶାହରୁଖ କେବଳ ବଡ଼ ବ୍ୟାନର କିମ୍ବା ନିଜର ଘନିଷ୍ଠ ବନ୍ଧୁ (ଯେମିତିକି ଏଟ୍ଲୀ)ଙ୍କ ଫିଲ୍ମକୁ ହାଇପ୍ ଦିଅନ୍ତି, କିନ୍ତୁ ଅନ୍ୟ ପ୍ରତିଭାବାନ ସିନେମାକୁ ଅଣଦେଖା କରନ୍ତି ।
ପ୍ରଶଂସକଙ୍କ ପ୍ରତିକ୍ରିୟା:
ଶାହରୁଖଙ୍କ ପୋଷ୍ଟ କମେଣ୍ଟ ବକ୍ସରେ ଟ୍ରୋଲ୍ସଙ୍କ ଭିଡ଼ ଜମିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରୁଛନ୍ତି । ସେମାନଙ୍କ କହିବା କଥା ହେଉଛି, କେଉଁ ଫିଲ୍ମକୁ ସେୟାର କରିବେ ବା ନାହିଁ, ତାହା ଶାହରୁଖଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ପୂର୍ବରୁ ଗୁଜବ ଉଠିଥିଲା ଯେ, ଶାହରୁଖ ନିଜେ ଏହି ଫିଲ୍ମର ଟିଜର ଲଞ୍ଚ କରିବେ । ଟିଜର ରିଲିଜ୍ ନହେଲେ ମଧ୍ୟ ଶାହରୁଖଙ୍କ ଏହି ପୋଷ୍ଟ ପ୍ରମାଣିତ କରିଛି ଯେ, ଏହି ମେଗା-ପ୍ରୋଜେକ୍ଟ ସହିତ ତାଙ୍କର ଏକ ବିଶେଷ ସମ୍ପର୍କ ରହିଛି । ଅଲ୍ଲୁ ଅର୍ଜୁନଙ୍କ 'ରାକା' ନିଶ୍ଚିତ ଭାବେ ବଡ଼ ପରଦାରେ ଧମାକା କରିବ, କିନ୍ତୁ ଶାହରୁଖଙ୍କ ପାଇଁ ଏହି ପ୍ରମୋସନ୍କୁ ଅଧିକାଂଶ ସୋସିଆଲ ମିଡିଆ ୟୁଜର୍ସ ଟ୍ରୋଲ୍ କରିଛନ୍ତି ।