ମୁମ୍ବାଇ,୧୭/୬ : ବଲିଉଡ଼ର ଭାଇଜାନ ତଥା ସଲମାନ ଖାନ୍ । ବଡ଼ ପରଦାରେ ଗୋଟିଏ ଝଲକ ପାଇବାକୁ ଫ୍ୟାନ୍ସ ପାଗଳ ହୁଅନ୍ତି । ସିନେମାକୁ ଫ୍ୟାନ୍ସ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ସଲମାନ ଖାନ ପ୍ରଥମ ଥର ଜଣାଶୁଣା ନିର୍ଦ୍ଦେଶକ ଫରହାନ ଅଖତାରଙ୍କ ସହ ହାତ ମିଳାଇଛନ୍ତି । ଉଭୟଙ୍କ ମଧ୍ୟରେ ଏକ ଗ୍ରାଣ୍ଡ‘ପିରିୟଡ଼ ଡ୍ରାମା’ ଫିଲ୍ମକୁ ନେଇ କଥା ଚାଲିଛି ।

ଏକ ରିପୋର୍ଟ ଅନୁସାରେ, ସଲମାନ ଏକ ପିରିୟଡ଼ ଡ୍ରାମା ଫିଲ୍ମକୁ ନେଇ ଫରହାନ ଅଖତାରଙ୍କ ସହ କଥା ହୋଇଛନ୍ତି । ଯାହା ଜନୈକ ଲୋକପ୍ରିୟ ଭାରତୀୟ କ୍ରିକେଟରଙ୍କ ଉପରେ ଆଧାରିତ । ଉଭୟଙ୍କ ମଧ୍ୟରେ ଗତ ଏକ ମାସରୁ ଅଧିକ ସମୟ ହେବ କଥାବାର୍ତ୍ତା ଚାଲୁଛି । ସଲମାନ ଏବଂ ଫରହାନ ବାରମ୍ବାର ବୈଠକ କରୁଛନ୍ତି ଏବଂ ଏହି ପ୍ରୋଜେକ୍ଟ ଉପରେ କାମ କରିବା ଲାଗି ଉତ୍ସାହିତ ଅଛନ୍ତି ।

ରିପୋର୍ଟରେ କୁହାଯାଇଛି କି ସଲମାନଙ୍କୁ ଫିଲ୍ମର କାହାଣୀ ବହୁତ ପସନ୍ଦ ଆସିଛି । ଏବେ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି । ଏବେ ପେପରଓ୍ବାର୍କ ପର୍ଯ୍ୟନ୍ତ ପହଞ୍ଚିଛି । ଏହି ଫିଲ୍ମକୁ ବଡ଼ ସ୍କେଲରେ ନିର୍ମାଣ କରାଯାଉଛି। ସଲମାନ ଏବଂ ଫରହାନଙ୍କ ଏହି ଫିଲ୍ମ ଦୁଇଟି ପାର୍ଟରେ ରିଲିଜ ହେବ । ଏହି ଫିଲ୍ମକୁ ଫରହାନ ଏବଂ ରିତେଶ ସିଧଓ୍ବାନୀଙ୍କ କମ୍ପାନୀ‘ଏକ୍ସେଲ ଏଣ୍ଟରଟେନମେଣ୍ଟ’ ନିର୍ମାଣ କରିବ ଏବଂ ଏହାର ସୁଟିଂ ୨୦୨୭ର ଗରମ ଦିନରେ ହେବ ବୋଲି ଅନୁମାନ କରାଯାଉଛି।

ଯଦି ଆମେ ଦେଖିବା ଫରହାନ ଅଖତାର ଗତ କିଛି ଦିନରୁ ନିଜ ଅପକମିଂ ଫିଲ୍ମ ‘ଡନ୍ ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ରଣବୀର ସିଂହ ଅଚାନକ ଏହି ଫିଲ୍ମରୁ ବାହାରି ଯାଇଛନ୍ତି । ଯାହା ପରେ ସୋସିଆଲ ମିଡ଼ିଆରେ ବହୁ ହଙ୍ଗାମା ହୋଇଛି । କୁହାଯାଉଛି କି ଏବେ ହ୍ରିତିକ ରୋଶନ ‘ଡନ୍ ୩’ରେ ରଣବୀରଙ୍କ ସ୍ଥାନ ନେଇପାରନ୍ତି ।