ମୁମ୍ବାଇ ୨୫/୦୭: ଆସନ୍ତା ଅଗଷ୍ଟ ୩୦ରୁ ଜିଓ ହଟ୍‌ଷ୍ଟାର୍‌ରେ ଆରମ୍ଭ ହୋଇପାରେ ରିୟଲିଟି ଶୋ’ ବିଗ୍‌ ବସ୍‌-୧୯ । ଏଥର ଶୋ’ର ନୂଆ ଏପିସୋଡ୍‌ ପ୍ରଥମେ ଓଟିଟିରେ ଆସିବ । ପ୍ରାୟ ଦେଢ଼ ଘଣ୍ଟା ପରେ କଲର୍ସ ଟିଭିରେ ପ୍ରସାରିତ ହେବ । ଏ ଥର ସିଜନ୍‌ ପୂର୍ବାପେକ୍ଷା ଅଧିକ ଲମ୍ବା ହେବ, ଅର୍ଥାତ୍‌ ୫ ମାସ ଧରି ଚାଲିବ ବୋଲି ଚର୍ଚ୍ଚା ହେଉଛି । ପ୍ରଥମ ୩ ମାସ ସଲମାନ ଖାନ୍‌ ଶୋ’ ସଂଚାଳନା କରିବେ । ଶେଷ ୨ ମାସ ଅତିଥିମାନେ ସଂଚଳାନା କରିବେ । ଫରାହ ଖାନ୍‌, କରନ ଜୋହର ଓ ଅନିଲ କପୁରଙ୍କ ଭଳି ଷ୍ଟାର୍‌ ଅତିଥି ହୋଷ୍ଟ୍‌ ଭାବେ ଦେଖିବାକୁ ମିଳିପାରନ୍ତି । 

ରିପୋର୍ଟ ଅନୁସାରେ, ସଲମାନ ଏ ସିଜନ୍‌ରେ ୧୫ ସପ୍ତାହ ହୋଷ୍ଟ୍‌ କରିବେ । ପ୍ରତି ସପ୍ତାହ ତାଙ୍କୁ ୮-୧୦ କୋଟି ଟଙ୍କା ପାରିଶ୍ରମିକ ମିଳିବ । ମୋଟାମୋଟି ତାଙ୍କ ପାରିଶ୍ରମିକ ୧୨୦-୧୫୦ କୋଟି ହୋଇପାରେ । ଏହା ପୂର୍ବରୁ ବିଗ୍‌ ବସ୍‌-୧୮ ପାଇଁ ସଲମାନ ୨୫୦ କୋଟି ଏବଂ ବିଗ୍‌ ବସ୍‌୧୭ ପାଇଁ ୨୦୦ କୋଟି ଟଙ୍କା ନେଇଥିଲେ । ଏହି ଦୁଇ ସିଜନ୍‌ ଟିଭିରେ ପ୍ରସାରିତ ହୋଇଥିଲା । ଅନ୍ୟପକ୍ଷେ, ବିଗ୍‌ ବସ୍‌ ଓଟିଟି-୨ ପାଇଁ ତାଙ୍କ ପାରିଶ୍ରମିକ ୯୬ କୋଟି ଟଙ୍କା ଥିଲା । ଏ ଥର ଓଟିଟିରେ ପ୍ରାଇମେରୀ ଷ୍ଟ୍ରିମିଂ ଯୋଗୁ ଶୋ’ର ବଜେଟ୍‌ ପୂର୍ବାପେକ୍ଷା କମ୍‌ ରଖାଯାଇଛି । 

ଶୋ’ ପ୍ରଥମେ ଓଟିଟି, ତା’ପରେ ଟିଭିରେ ରିଲିଜ୍‌ ହେଉଥିବାରୁ ସଲମାନଙ୍କ ପାରିଶ୍ରମିକ ବିଗ୍‌ ବସ୍‌ ଓଟିଟି-୨ଠୁ ଅଧିକ, କିନ୍ତୁ ଟିଭି ସଂସ୍କରଣଠୁ କମ୍‌ । ତେବେ ପ୍ରତିଯୋଗୀଙ୍କ ନାଁ ଅଦ୍ୟାବଧି ଘୋଷଣା ହୋଇନାହିଁ । ତଥାପି ପ୍ରାୟ ୨୦ ସେଲିବ୍ରିଟିଙ୍କ ନାଁ ଚର୍ଚ୍ଚାରେ ଅଛି । ତନ୍ମଧ୍ୟରେ ଗୌତମ କପୁର, ଧୀରଜ ଧୂପର, ଅଲିଶା ପନ୍‌ୱାର, ଖୁସି ଦୁବେ, ଗୌରବ ତନେଜା, ମିଷ୍ଟର୍‌ ଫୈସୁ, ଅପୂର୍ବା ମୁଖିଜା, ପୂରବ ଝା, ଗୌରବ ଖାନ୍ନା, ଧନଶ୍ରୀ ବର୍ମା, ଶ୍ରୀରାମ ଚନ୍ଦ୍ରା, ଅର୍ଶିଫା ଖାନ୍‌ ଓ ମକ୍କି ମେକ୍‌ଓଭରଙ୍କ ନାଁ ସାମିଲ ।