ଭୁବନେଶ୍ବର : ଗୃହରେ ବଜେଟ ଉପସ୍ଥାପନ ଆରମ୍ଭରୁ ବନ୍ଦେ ମାତରମ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ବଜେଟ ପେଡି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାର ବିକାଶଧାରାକୁ ଆଗକୁ ନେବା ପାଇଁ ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ବର୍ଷ ତୁଳନାରେ ଏହି ବଜେଟର ଆକାର ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିର ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ମହିମାର ସଂରକ୍ଷଣ ଓ ସଂବର୍ଦ୍ଧନ ଆମର ପବିତ୍ର କର୍ତ୍ତବ୍ୟ। ଏହି ପ୍ରତିବଦ୍ଧତା ସହିତ ଆମ ସରକାର ପୁରୀରେ ପ୍ରାୟ ୧ ହଜାର କୋଟି ବ୍ୟୟ ଅଟକଳରେ ଏକ ବିଶ୍ବସ୍ତରୀୟ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ, ପ୍ରମୋଦ ଉଦ୍ୟାନ ଏବଂ ଐତିହାସିକ ରଘୁନନ୍ଦନ ପାଠାଗାରର ଆଧ୍ୟାତ୍ମିକ ଗୌରବକୁ ପୁନରୁଦ୍ଧାର କରାଯିବ।

ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ପାଇଁ “ସମର୍ପଣ” ନାମରେ ଏକ ସୁରକ୍ଷିତ ଅନଲାଇନ ଦାନ ପ୍ଲାଟ ଫର୍ମ “ଡିଜିଟାଲ ହୁଣ୍ଡି” ପ୍ରଚଳନ ହେବ। ଏହି ପ୍ଲାଟଫର୍ମ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହିତ ସମନ୍ନିତ ଏକ ଏକୀକୃତ ପ୍ରବେଶପଥ ମାଧ୍ୟମରେ ଭାରତ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହିତ ସଂଯୋଗ କରିବ ।