ସମ୍ବଲପୁର ୦୬/୧୨: ମନଲୋଭା ଦୃଶ୍ୟ । ମନରୋମ ପରିବେଶ । ଝରଣାର କୁଳୁକୁଳୁ ଶବ୍ଦ । ହୀରାକୁଦର ସୁଦୀର୍ଘ ନୀଳ ଜଳରାଶି । ଆଉ ଜୈବ ବିବିଧତାରେ ପରିପୂର୍ଣ୍ଣ ଡେବ୍ରିଗଡରେ ରାତି ରହିବାର ସ୍ୱର୍ଗୀୟ ଅନୁଭବ । ପର୍ଯ୍ୟଟକଙ୍କୁ ଆନମନା କରେ । ଖାଲି ପ୍ରକୃତି ନୁହେଁ, ଶକ୍ତି ପୀଠ ଓ ମହାଦେବଙ୍କ ବକ୍ର ମନ୍ଦିର ଲୋକଙ୍କୁ ଦୂରଦୂରାନ୍ତରୁ ଟାଣିଆଣେ । ରାଜ୍ୟର ଦ୍ୱିତୀୟ ଚିଡ଼ିଆଖାନା ଓ ଉଷାକୋଠୀ ଅଭୟାରଣ୍ୟରେ ବୁଲିବାର ମଜା ବି ନିଆରା । କଳା ସଂସ୍କୃତି ସହ ଇତିହାସର ଗାଥା ବଖାଣେ ଭୀମ ଭୋଇ ଜନ୍ମ ସ୍ଥାନ କନ୍ଦରା, ବୀର ସୁରେନ୍ଦ୍ର ସାଏ ଜନ୍ମ ସ୍ଥାନ ଖିଣ୍ଡା ଏବଂ ଭୀମଖୋଜ । ଏବେ ପର୍ଯ୍ୟଟକଙ୍କ ନୂଆ ଠିକଣା ପାଲଟିଛି ଇତିହାସ ଗର୍ଭରୁ ହଜିଯାଇଥିବା କୁଦୋପାଲି । ପ୍ରକୃତି, ଭକ୍ତି, କଳା ସଂସ୍କୃତି ଏବଂ ଐତିହାସିକ ଜିଲ୍ଲା ସମ୍ବଲପୁରର ପର୍ଯ୍ୟଟନ ସମ୍ଭାର ଅପାର। (ରିପୋର୍ଟ: ଯଜ୍ଞଦତ୍ତ ଜ୍ୟୋତିଷ ଅଳଙ୍କରଣ: ସଞ୍ଜୟ ଡାଳୁଆ)
ହୀରାକୁଦ ଡ୍ୟାମ୍
- ସମ୍ବଲପୁରରୁ ଦୂରତା: ୧୨ କିଲୋମିଟର
- ଡାଇକ୍ବୁଲିବା ସ୍ଥାନ: ୨ ପାର୍ଶ୍ବ
- ଆକର୍ଷଣ: ୱାଟରସ୍ପୋର୍ଟସ୍, ଇକୋରିଟ୍ରିଟ୍
- ପିକନିକ୍ ପଏଣ୍ଟ: ଜିରୋ ପଏଣ୍ଟ(ବୁର୍ଲା)
ସମ୍ବଲପୁରକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ମୁହଁରେ ଗୋଟିଏ ନାଁ ‘ହୀରାକୁଦ’ । ସ୍ୱାଧୀନତା ପାଇବା ପରେ ଆରମ୍ଭ ହୋଇଥିବା ଏହି ବିଶାଳ ନଦୀବନ୍ଧକୁ ନେଇ ଲୋକଙ୍କ ମନରେ ଉତ୍ସାହ ଯେତିକି ଦେଖିବା ଓ ଜାଣିବାର ଆକାଂକ୍ଷା ଢ଼େର ଅଧିକ । ୨ ସହର ବୁର୍ଲା ଓ ହୀରାକୁଦକୁ ବାନ୍ଧି ରଖିଥିବା ଏହି ନଦୀବନ୍ଧ ପର୍ଯ୍ୟଟନ ପାଇଁ ନୂଆଁ ଆଶା ସୃଷ୍ଟି କରିଛି । ଗାନ୍ଧୀ ଓ ନେହେରୁ ମୀନାର ଉପରୁ ନଦୀବନ୍ଧକୁ ଦେଖିଲେ ପ୍ରକୃତି ସୃଜନ କେତେ ମନଲୋଭା ତାହା ଜଣାପଡ଼େ । ଜବାହାର ଉଦ୍ୟାନରୁ ଗାନ୍ଧୀ ମୀନାର ପର୍ଯ୍ୟନ୍ତ ରୋପ୍ ୱେରେ ବୁଲିବା ଅନୁଭୂତି ନିଆରା ।
ନଦୀ ବନ୍ଧର ୨ କଡ଼ର ଡାଇକ୍ରେ ସନ୍ଧ୍ୟା ଭ୍ରମଣ ଅଭିଭୂତ କରିଥାଏ । ଡ୍ୟାମର କଡ଼ର ସୁଲୁସୁଲିଆ ପବନ ଓ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ପର୍ଯ୍ୟଟକଙ୍କୁ ବିଭୋର କରେ । ହେଲେ ୨ ପଟରେ ଥିବା କୌତଳହପୂର୍ଣ୍ଣ ଜଳକ୍ରୀଡ଼ାର ମଜା ନେବାକୁ ନିୟମିତ ଭିଡ଼ ଲାଗିଥାଏ । ଜଳଭଣ୍ଡାରର ନୀଳ ଜଳରାଶିରେ ପାରାସେଲିଂ, ବୋଟିଂ, କାଏକିଂ ପର୍ଯ୍ୟଟକଙ୍କ ମନ ଜିଣେ । ବାମ ପାଶ୍ୱର୍ର ଡାଇକ୍ରେ ଥିବା ଇକୋ ରିଟ୍ରିଟ୍ରେ ରହିବାର ସ୍ମୃତି ଅଭୁଲା ହୋଇରହିବ । ଏଥିରେ ରହିବାକୁ ହେଲେ ଆଗୁଆ ଅନଲାଇନ୍ରେ ବୁକିଂ କରିବାକୁ ପଡ଼ିଥାଏ । ପର୍ଯ୍ୟଟନ ଋତୁ ଆସିଲେ ଜିରୋ ପଏଣ୍ଟରେ ପିକନିକ୍ ପାଇଁ ନାହିଁ ନଥିବା ଭିଡ଼ ଲାଗୁଛି । ବୁର୍ଲା ପଟର ଡାଇକ୍ ଅଞ୍ଚଳରେ ଶୀତ ଋତୁ ଆରମ୍ଭରୁ ବଣଭୋଜି ପାଇଁ ସତେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଏ । ପ୍ରକୃତିର ବିଭବ ସହ ଭାରତୀୟ ବୈଷୟିକ ଜ୍ଞାନକୌଶଳର ଜ୍ୱଳନ୍ତ ସୃଷ୍ଟି ହୀରାକୁଦରେ ହିଁ ରହିଛି । ଯାହାକୁ ଦେଖିବାକୁ ନିୟମିତ ଭାବେ ହଜାର ହଜାର ପର୍ଯ୍ୟଟକ ଛୁଟି ଆସିଥା’ନ୍ତି ।
ସମ୍ବଲପୁର ଚିଡ଼ିଆଖାନା
- ସମ୍ବଲପୁରରୁ ଦୂରତା: ୩ କିଲୋମିଟର୍
- ବୁଲିବା ସ୍ଥାନ: ଚିଡ଼ିଆଖାନା, ଚିଲ୍ଡ୍ରେନ୍ସ ପାର୍କ
- ଆକର୍ଷଣ: ଖୁଆଡ଼ରେ ଥିବା ବନ୍ୟପ୍ରାଣୀ
ରାଜ୍ୟରେ ଦ୍ୱିତୀୟ ଚିଡ଼ିଆଖାନା ସମ୍ବଲପୁର ସହରରେ ରହିଛି । ଚିଡ଼ିଆଖାନାର ନାଁ ପରିବର୍ତ୍ତନ ପରେ ଏବେ ଏହାର ନବକଳବର କରାଯାଇଛି । ଚିଡ଼ିଆଖାନାରେ ୩୦ଟି ପ୍ରଜାତିର ବନ୍ୟପ୍ରାଣୀ ରଖାଯାଇଛି । ମୋତିଝରଣ ପାହାଡ଼ ଉପରେ ଥିବା ଏହି ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ୧୯୮୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ୧୩ ହେକ୍ଟର ଅଞ୍ଚଳକୁ ବ୍ୟାପ୍ତ । ଏଥିରେ ଏବେ ୨୭ଟି ଏନ୍କ୍ଲୋଜର ଥିବା ବେଳେ ୧୮ଟି ପ୍ରଜାତିର ୩୪୦ରୁ ଅଧିକ ପ୍ରାଣୀ ଅଛନ୍ତି । ୪ ହେକ୍ଟର ଜାଗାରେ ଗୋଟିଏ ବିରାଟ ବଟାନିକାଲ୍ ଗାର୍ଡେନ କରାଯାଇଛି । ଯେଉଁଥିରେ ୬ ହଜାରରୁ ଅଧିକ ପ୍ରଜାତିର ବୃକ୍ଷ ରହିଛି । ସେହିଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଠାରେ କ୍ୟାଫେଟେରିଆ, ପିଇବା ପାଣି, ଶୌଚାଳୟ, ପାର୍କିଂ ସୁବିଧା ହୋଇଛି । ଛୋଟ ପିଲାଙ୍କ ପାଇଁ ଚିଲ୍ଡ୍ରେନସ୍ ପାର୍କ ମଧ୍ୟ ଖୋଲାଯାଇଛି । ଆଗକୁ ମହାବଳ ଓ କୁମ୍ଭୀର ସହ ନୀଳଗାଈ, ବାଇସନ୍, ଗଧିଆଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରହିଛି ।
ଉଷାକୋଠି ଅଭୟାରଣ୍ୟ
- ସମ୍ବଲପୁରରୁ ଦୂରତା: ୪୫ କିଲୋମିଟର
- ବୁଲିବା ସ୍ଥାନ: ଗୁଦଗୁଦା ଜଳପ୍ରପାତ
- ଆକର୍ଷଣ: ବଣଜଙ୍ଗଲ ଘେରାରେ ବଣଭୋଜ
ସମ୍ବଲପୁର ସହରରୁ ମାତ୍ର ୪୫ କିଲୋମିଟର ଦୂରରେ ଆରମ୍ଭ ହୋଇଯାଏ ପ୍ରକୃତିର ଅନନ୍ୟ ବିଭବ । ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ଏହି ଅଭୟାରଣ୍ୟ ପ୍ରାୟ ୩୦୦ ବର୍ଗ କିଲୋମିଟର ବ୍ୟାପ୍ତ । ହାତୀ ଓ କଲରାପତରିଆଙ୍କ ଭୁସ୍ୱର୍ଗ କୁହାଯାଉଥିବା ଏହି ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବାରେ ଲାଗିଛି । ବଣଭୋଜି ସହ ଟ୍ରେକିଂ ଏହାକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଏଠାରେ ୨୦ରୁ ଅଧିକ କଲରାପତରିଆ ସହ ଅନ୍ୟ ବନ୍ୟଜନ୍ତୁ ଦେଖାଯାଆନ୍ତି । ଏଠାରେ ମଧ୍ୟ ନେଚର କ୍ୟାମ୍ପ ଓ ସଫାରୀ ଚଳାଚଳ ପାଇଁ ଦାବି ରହିଛି । ସମ୍ବଲପୁର ଜିଲ୍ଲାର ବାମରା ବନଖଣ୍ଡ ଥିବା ଉଷାକୋଠି ଅଭୟାରଣ୍ୟ ବା ବଡ଼ରମା ଅଭୟାରଣ୍ୟ ମୁମ୍ୱାଇ-କାଲକାତା ଜାତୀୟ ରାଜପଥରେ ଦେବଗଡ଼ ରାସ୍ତାରେ ଗଲେ ପ୍ରାୟ ୪୫ କିମି ଦୂରତାରେ ରହିଛି । ୧୯୬୨ରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । କଲରାପତରିଆ ବାଘ, ହାତୀ ସହ ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ସରୀସୃପ ଅଛନ୍ତି ଅଭୟାରଣ୍ୟର ଆକର୍ଷଣ । ହେଲେ ଅଭୟାରଣ୍ୟ ଭିତରେ ଥିବା ଶାଳ, ଅର୍ଜୁନ, ଲିମ୍ୱ, ଆକାଶିଆ ପରି ଗଛ ଭିତରେ ବଣଭୋଜି କରିବା ସ୍ୱତନ୍ତ୍ର ଉପଲବ୍ଧି ଦେଇଥାଏ ।
ଏହା ଭିତରେ ରହିଛି ମନଲୋଭା ପ୍ରାକୃତିକ ପରିବେଶ ଭରା ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଦଗୁଦା ଜଳପ୍ରପାତ । କୁଚିଣ୍ଡା ଉପଖଣ୍ଡର ପିକନିକ୍ ସ୍ପଟରେ ଝରଣା ସହ ପ୍ରାକୃତିକ ପରିବେଶ ପ୍ରତି ସବୁ ବର୍ଗର ପର୍ଯ୍ୟଟକ ଆକୃଷ୍ଟ ହୁଅନ୍ତି । ଶୀତଋତୁ ଆସିଲେ ଏଠାରେ ପ୍ରବଳ ଭିଡ଼ ଲାଗେ । ପର୍ଯ୍ୟଟନସ୍ଥଳୀକୁ ଯାଇଥିବା ରାସ୍ତାର ଉଭୟ କଡ଼ରେ ଥିବା ବିଶାଳ ଗଛ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଝରଣାରେ ଗାଧୋଇବାର ମଜା ନେଇଥାନ୍ତି ପର୍ଯ୍ୟଟକ।
ଡେବ୍ରିଗଡ଼ ଅଭୟାରଣ୍ୟ
- ସମ୍ବଲପୁରରୁ ଦୂରତା: ୩୫ କିଲୋମିଟର
- ବୁଲିବା ସ୍ଥାନ: ସଫାରୀରେ ଜୀବଜନ୍ତୁଙ୍କୁ ଦେଖିବା, ବୋଟିଂ
- ଆକର୍ଷଣ: ନେଚର କ୍ୟାମ୍ପ ଓ ‘ହୋମ୍ ଷ୍ଟେ’ରେ ରହିବା
- ବୁଲିବାକୁ ଭୁଲେବେନି: ବ୍ୟାଟ୍ ଆଇଲ୍ୟାଣ୍ଡ ଓ କ୍ୟାଟେଲ୍ ଆଇଲ୍ୟାଣ୍ଡ
ବୈଜ ବିବିଧତାର ଉତ୍କୃଷ୍ଟ ପରିବେଶ । ଭାରତବର୍ଷର ଅନ୍ୟତମ ବିରାଟ ରାମସାର୍ ସାଇଟ୍ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ଡେବ୍ରିଗଡ଼ ଅଭୟାରଣ୍ୟ । ହୀରାକୁଦ ନଦୀବନ୍ଧ କୂଳରେ ଥିବା ଏହି ଘଞ୍ଚ ଜଙ୍ଗଲ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ନୂଆଁ ଠିକଣା ପାଲଟିଛି । ଅବାଧରେ ବୁଲୁଥିବା ବନ୍ୟଜନ୍ତୁଙ୍କୁ ଦେଖିବାକୁ ସଫାରୀରେ ବୁଲିବା ଓ ନେଚର କ୍ୟାମ୍ପରେ ରାତ୍ରଯାପନ କରିବା ପର୍ଯ୍ୟଟକଙ୍କ ସ୍ୱପ୍ନ ପାଲଟିଛି । ଘଞ୍ଚ ଜଙ୍ଗଲରେ ବୁଲୁଥିବା ସମୟରେ କଲରାପତରିଆ, ସମ୍ବର, ହରୀଣ, ବାର୍ହା, ଭାଲୁ, ଗୟଳ ଦେଖିବାର ଅନୁଭୂତି ଭିନ୍ନ । ଡେବ୍ରିଗଡ଼ ନେଚର କ୍ୟାମ୍ପରୁ ହୀରାକୁଦ ଗର୍ଭକୁ ବୁଲିଯିବା ଅପୂର୍ବ ଆନନ୍ଦ ଦେଇଥାଏ । ନୂଆ ଠିକଣା ପାଲଟିଥିବା ନଦୀବନ୍ଧ ଭିତରେ ଦେଶୀ ଓ ବିଦେଶୀ ପକ୍ଷଙ୍କ ସମାଗମକୁ କ୍ୟାମେରାରେ ତୋଳି ଧରିବାକୁ ବାଧ୍ୟ କରିଥାଏ । ହୀରାକୁଦ ଜିରୋ ପଏଣ୍ଟରୁ ମାତ୍ର ୧୫ କିଲୋମିଟର ଦୂରରେ ଆରମ୍ଭ ହୋଇଛି ଡେବ୍ରିଗଡ଼ ଅଭୟାରଣ୍ୟ । ଆପଣ ଯଦି କେବେ ଯଦି ସମ୍ବଲପୁର ଆସୁଛନ୍ତି, ତେବେ ଡେବ୍ରିଗଡ଼ ନିଶ୍ଚିତ ଯାଆନ୍ତୁ ।
ସମ୍ବଲପୁର ସହରରୁ ଅଟୋ କିମ୍ବା ୪ ଚକିଆ ଗାଡ଼ିରେ ଡେବ୍ରିଗଡ଼ ପର୍ଯ୍ୟନ୍ତ ଯିବାକୁ ହେବ । ସେଠାରୁ ଭିତରକୁ ଯିବା ପାଇଁ ସଫାରୀ ବୁକ୍ କରିବାକୁ ହେବ । କିମ୍ବା ଯଦି ନେଚର କ୍ୟାମ୍ପରେ ରହିବାର ଥିବ ତେବେ ଏହାକୁ ଆଗୁଆ ଅନଲାଇନ୍ରେ ବୁକିଂ କରିବାକୁ ପଡ଼ିବ । ଯଦି ଫୁରସତ ନେଇ ଆସୁଛନ୍ତି ତେବେ ନିଶ୍ଚିତ ଗୋଟିଏ ଦିନ ନେଚର୍ କ୍ୟାମ୍ପରେ ରହିବାକୁ ଚେଷ୍ଟା କରନ୍ତୁ । ନହେଲେ ଗୋଟିଏ ଦିନରେ ସଫାରୀ ବୁକିଂ କରି ମଧ୍ୟ ବୁଲି ପାରିବେ । ଡେବ୍ରିଗଡ଼ ଦ୍ୱାରଦେଶରୁ ନେଚର କ୍ୟାମ୍ପ ଓ ପାର୍ବତୀଟୁଙ୍ଗ ପର୍ଯ୍ୟନ୍ତ ଯିବା ପାଇଁ ସଫାରୀ ବ୍ୟବସ୍ଥା ରହିଛି । ଘଞ୍ଚ ଜଙ୍ଗଲ ଓ ହୀରାକୁଦ ନଦୀବନ୍ଧର ପାଦଦେଶରେ ରହିଛି ଏକମାତ୍ର ନେଚରକ୍ୟାମ୍ପ । ଯାହାକି ବର୍ଷସାରା ପୂରି ରହିଥାଏ । ଏଠାରେ ରାତ୍ରିଯାପନ କରିବାର ମଜା କିଛି ନିଆରା । ପଶୁ, ପକ୍ଷୀଙ୍କ ବିଚରଣ ବାଲ୍କୋନିରୁ ଦେଖିବା ପର୍ଯ୍ୟଟକଙ୍କ ପର୍ଯ୍ୟଟନ ଭ୍ରମଣକୁ ଜୀବନ୍ତ କରିଥାଏ ।
ଗ୍ରାମୀଣ ଜଙ୍ଗଲୀ ଜୀବନକୁ ଉପଭୋଗ କରିବାକୁ ଏବେ ଢଢ୍ରୋକୁସୁମରେ ହୋମ୍ ଷ୍ଟେ ସୁବିଧା କରାଯାଇଛି । ଏଥିପାଇଁ ମଧ୍ୟ ଆଗୁଆ ବୁକିଂ କରିବାକୁ ପଡ଼ିଥାଏ । ସେଠାରେ ଆକର୍ଷଣୀୟ ହେଇଛି ଡେବ୍ରିଗଡ଼ର ପକ୍ଷୀଗ୍ରାମ ଓ ପକ୍ଷୀ ପଥ । ଚିଲିକା ପରେ ରାଜ୍ୟର ଏହି ସ୍ଥାନକୁ ସର୍ବାଧିକ ବିଦେଶୀ ପକ୍ଷୀଙ୍କ ଆମଗନ ହୋଇଥାଏ । ନେଚର୍ କ୍ୟାମ୍ପ ଆସିଲେ ଭିତରେ ଥିବା କ୍ୟାଟେଲ୍ ଆଇଲ୍ୟାଣ୍ଡ ଓ ବ୍ୟାଟ୍ ଆଇଲ୍ୟାଣ୍ଡ ବୁଲିବାକୁ ଜମା ଭୁଲିବେ ନାହିଁ । କାରଣ ଏହି ସ୍ଥାନକୁ ଯିବାକୁ ହେଲେ ବୋଟ୍ ଆବଶ୍ୟକ । ବୋଟିଂ କରି ନୀଳ ଜଳରାଶିରେ ଗଲାବେଳେ ଦେଶବିଦେଶରୁ ଆସିଥିବା ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ପାଇବେ । ଯାହାକି ଅନ୍ୟଏକ ଅକର୍ଷଣ । ବ୍ୟାଟ୍ ଆଇଲ୍ୟାଣ୍ଡରେ ବଡ଼ ବାଦୁଡ଼ି ଦେଖିବାକୁ ପାଇବେ । ଏହାସହ ସେଠାରେ ଥିବା ମତ୍ସ୍ୟଜୀବୀଙ୍କ କାହାଣୀ ରୋଚକ କାହାଣୀ ଜାଣିବାକୁ ମିଳିବ । ଜଙ୍ଗଲ ମଧ୍ୟରେ ରହିଥିବା ଟାପୁ ବା କ୍ୟାଟେଲ୍ ଆଇଲ୍ୟାଣ୍ଡ ନଦୀବନ୍ଧର ଇତିହାସକୁ ମନେ ପକେଇଦିଏ । ନଦୀବନ୍ଧ ବାନ୍ଧିବା ସମୟରେ ଗାଁରେ ଥିବା ଲୋକ ଗାଁ ଛାଡ଼ି ପଳେଇ ଆସିଥିଲେ । କିନ୍ତୁ ଗାଈ ଗୋରୁକୁ ଆଣିନଥିଲେ । ସେମାନେ ସେହି ସ୍ଥାନରେ ରହିଯାଇଥିଲେ । ଆଉ ଫେରିପାରିନଥିଲେ । ଏବେ ସେଠାରେ ରହି ନିଜର ଭିନ୍ନ ପରିଚୟ ତିଆରି କରିଛନ୍ତି ।