ବୁର୍ଲା, ୨୦/୦୨: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗ  ଶେଷବର୍ଷର ଜଣେ ଛାତ୍ରୀଙ୍କୁ ବୁଧବାର ହତ୍ୟା ଉଦ୍ୟମ ହୋଇଛି । ବିଶ୍ୱବିଦ୍ୟାଳୟରୁ  ଓ ଅଟଳ ଛକକୁ ସଂଯୋଗ କରୁଥିବା ଭିଆଇପି ରାସ୍ତାର ମେଟାକାନି ମନ୍ଦିର ନିକଟ  ନିଛାଟିଆ ସ୍ଥାନରୁ କ୍ଷତବିକ୍ଷତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଛି । ସଙ୍କଟାପନ୍ନ  ଅବସ୍ଥାରେ ତାଙ୍କୁ ବୁର୍ଲା ଭିମ୍‌ସାରରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ହେବାରୁ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକଙ୍କ ସୂଚନା।

ପୁଲିସ୍‌ ସିସିଟିଭି ଫୁଟେଜ୍‌  ଆଧାରରେ ତନାଘନା ଆରମ୍ଭ କରିଛି । ଯୁବତୀଙ୍କ ଘର ଉପକୂଳବର୍ତ୍ତୀ ଜିଲ୍ଲାରେ । ତାଙ୍କ  ବାପା ବୁର୍ଲା ପାୱାର ହାଉସ୍‌ରେ ଇଞ୍ଜିନିୟର ଅଛନ୍ତି । ସପରିବାର ବୁର୍ଲାସ୍ଥିତ ଭାରତୀ  କ୍ଲବ ନିକଟରେ ରହୁଛନ୍ତି । ଅପରାହ୍ନ ପ୍ରାୟ ୫ଟାରେ ସମ୍ପୃକ୍ତା ଯୁବତୀ ଜଣକ ମେଟାକାନି  ମନ୍ଦିରଠାରୁ କେଇ ମିଟର ଦୂରରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ  କେତେଜଣ ବ୍ୟକ୍ତି କ୍ଷତାକ୍ତ ଯୁବତୀଙ୍କୁ  ଦେଖି ବୁର୍ଲା ଥାନାକୁ ସୂଚନା ଦେବା ପରେ  ପୁଲିସ୍‌ ପହଞ୍ଚିଥିଲା । ତାଙ୍କୁ ଉଦ୍ଧାର କରି  ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା ।  ଅକ୍ସିଜେନ ସପୋର୍ଟରେ ଥିବାରୁ ଯୁବତୀ  ବୟାନ ରେକର୍ଡ ହୋଇପାରିନାହିଁ । ଯୁବତୀ  ବ୍ୟବହାର କରୁଥିବା ମୋବାଇଲ୍‌ ମଧ୍ୟ  ମିଳୁନାହିଁ । ସନ୍ଦିଗ୍ଧ ଯୁବକଙ୍କୁ ଧରିବା  ଲାଗି ପୁଲିସ୍‌ ସିସିଟିଭି ଅଣ୍ଡାଳୁଛି ।