ପ୍ରମୂଖ ଖବର
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଫୁଲୁଛି ସୁବର୍ଣ୍ଣରେଖା, ବଢୁଛି ଦୁର୍ଦ୍ଦଶା... ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ

Published By : Harapriya Sethi | August 27, 2025 8:14 AM

ଭୁବନେଶ୍ୱର, ୨୭/୦୮: ସୁବର୍ଣ୍ଣରେଖାରେ ନଦୀ ଜଳସ୍ତର ବଢ଼ୁଛି । ଲଗାତର ତିନି ଦିନରେ ରାଜଘାଟ ଓ ଜାମଶୋଳାଘାଟରେ ପାଣି ବିପଦ ସଙ୍କେତ ଉପରେ ଚାଲିଛି । ଲୋକେ ଏବେ ବି ପାଣି ଘେରରେ ଅଛନ୍ତି । ବୈତରଣୀ ନଦୀରେ ଜଳସ୍ତର ଖସିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା କମିନି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ବର୍ଷାରେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ୟା ସ୍ଥିତି । ଲମତାପୁଟରେ ପାଣି ମାଡ଼ି ଆସିବାରୁ ଅନେକ ଲୋକେ ଘର ଭିତରେ ଫସି ଯାଇଥିଲେ । ଜୀବନ ଓ ମୃତ୍ୟୁର ଦୋଛକି ଭିତରେ ଥିବା ଏହି ଲୋକଙ୍କ ପାଖରେ ପହଞ୍ଚି ଉଦ୍ଧାର କରିଥିଲା ଅଗ୍ନିଶମ ଟିମ୍‌ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ମଙ୍ଗଳବାର ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଦକ୍ଷିଣ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷା ହୋଇପାରେ । ଆସନ୍ତା ୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । କିନ୍ତୁ ଏହା ବର୍ତ୍ତମାନର ଲଘୁଚାପ ଭଳି ଶକ୍ତି ଗୋଟାଇବନି ବୋଲି ସେ କହିଛନ୍ତି । ରାଜ୍ୟପାଳ ଡ.ହରିବାବୁ କମ୍ଭମ୍‌ପାଟି ମଙ୍ଗଳବାର ରାଜଭବନରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ରାଜ୍ୟରେ ଜଳ ଅବବାହିକାର ଆନ୍ତଃ ସଂଯୋଗୀକରଣ ପାଇଁ ପରାମର୍ଶ ଦେଇଛନ୍ତି । ଜଳ ପ୍ରଣାଳୀ ସଂଯୋଗୀକରଣ ଦ୍ୱାରା ବନ୍ୟା ପ୍ରବଣ ଅଞ୍ଚଳରୁ ଜଳ ଅଭାବ ଅଞ୍ଚଳକୁ ବନ୍ୟା ଜଳ ନିଆଯାଇପାରିବ । ଏହା ବନ୍ୟା କ୍ଷୟକ୍ଷତି କମାଇବା ସହ ଜଳସେଚନରେ ସୁବିଧା ହେବ । ଭୂତଳ ଜଳସ୍ତର ବି ବଢ଼ିବ । ନଦୀର ଇଣ୍ଟର ଲିଙ୍କିଙ୍ଗ ଓ ଇଣ୍ଟ୍ରା ଲିଙ୍କିଙ୍ଗ କରିବାକୁ ପରାମର୍ଶ ଦେଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ସମେତ ସୁନ୍ଦରଗଡ଼ ଜିଲ୍ଲା ପ୍ରଭାବିତ ହୋଇଛି । ବିନା ବର୍ଷାରେ ଝାଡ଼ଖଣ୍ଡରୁ ପାଣି ଆସି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବନ୍ୟା ହେଉଛି । ଝାଡ଼ଖଣ୍ଡରେ ଡ୍ୟାମ କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ସେଠାକାର ବନ୍ୟା ଜଳ ଓଡ଼ିଶାକୁ ଆସୁଛି । ଏ ବାବଦରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଛି । ଉକ୍ତ ଡ୍ୟାମରେ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର ଅର୍ଥ ଖର୍ଚ୍ଚ ହେଉଛି । କିନ୍ତୁ ରାଜନୀତି କାରଣରୁ ଡ୍ୟାମ କାମ ସମ୍ପୂର୍ଣ୍ଣ ହେଉନି । ରାଜ୍ୟପାଳଙ୍କୁ ମଧ୍ୟ ସେ ଏ ସମ୍ପର୍କରେ ଜଣାଇବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ବନ୍ୟାଞ୍ଚଳ ସ୍ଥିତି ଦେଖିବାକୁ ଯାଜପୁର ଯାଇଛନ୍ତି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ୧୦.୫୯ ମିଟର ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ୧୦.୩୬ ମିଟର । ଜାମସୋଳାଘାଟରେ ବିପଦ ସଙ୍କେତ ସ୍ତର ୪୯.୧୬ ମିଟର ଥିବାବେଳେ ଏଠାରେ ୪୯.୨୪ ମିଟର ଜଳ ପ୍ରବାହିତ ହେଉଛି । ବୈତରଣୀର ଆଖୁଆପଦାରେ ଜଳସ୍ତର ୧୭.୯୭ ମିଟର ରହିଛି । ମଙ୍ଗଳବାର ମାଲକାନଗିରିରେ ସର୍ବାଧିକ ୭୦.୨ ମିମି ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ୬୮ ମିମି, ଛତ୍ରପୁରରେ ୪୪.୨, ମାଲକାନଗିରିରେ ୩୬.୨ମିମି, କୋରାପୁଟରେ ୨୬.୪, ରାୟଗଡ଼ାରେ ୧୪.୬, ଗୋପାଳପୁରରେ ୧୩.୧ ଓ ନବରଙ୍ଗପୁରରେ ୧୧ମିମି ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁ ନବରଙ୍ଗପୁର ସହରର ଦାରୁବନ୍ଦ ସାହି ନିକଟ ୨୬ ନଂ ଜାତୀୟ ରାଜପଥ ଉପରେ ପାଣି ଜମା ହୋଇ ଯାଇଥିଲା । ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍‌ରେ ଲଗାଣ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବହୁ ଲୋକଙ୍କ ଘରେ ପାଣି ପଶିଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଜଲାପୁଟ ଜଳଭଣ୍ଡାର ଫୁଲିବାରୁ ଏହାର ୩ଟି ଗେଟ୍‌ ଖୋଲାଯାଇଛି । ନିର୍ଧୁମ ବର୍ଷାରେ ମାଲକାନଗିରି ସହର ସମେତ ବିଭିନ୍ନ ଗାଁରେ କୃତିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସପ୍ତଧାରା ପୋଲ ଉପରେ ୩ ଫୁଟ୍‌ ଉଚ୍ଚରେ ପାଣି ପ୍ରବାହିତ ହୋଇଛି । ଗୋବିନ୍ଦପାଲ୍ଲୀ ଘାଟି ସପ୍ତଧାରା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ନିଚା ପୋଲ ଉପରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.