ନୂଆଦିଲ୍ଲୀ,୨୦।୫:  ମାତ୍ର ୧୫ ବର୍ଷ ବୟସରେ ବୋଲରଙ୍କ ହୋସ୍ ଉଡାଇ ଦେଉଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଡିମାଣ୍ଡ ଜୋରଦାର। ମଙ୍ଗଳବାର ରାତିରେ ବୈଭବ ଏଭଳି କିଛି ଖେଳିଥିଲେ ଯେ, ବିରୋଧି ଟିମ୍‌ର ମାଲିକ ସଞ୍ଜୀବ ଗୋଏଙ୍କାବି ତାଙ୍କର ଫ୍ୟାନ୍ ହୋଇଗଲେ। ଲକ୍ଷ୍ନୌ ସୁପରଜିଆଣ୍ଟସ୍ ବିରୋଧରେ ରାଜସ୍ଥାନ ରୟାଲ୍ସର ବଡ଼ ଧରଣର ବିଜୟ ପରେ ବୈଭବଙ୍କୁ ସଞ୍ଜୀବ ଗୋଏଙ୍କା ଜୋରଦାର ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ଫିଲ୍ଡରେ ସଞ୍ଜୀବ ଗୋଏଙ୍କା ଏବଂ ତାଙ୍କ ପତ୍ନୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଥିଲେ। ଏହି ସମୟର ଦୁଇଟି ଫଟୋ ଗୋଏଙ୍କା ନିଜର ସୋସିଆଲ ମିଡିଆରେ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ ସଞ୍ଜୀବଙ୍କ ପାଦ ଛୁଇଁ ବୈଭବ ଆର୍ଶିବାଦ ନେଉଛନ୍ତି। ଫଟୋର କ୍ୟାପ୍ସନ ସହ ସଞ୍ଜୀବ ଲେଖିଛନ୍ତି,ସାରା ବିଶ୍ୱ ତୁମର ପ୍ରତିଭା ଦେଖିଛି। ଦେଶ ତୁମ ଭିତରେ ଏକ ଭବିଷ୍ୟତ ଦେଖୁଛି। ଏତେ କମ୍ ବୟସରେ, ତୁମେ ଏତେ ବଡ଼ ଦାୟିତ୍ୱ ଗ୍ରହଣ କରିଛ, ଏବଂ ତାହା ମଧ୍ୟ ଅତ୍ୟନ୍ତ ସକ୍ଷମ କାନ୍ଧରେ। ତୁମର ନିରିହପଣ ବଜାୟ ରଖ, ତୁମର ପ୍ରତିଭାକୁ ଆହୁରି ଉନ୍ନତ କରିଚାଲ ଏବଂ ସାରା ବିଶ୍ୱ ତୁମର ପାଦ ତଳେ ରହିବ।’

​​​​​​​

ମ୍ୟାଚ୍ ପରେ ବୈଭବ ଏବଂ ଗୋଏଙ୍କାକୁ ଏକାଠି କଥା ହେବାର ଯେତେବେଳେ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଟିମ୍ ହାରିବା ପରେ ବି ଗୋଏଙ୍କା ଏବଂ ତାଙ୍କ ପତ୍ନୀ ଫିଲ୍ଡକୁ ଯାଇ ଆଗ ବୈଭବଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ କଥା ହୋଇଥିଲେ। ଏହି ଦୃଶ୍ୟ ଦେଖି ମହାନ କ୍ରିକେଟର ସୁନିଲ ଗାଭାସ୍କର ମଜାଳିଆ ଅନ୍ଦାଜରେ ଏକ ରିଆକ୍ସନ ଦେଇଥିଲେ।ଏହା ସହ ଆଗକୁ ନିଲାମୀରେ ଲକ୍ଷ୍ନୌ ଟିମ୍‌ ବୈଭବଙ୍କୁ  କିଣିବାର ସମ୍ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ବୈଭବଙ୍କୁ ଭେଟି ଗୋଏଙ୍କା କହିଥିବେ, ‘ମୁଁ ଖୁବ୍ ଶୀଘ୍ର ତୁମ ପାଇଁ ନିଲାମୀ ଡାକିବି ଏବଂ କିଣିବି। ବୈଭବ ସୂର୍ଯ୍ୟବଂଶୀ କେବଳ ସଞ୍ଜୀବ ଗୋଏଙ୍କା ଏବଂ ତାଙ୍କ ପତ୍ନୀଙ୍କୁ ଭେଟି କଥା ହୋଇନଥିଲେ ତାହା ନୁହେଁ, ବରଂ ତାଙ୍କ ପରିବାରର ପିଲାମାନଙ୍କ ପାଇଁ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ। ଗୋଏଙ୍କା ପରିବାରର ପିଲାଙ୍କ ପାଇଁ ବୈଭବ ଅଟୋଗ୍ରାଫ୍ ଦେବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେପଟେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଯୋଗୁଁ ରାଜସ୍ଥାନ ରୟାଲ୍ସ ପ୍ଲେଅଫ୍ ରେସ୍‌ରେ ରହିଛି। ଲକ୍ଷ୍ନୌ ଟିମକୁ ହରାଇବା ପରେ, ରାଜସ୍ଥାନ ଟିମ୍ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ, ଏହାକୁ ଜିତିବା ମାତ୍ରେ ଟିମ୍ ପ୍ଲେଅପ୍‌ରେ ସ୍ଥାନ ସୁନିଶ୍ଚିତ କରିବ। 

ଉଲ୍ଲେଖନୀୟ ଯେ, ମଙ୍ଗଳବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା ରାଜସ୍ଥାନ ରୟାଲ୍ସ ।୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ପରାଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ମାତ୍ର ୩୮ ବଲ୍‌ରେ ୯୩ ରନ୍‌ର ଇନିଂସ ଖେଳି ମ୍ୟାଚ୍କୁ ଏକପାଖିଆ କରିଦେଇଥିଲେ। ମ୍ୟାଚ୍ ପରେ, ସଞ୍ଜିବ ଗୋଏଙ୍କା ତାଙ୍କ ଦଳ ପାଖକୁ ନଯାଇ ସିଧାସଳଖ ବୈଭବ ସୂର୍ଯ୍ୟବଂଶୀଙ୍କ ପାଖକୁ ଯାଇଥିଲେ। ମ୍ୟାଚ୍ ସମୟରେ ଗୋଏଙ୍କାଙ୍କ ପତ୍ନୀ ମଧ୍ୟ ତାଙ୍କ ସହିତ ଥିଲେ। ଉଭୟ ବୈଭବଙ୍କ ସହିତ କଥା ହୋଇଥିଲେ, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

​​​​​​​ଆହୁରି ପଢନ୍ତୁ : Vaibhav Suryavanshi: ବିପଦରେ କ୍ରିସ ଗେଲ୍‌ଙ୍କ ଛକା ରେକର୍ଡ, ଚଳିତ ସିଜନ୍‌ରେ ବୈଭବ ଏଯାଏଁ ମାରିଛନ୍ତି ୫୩ ଛକା