ଉତ୍ତରପ୍ରଦେଶ, ୨୮।୫: ସାରା ଦେଶ ତଥା ବିଶ୍ୱବ୍ୟାପୀ ଆଜି ପବିତ୍ର ବକ୍ରିଇଦ୍ ବା ଇଦ୍-ଉଲ୍-ଜୁହା ପର୍ବ ବେଶ୍ ଧୂମଧାମରେ ପାଳନ କରାଯାଉଛି । ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକମାନେ ପରମ୍ପରା ଅନୁଯାୟୀ ପଶୁ ବଳି ଦେଇଥାନ୍ତି । କିନ୍ତୁ, ଉତ୍ତର ପ୍ରଦେଶର ସନ୍ତ କବୀର ନଗର ଜିଲ୍ଲାରେ ଏଭଳି ଏକ ଅଜବ ଗାଁ ରହିଛି, ଯେଉଁଠି ଗତ ୧୯ ବର୍ଷ ହେବ ବକ୍ରିଇଦ୍ ସମୟରେ କୌଣସି ବଳି ଦିଆଯାଇନାହିଁ । ଏପରିକି ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବକ୍ରିଇଦ୍ର ଦିନକ ପୂର୍ବରୁ ପୁଲିସ ପ୍ରଶାସନ ଗାଁର ସମସ୍ତ ବୋଦାଙ୍କୁ ନିଜ ସାଙ୍ଗରେ ନେଇଯାଇଥାଏ ଏବଂ ପର୍ବ ସରିବା ପରେ ସେଗୁଡ଼ିକୁ ମାଲିକମାନଙ୍କୁ ହସ୍ତାନ୍ତର କରାଯାଏ । ଏହି ଆଶ୍ଚର୍ଯ୍ୟଜନକ ପରମ୍ପରା ପଛରେ ରହିଛି ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ଏକ ପୁରୁଣା ବିବାଦ । ଜିଲ୍ଲାର ମେହଦାୱାଲ ତହସିଲ ଅନ୍ତର୍ଗତ ଧର୍ମସିଂହୱା ଥାନା ଅଧୀନରେ ଥିବା ମୁସହରା ଗାଁରେ ୨୦୦୭ ମସିହାରୁ ଏହି ନିୟମ ଚାଲିଆସୁଛି ।

ମୁସହରା ଗାଁର ସାଧାରଣ ସ୍ଥିତି ବେଶ୍ ସ୍ୱାଭାବିକ ଥାଏ ଏବଂ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ ମିଳିମିଶି ରହନ୍ତି । କିନ୍ତୁ, ପର୍ବପର୍ବାଣୀ ସମୟରେ ଏଠାକାର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଏ । ଦୁଇ ପକ୍ଷ ମଧ୍ୟରେ ଥିବା ବିବାଦ କାରଣରୁ ଗ୍ରାମରେ ବକ୍ରିଇଦ୍ ସମୟରେ ବଳିପ୍ରଥା ଏବଂ ହୋଲି ସମୟରେ ‘ହୋଲିକା ଦହନ’ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି କଠୋର ପଦକ୍ଷେପ ନିଆଯାଉଛି ।

କ’ଣ ଥିଲା ଏହି ବିବାଦର ମୁଖ୍ୟ କାରଣ ?

ଐତିହାସିକ ଭାବେ ମୁସହରା ଗାଁରେ ବକ୍ରିଇଦ୍ ଅବସରରେ କେବେ ହେଲେ ବଳି ଦିଆଯାଉନଥିଲା ଏବଂ ଏହା ଉପରେ ସ୍ଥାନୀୟ ପ୍ରଶାସନର ରୋକ୍ ରହିଥିଲା । ମାତ୍ର ୨୦୦୭ ମସିହାରେ ତତ୍କାଳୀନ ବିଏସପି ବିଧାୟକ ତାବିଶ ଖାନଙ୍କ ପ୍ରରୋଚନାରେ କିଛି ଲୋକ ଏହି ଗାଁରେ ବଳି ଦେଇଥିଲେ । ଏହି ଘଟଣା ପରେ ଗାଁର ହିନ୍ଦୁ ଏବଂ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା । ଏହି ବିବାଦ ଏଭଳି ଭୟଙ୍କର ରୂପ ନେଇଥିଲା ଯେ ଗାଁରେ ବ୍ୟାପକ ଲୁଟପାଟ, ଭଙ୍ଗାରୁଜା ଏବଂ ଅଗ୍ନିକାଣ୍ଡ ଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ତତ୍କାଳୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ପ୍ରାୟ ୨୯ ଜଣ ଲୋକଙ୍କୁ ଗିରଫ କରିବାକୁ ପଡ଼ିଥିଲା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ବଳି ପ୍ରଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ଏବଂ ପ୍ରତିବର୍ଷ ବକ୍ରିଇଦ୍ ସମୟରେ ଏଠାରେ ବ୍ୟାପକ ପୁଲିସ ଫୋର୍ସ ସହ ପିଏସି ମୁତୟନ କରାଯାଏ ।

ଗାଁରେ ‘ଶାନ୍ତି କମିଟି’ ବୈଠକ:

ଚଳିତ ବକ୍ରିଇଦ୍‌କୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ ସନ୍ତ କବୀର ନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଲୋକ କୁମାର ଏବଂ ଏସପି ସନ୍ଦୀପ କୁମାର ମୀନା ମୁସହରା ଗ୍ରାମ ଗସ୍ତ କରିଛନ୍ତି । ସେଠାରେ ସେମାନେ ଏକ ଶାନ୍ତି କମିଟି ବୈଠକର ଆୟୋଜନ କରି ଗ୍ରାମର ଉଭୟ ପକ୍ଷର ବରିଷ୍ଠ ଲୋକଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଜିଲ୍ଲାପାଳ ଓ ଏସପି ସମସ୍ତଙ୍କୁ ପରସ୍ପର ମଧ୍ୟରେ ଭାଇଚାରା ଏବଂ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । "ଯଦି କେହି ବି ପର୍ବ ସମୟରେ ଗ୍ରାମର ମାହୋଲ ଖରାପ କରିବାକୁ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ କରିବାକୁ ଚେଷ୍ଟା କରେ, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।" ବୋଲି ଜିଲ୍ଲା ପ୍ରଶାସନର କଡ଼ା ଚେତାବନୀ ଦେଇଛି ।

ପୁଲିସର ଫ୍ଲାଗ୍ ମାର୍ଚ୍ଚ ଏବଂ କଡ଼ା ନଜର:

ଗ୍ରାମବାସୀଙ୍କ ମଧ୍ୟରେ ସୁରକ୍ଷାଭାବ ସୃଷ୍ଟି କରିବା ପାଇଁ ଡିଏମ୍ ଏବଂ ଏସପି ସ୍ଥାନୀୟ ପୁଲିସ ଅଧିକାରୀଙ୍କ ସହ ଗ୍ରାମରେ ପଦଯାତ୍ରା କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗ୍ରାମର ପ୍ରତିଟି କୋଣ ଅନୁକୋଣ ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିଛି, ଯେପରି କୌଣସି ପ୍ରକାର ଗୁଜବ ସୃଷ୍ଟି ନହୁଏ । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ମୋଡ୍ରେ ରହିଛି ।

ଆହୁରି ପଢ଼ନ୍ତୁ... ବକ୍ରିଇଦ୍ ପୂର୍ବରୁ ଦିଲ୍ଲୀରେ ଫ୍ଲାଗମାର୍ଚ୍ଚ, ଜାଣନ୍ତୁ ଦେଶରେ କିଭଳି ରହିଛି ପ୍ରସ୍ତୁତି