ବୌଦ୍ଧ,୭/୧(ଆପ୍ର): ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମରେ ଥିବା ପୋଷ୍ଟ ଅଫିସରେ ଜମାଖାତା ରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଷ୍ଟାଲ ଇନ୍ସପେକ୍ଟର କୃଷ୍ଣ ଚନ୍ଦ୍ର ଶତପଥୀ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସବ୍ ପୋଷ୍ଟ ମାଷ୍ଟର ନିରଞ୍ଜନ ବେହେରାଙ୍କୁ ନିଲମ୍ବନ କରାଯାଇଥିବା ପୋଷ୍ଟାଲ ଇନ୍ସପେକ୍ଟର ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ, ସରସରା ଗ୍ରାମରେ ବହୁ ବର୍ଷ ଧରି ଏକ ପୋଷ୍ଟ ଅଫିସ ରହିଛି। ଏହି ପୋଷ୍ଟ ଅଫିସ୍ ରେ ଶହ ଶହ ଆକାଉଣ୍ଟ ଧାରୀଙ୍କ ଖାତା ରହିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆକାଉଣ୍ଟ ଧାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଆକାଉଣ୍ଟ ରେ ଆଉ ଟଙ୍କା ନାହିଁ । ଏହା ଜାଣିବା ପରେ ପୋଷ୍ଟ ଅଫିସ ଆକାଉଣ୍ଟ ଧାରୀ ମାନେ ନିଜ ନିଜ ଆକାଉଣ୍ଟ ରେ ଥିବା ଟଙ୍କା ବିଷୟରେ ଜାଣିବା ପାଇଁ ପୋଷ୍ଟ ଅଫିସରେ ଭିଡ଼ ଲଗାଇଥିଲେ । ଆଉ କେତେ ଜମା ଖାତା ଧାରୀଙ୍କ ଅଭିଯୋଗ ଯେ ଅପଡେଟ କରିବାକୁ ଦେଇଥିବା ସେମାନଙ୍କ ପାସ୍ ବୁକ୍ ମଧ୍ୟ ଆଉ ପୋଷ୍ଟ ଅଫିସରେ ନାହିଁ । ଫଳରେ ଟଙ୍କା ରଖିଥିବା ଗ୍ରାହକଙ୍କ ମଧ୍ୟରେ ଆତଙ୍କ ଖେଲି ଯାଇଥିଲା l ଅଭିଯୋଗ ପାଇବା ପରେ ଇନ୍ସପେକ୍ଟର ପୋଷ୍ଟ ଅଫିସ କୁ ଆସି ତଦନ୍ତ ଆରମ୍ଭ କରିଛନ୍ତି।