ବ୍ୟାଘ୍ରବଂଶର ଭବିଷ୍ୟତ ମୁଖ୍ୟତଃ ବର୍ଦ୍ଧିତ ଓ ନିରନ୍ତର ସଂରକ୍ଷଣ ପ୍ରୟାସ, ଅବୈଧ ଶିକାରର ମୁକାବିଲା ନିମନ୍ତେ ଆଇନର ଦୃଢ଼ ପ୍ରବର୍ତ୍ତନ, କ୍ୟାମେରା ଟ୍ରାପ୍‌ ଓ ଡ୍ରୋନ୍‌ ପରି ନୂତନ ପ୍ରଯୁକ୍ତିର ପ୍ରୟୋଗ ଏବଂ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ କରିବା ଉଦ୍ଦେଶ୍ୟରେ ଉପଯୁକ୍ତ ରଣନୀତିର କାର୍ଯ୍ୟକାରିତା ଉପରେ ନିର୍ଭରଶୀଳ ।

jaykrushna panigrahi

ରାଜସ୍ଥାନର ସରିସ୍କା ବ୍ୟାଘ୍ର ସଂରକ୍ଷିତ  ଜଙ୍ଗଲରୁ ସମ୍ପୂର୍ଣ୍ଣ ବିଲୁପ୍ତି ହେବାର  ଦୁଇ ଦଶନ୍ଧି ବ୍ୟବଧାନ ପରେ ସମ୍ପ୍ରତି ବାଘ  ସଂଖ୍ୟା ପହଞ୍ଚିଛି ୫୦ରେ ଏବଂ ଜଙ୍ଗଲରେ  ପୁଣି ଶୁଭୁଛି ମହାବଳର ଗର୍ଜନ ।  ଏପରି ସୁସମ୍ବାଦ କେବଳ ବନ୍ୟପ୍ରାଣୀ  ସଂରକ୍ଷଣବାଦୀଙ୍କୁ ଉଲ୍ଲସିତ କରିନାହିଁ,  ଏହା ପ୍ରମାଣ କରିଛି ଯେ ପରିସଂସ୍ଥୀୟ  ଦୃଷ୍ଟିକୋଣ, ସ୍ଥାନୀୟ ସମ୍ପ୍ରଦାୟର  ସମ୍ପୃକ୍ତି, ରାଜନୈତିକ ଇଚ୍ଛାଶକ୍ତି ଏବଂ  ସାଂଗଠନିକ ସଂସ୍କାରର ମିଶ୍ରଣରେ ପ୍ରସ୍ତୁତ  ଏକ ସୂକ୍ଷ୍ମ, ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ଦ୍ୱାରା  ଏପରି ଚମତ୍କାରିତା ସମ୍ଭବପର ଅଟେ ।  ସରିସ୍କାରେ ୨୦୦୪ ମସିହାରେ ବାଘ  ସଂଖ୍ୟା ୨୮ ଥିବାର ଜଙ୍ଗଲ ବିଭାଗ ସୂଚିତ  କରିଥିବାବେଳେ, ୨୦୦୫ରେ ଏହା ଶୂନ୍ୟକୁ  ହ୍ରାସପାଇ ଭାରତର ବୃହତ୍ତର ବ୍ୟାଘ୍ର  ସଂରକ୍ଷଣ ପ୍ରୟାସରେ ଏକ କଳଙ୍କିତ ଅଧ୍ୟାୟ  ପାଲଟିଥିଲା, ଯାହା ଶିକାରୀଙ୍କର ଦୌରାତ୍ମ୍ୟ  ଏବଂ ସୁଦକ୍ଷ ପରିଚାଳନାର ଅଭାବକୁ ଇଙ୍ଗିତ  କରେ ।

ସରିସ୍କାର ଏପରି ଐତିହାସିକ  ସଫଳତା କୌଣସି କଳ୍ପନାପ୍ରସୂତ କାହାଣୀ  ରୂପେ ନୁହେଁ, ବରଂ ବାସ୍ତବତାର ଦୃଷ୍ଟାନ୍ତ  ଭାବେ ସମ୍ପ୍ରତି ପ୍ରଦର୍ଶିତ ହୋଇଛି । ଏହା  ହେଉଛି ପ୍ରଥମ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ  ଯେଉଁଠାରେ ୨୦୦୮ ଜୁଲାଇରେ ରନ୍ଥାମ୍ବୋର  ଜଙ୍ଗଲରୁ ଅଣାଯାଇଥିବା ଏକ ବାଘକୁ  ମୁକ୍ତକରି ଭାରତର ବ୍ୟାଘ୍ର ସ୍ଥାନାନ୍ତରଣ  କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି  ବ୍ୟାଘ୍ର ପୁନଃସ୍ଥାପନ ପ୍ରକ୍ରିୟା ପରଠାରୁ,  କେନ୍ଦ୍ର ଏବଂ ରାଜ୍ୟ କର୍ତ୍ତୃପକ୍ଷ ଅନେକ  ଉପଯୁକ୍ତ ଆଇନର ପ୍ରଣୟନ କରିଛନ୍ତି,  ଯେଉଁଥିରେ ବାଘସଂଖ୍ୟା ଆକଳନ ନିମନ୍ତେ  ଅଧିକ କଠୋର ପ୍ରୋଟୋକଲ୍‌ ତଥା  ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ  (ଏନ୍‌ଟିସିଏ) ଏବଂ ବନ୍ୟପ୍ରାଣୀ ଅପରାଧ  ନିୟନ୍ତ୍ରଣ ବ୍ୟୁରୋର ପ୍ରତିଷ୍ଠା ଅନ୍ତର୍ଭୁକ୍ତ  ଅଟେ । ଏପରି ପଦକ୍ଷେପ ଭାରତର  ବ୍ୟାଘ୍ର ସୁରକ୍ଷା କାର୍ଯ୍ୟକ୍ରମରେ ସଫଳତା  ହାସଲକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିଛି । 

ତେବେ, ସରିସ୍କାରେ ବ୍ୟାପକ  ଅବୈଧ ଶିକାର ଏବଂ ଏଥିପ୍ରତି ବନ  ବିଭାଗର ଉଦାସୀନ ମନୋଭାବ ହିଁ ବାଘ  ବିଲୁପ୍ତିର ପ୍ରମୁଖ କାରଣ ବୋଲି ମତ  ପ୍ରକାଶ ପାଇଥିଲା । ତେଣୁ ଏଠାକୁ ବ୍ୟାଘ୍ର  ସ୍ଥାନାନ୍ତରଣ ଆରମ୍ଭ ହେବାପରେ ସବୁଠୁଁ  ବଡ଼ ଚ୍ୟାଲେଞ୍ଜ ଥିଲା ସ୍ଥାନୀୟ ଗ୍ରାମର ଲୋକମାନେ ବାଘ ଉପରେ ଆକ୍ରମଣ  କରିବା ଅଥବା ସେମାନଙ୍କୁ ବିଷମିଶ୍ରିତ ମାଂସ  ଖାଇବାକୁ ଦେବା ଉପରେ କଡ଼ା ନଜର  ରଖିବା, ଯାହା ସରିସ୍କାର ଶିକାରୀମାନଙ୍କ  ମଧ୍ୟରେ ପୂର୍ବରୁ ଏକ ସାଧାରଣ ଅଭ୍ୟାସ  ରହିଥିଲା । ବାସ୍ତବରେ, ଅଭୟାରଣ୍ୟରେ  ପୁନଃପ୍ରବର୍ତ୍ତିତ ପ୍ରଥମ ବାଘଟି ବିଷକ୍ରିୟା  ପରିଣାମରେ ୨୦୧୦ରେ ହିଁ ମୃତାବସ୍ଥାରେ  ପୁନରୁଦ୍ଧାର ହୋଇଥିଲା । ଏକ ଗବେଷଣା  ନିବନ୍ଧରେ ରାଜେଶ କୁମାର ଗୁପ୍ତା ଏବଂ  ଆୟାନ ସାଧୁ ମତବ୍ୟକ୍ତ କରିଛନ୍ତି ଯେ  "ସମ୍ପୂର୍ଣ୍ଣ ବିଲୁପ୍ତ ହେବାଠାରୁ ୪୮ଟି  ବାଘଙ୍କର ସମୃଦ୍ଧ ସଂଖ୍ୟା ପର୍ଯ୍ୟନ୍ତ ସରିସ୍କାର  ଯାତ୍ରା କେବଳ ସଂଖ୍ୟାର ଏକ ବର୍ଣ୍ଣନା  ନୁହେଁ, ବରଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି  ଭାରତର ପୁନଃଉଜ୍ଜୀବିତ ପ୍ରତିବଦ୍ଧତାର  ପ୍ରତିଫଳନ’ । କେତେକ ପ୍ରାରମ୍ଭିକ  ପ୍ରତିବନ୍ଧ ସତ୍ତେ୍ୱ ସରିସ୍କାର ସଫଳତା ଅନ୍ୟ  ପ୍ରକଳ୍ପମାନଙ୍କରେ ଏହାର ପୁନରାବୃତ୍ତି କରି  ବ୍ୟାଘ୍ରବଂଶରେ ବୃଦ୍ଧି ଘଟାଇବାର ପ୍ରୟାସ  ନିମନ୍ତେ ପ୍ରୋତ୍ସାହନ ପ୍ରଦାନ କରେ ।

ଏବେ ଆମ ରାଜ୍ୟର ସାତକୋଶିଆ  ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲର ଦୃଶ୍ୟପଟ୍ଟ  ଉପରେ ଆଲୋକପାତ କରିବା । ପରିତାପର  ବିଷୟ ଯେ ଅନୁଗୁଳ, ନୟାଗଡ଼ ଏବଂ  ବୌଦ୍ଧ ଜିଲ୍ଲାର କିଛି ଜଙ୍ଗଲାଞ୍ଚଳକୁ ନେଇ  ୨୦୦୮-୨୦୦୯ରେ ବିଜ୍ଞାପିତ ହୋଇଥିବା  ଏହି ପ୍ରକଳ୍ପ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ  ସଫଳତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ହେବାରୁ  ନିକଟରେ ବଞ୍ଚିତ ହୋଇଛି । ଏନ୍‌ଟିସିଏର  ତଥ୍ୟ ଅନୁଯାୟୀ, ୨୦୧୦ ମସିହାରେ  ସାତକୋଶିଆରେ ଉପଲବ୍ଧ ଥିଲେ ୮ଟି  ମହାବଳ ବାଘ, ଯାହା ୨୦୧୪ରେ ସରିସ୍କା  ଢାଞ୍ଚାରେ ହଠାତ୍‌ ୩କୁ ନିମ୍ନଗାମୀ ହେବା  ସହ ୨୦୧୮ରେ ୧କୁ ହ୍ରାସପାଇଲା  ଏବଂ ପରେ ସମସ୍ତଙ୍କ ଅଗୋଚରରେ  ଅଭୟାରଣ୍ୟ ବାଘଶୂନ୍ୟ ହୋଇଗଲା ।  ଏପରି ପରିସ୍ଥିତିରେ ରାଜ୍ୟ ଜଙ୍ଗଲ ବିଭାଗ,  ଏନ୍‌ଟିସିଏ ଏବଂ ଡେରାଡୁନ ସ୍ଥିତ ଭାରତୀୟ  ବନ୍ୟଜନ୍ତୁ ପ୍ରତିଷ୍ଠାନର ପରାମର୍ଶରେ ପୂର୍ବ  ପ୍ରସ୍ତୁତ ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ  ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାର ପଦକ୍ଷେପ  ଗ୍ରହଣ କଲା । ମଧ୍ୟପ୍ରଦେଶର ବାନ୍ଧବଗଡ଼  ଅଭୟାରଣ୍ୟରୁ ସୁନ୍ଦରୀ ଏବଂ କାହ୍ନା  ବ୍ୟାଘ୍ର ପ୍ରକଳ୍ପରୁ ମହାବୀର ନାମକ  ଦୁଇଟି ବାଘଙ୍କୁ ସାତକୋଶିଆ ଜଙ୍ଗଲକୁ  ୨୦୧୮ରେ ସ୍ଥାନାନ୍ତରିତ କରି ବ୍ୟାଘ୍ରବଂଶ  ବୃଦ୍ଧି ଯୋଜନାର ପ୍ରଣୟନ ହେଲା । ମାତ୍ର  ସରିସ୍କା ଘଟଣା ପରି ଏହି ପ୍ରକଳ୍ପଟି ମଧ୍ୟ  ଆହ୍ୱାନର ସମ୍ମୁଖୀନ ହେଲା, ଯେଉଁଥିରେ  ଶିକାରୀ ଫାଶରେ ମହାବୀରର ମୃତ୍ୟୁ ଏବଂ  ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ  ମୃତ୍ୟୁ ଘଟଣାରେ ତାକୁ ପୁଣି ଆବଦ୍ଧରେ  ରଖାଯିବା ପରେ ୨୦୨୧ରେ ମଧ୍ୟପ୍ରଦେଶକୁ  ଫେରାଇ ଦିଆଯିବା ଏହାର ଅସଫଳତାକୁ  ବର୍ଣ୍ଣନା କରେ । ତେବେ ବାଘଙ୍କ ନିମନ୍ତେ  ଖାଦ୍ୟରୂପେ ଆବଶ୍ୟକ ହରିଣ, ସମ୍ବର,  କୁଟୁରା ଆଦି ତୃଣଭୋଜୀ ପ୍ରାଣୀ ଏହି  ପରିସଂସ୍ଥାରେ ଉପଯୁକ୍ତ ମାତ୍ରାରେ ଉପଲବ୍ଧ  ଥିବାର ବୈଷୟିକ ରିପୋର୍ଟ ପୂର୍ବରୁ ବନ  ବିଭାଗ ପ୍ରସ୍ତୁତ କରିଥିଲା । ବିଫଳତାର  ପ୍ରମୁଖ କାରଣ ଥିଲା, ସ୍ଥାନୀୟ ସମ୍ପ୍ରଦାୟକୁ  ଏହି ସଂରକ୍ଷଣ ପ୍ରକ୍ରିୟାରେ ଉପଯୁକ୍ତ ଭାବେ  ଜଡ଼ିତ ନକରିବା, ଯେଉଁଥିପାଇଁ ବାଘ  ଆକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ଜଙ୍ଗଲ  ବିଭାଗ ବିରୁଦ୍ଧରେ ତୀବ୍ର ଜନଅସନ୍ତୋଷ ଓ  ପ୍ରତିବାଦର ସୂତ୍ରପାତ ଘଟିଲା ।

ସମ୍ପ୍ରତି ବନ ବିଭାଗ ପୁନଶ୍ଚ ଏକ  ଯୋଜନା ପ୍ରସ୍ତୁତ କରିଛି, ଯେଉଁଥିରେ ଆଗାମୀ  ପାଞ୍ଚବର୍ଷରେ ପର୍ଯ୍ୟାୟକ୍ରମେ ୧୪ଟି ବାଘ  ସାତକୋଶିଆ ମଧ୍ୟକୁ ସ୍ଥାନାନ୍ତରିତ ହେବାର  ଲକ୍ଷ୍ୟ ରହିଛି ଓ ଓଡ଼ିଶାର ବାଘମାନଙ୍କ ସହ  ମହାରାଷ୍ଟ୍ରର ତଡ଼ବା ଜଙ୍ଗଲର ବାଘମାନଙ୍କର  ଜିନୀୟ ସାମଞ୍ଜସ୍ୟ ଥିବାରୁ ସେଠାରୁ ଏବଂ  ମଧ୍ୟପ୍ରଦେଶରୁ ବାଘ ସ୍ଥାନାନ୍ତର ହେବାର  ଯୋଜନା ପ୍ରସ୍ତୁତ ହୋଇଛି । ଏନ୍‌ଟିସିଏର  ଅନୁମୋଦନ ହାସଲ କରିଥିବା ଏହି  ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପର ଲକ୍ଷ୍ୟ ଅନୁଯାୟୀ  ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମମାନଙ୍କୁ  ସ୍ଥାନାନ୍ତର କରି ବାହ୍ୟ ଅଞ୍ଚଳରେ ଥଇଥାନ  କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି,  ଯେଉଁଥିରେ ବିସ୍ଥାପିତମାନଙ୍କୁ ଯଥେଷ୍ଟ  କ୍ଷତିପୂରଣର ବ୍ୟବସ୍ଥା ରହିଛି । ଶିମିଳିପାଳ  ବ୍ୟାଘ୍ର ପ୍ରକଳ୍ପର ନିକଟବର୍ତ୍ତୀ ଥିବା ଏହି  ଜଙ୍ଗଲକୁ ଚଲାପଥ (କରିଡର) ମାଧ୍ୟମରେ  ଯୋଡ଼ିବା ହେଉଛି ଅନ୍ୟ ଏକ ଦିଗ,  ଯାହା ଉଭୟ ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ  ଯାତାୟାତକୁ ପ୍ରୋତ୍ସାହିତ କରି ସେମାନଙ୍କ  ପ୍ରଜନନ ଓ ସଂଖ୍ୟା ବୃଦ୍ଧିରେ ସହାୟକ  ହେବ । ପ୍ରାୟ ୯୬୪ ବର୍ଗ କିମି. ଅଞ୍ଚଳ  ପରିବ୍ୟାପ୍ତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ  ସ୍ଥିରୀକୃତ ବାଘମାନଙ୍କୁ କ୍ରମଶଃ ସ୍ଥାନାନ୍ତରିତ  କଲେ ନିଃଶବ୍ଦ ପାଲଟିଥିବା ଏହି ଜଙ୍ଗଲରେ  ଆଗାମୀ ଦିନରେ ପୁନଶ୍ଚ ବାଘ ଗର୍ଜନ  ଶୁଣାଯିବାର ଅବକାଶ ସୃଷ୍ଟି ହେବ । ତେବେ,  ନୂତନ ପ୍ରୟାସରେ ସ୍ଥାନୀୟ ଗ୍ରାମବାସୀଙ୍କର  ସମ୍ପୃକ୍ତିକୁ ନିଶ୍ଚିତ କରିବା ଏବଂ ପୂର୍ବର  ସମସ୍ତ ପରିଚାଳନାଗତ ଦୋଷତ୍ରୁଟିର  ସଂଶୋଧନ କରିବା ଏକାନ୍ତ ଅପରିହାର୍ଯ୍ୟ ।  ବାଘବଂଶ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ବହନ  କରୁଥିବା ଏହି ଜଙ୍ଗଲ ପରିସଂସ୍ଥାର ସୁରକ୍ଷା  ଏବଂ ଏହାର ଜୈବବିବିଧତାର ସଂରକ୍ଷଣକୁ  ଅଗ୍ରାଧିକାର ପ୍ରଦାନ ରାଜ୍ୟ ପ୍ରଶାସନ  ନିମନ୍ତେ ଏକ ସର୍ବୋଚ୍ଚ ପ୍ରାଥମିକତା ହେବା  ବାଞ୍ଛନୀୟ ।

ବିଶ୍ୱ ବାଘ ସଂଖ୍ୟାର ପ୍ରାୟ ୮୦% ବାସ  କରୁଥିବା ଭାରତରେ ଜାତୀୟ ବ୍ୟାଘ୍ର ଗଣନା  ୨୦୨୨ ଅନୁଯାୟୀ ମୋଟ୍‌ ବାଘ ସଂଖ୍ୟା  ୩,୬୮୨ ଥିଲାବେଳେ ମଧ୍ୟପ୍ରଦେଶରେ  ସର୍ବାଧିକ ୭୮୫ଟି, କର୍ଣ୍ଣାଟକରେ ୫୬୩ଟି,  ଉତ୍ତରାଖଣ୍ଡ ୫୬୦ଟି ଏବଂ ମହାରାଷ୍ଟ୍ରରେ  ୪୪୪ଟି ଉପଲବ୍ଧ ଥିଲେ । ତେବେ, ୨୦୧୮  ମସିହାର ୨,୯୬୭ ସଂଖ୍ୟାରୁ ବାର୍ଷିକ  ୬.୧% ନିରନ୍ତର ହାରରେ ବୃଦ୍ଧି ପାଇଥିବା  ଏହି ସଂଖ୍ୟା ୧୯୭୩ ମସିହାରେ ସମଗ୍ର  ଦେଶରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ  ଟାଇଗର୍‌' ପରି ସଂରକ୍ଷଣ ପଦକ୍ଷେପର  ସଫଳତା ଯୋଗୁଁ ସମ୍ଭବପର ହୋଇପାରିଛି,  ଯେଉଁଥିରେ ସମ୍ପ୍ରତି ୧୮ଟି ରାଜ୍ୟରେ  ଅବସ୍ଥିତ ୫୮ଟି ଘୋଷିତ ବ୍ୟାଘ୍ର ସଂରକ୍ଷିତ  ଅଞ୍ଚଳ ଅନ୍ତର୍ଭୁକ୍ତ । ଏହି ସୂଚୀରେ ଓଡ଼ିଶାର  ଶିମିଳିପାଳ (୧୯୭୩) ଏବଂ ସାତକୋଶିଆ  (୨୦୦୭) ସ୍ଥାନିତ ହୋଇଥିଲାବେଳେ  ନିକଟରେ ବରଗଡ଼ ଜିଲ୍ଲାର ଦେବ୍ରିଗଡ଼  ବନ୍ୟପ୍ରାଣୀ ଅଭୟାରଣ୍ୟ ଏନ୍‌ଟିସିଏର  ଅନୁମାଦନ ହାସଲ କରି ଦେଶର ସଦ୍ୟତମ  ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର ମାନ୍ୟତା  ହାସଲ କରିବାକୁ ଯାଉଛି । ଅନ୍ୟପକ୍ଷରେ,  ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟ ଏକ  ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ରୂପେ  ଅନ୍ତିମ ଅନୁମୋଦନ ଅପେକ୍ଷାରେ ରହିଛି ।

୨୦୨୨ର ବ୍ୟାଘ୍ର ଗଣନା ଅନୁଯାୟୀ  ଓଡ଼ିଶାର ମହାବଳ ସଂଖ୍ୟା ମାତ୍ର ୨୦ରେ  ସୀମିତ ଥିଲା, ଯାହା ୨୦୦୪ ମସିହାରେ  ଶିମିଳିପାଳ ପ୍ରକଳ୍ପର ୧୦୧ଟିକୁ ମିଶାଇ  ୧୯୨ ଥିବାର ରିପୋର୍ଟରୁ ପ୍ରକାଶ (ସତ୍ୟତା  ପ୍ରଶ୍ନବାଚୀ ଘେରରେ ରହିଛି) । ଓଡ଼ିଶା  ବ୍ୟାଘ୍ର ଆକଳନ ୨୦୨୩-୨୪ ଅନୁଯାୟୀ  ସମଗ୍ର ରାଜ୍ୟରେ ସମ୍ପ୍ରତି ୩୦ଟି ବାଘ  ଉପଲବ୍ଧ ଅଛନ୍ତି, ଯେଉଁଥିରେ ୧୩ଟି  କଳାବାଘ (ମେଲାନିଷ୍ଟିକ୍‌) ସମେତ କେବଳ  ଶିମିଳିପାଳ ଜଙ୍ଗଲର ୨୭ଟି ଅନ୍ତର୍ଭୁକ୍ତ ।  ଅଧିକ ସଂଖ୍ୟାର ବ୍ୟାଘ୍ର ଧାରଣ କ୍ଷମତା  ବହନକାରୀ ଶିମିଳିପାଳରେ କଠୋର  ପରିଚାଳନା କାର୍ଯ୍ୟକ୍ରମ ଏବଂ ବୈଜ୍ଞାନିକ  ସଂରକ୍ଷଣ ପଦ୍ଧତିର ଅବଲମ୍ବନ ମାଧ୍ୟମରେ  ବାଘସଂଖ୍ୟା ବୃଦ୍ଧି କରିବାକୁ କର୍ତ୍ତୃପକ୍ଷ ଲକ୍ଷ୍ୟ  ରଖିଛନ୍ତି । ତେବେ ସରିସ୍କାର ସଫଳତା ସାତକୋଶିଆରେ ପୁନରାବୃତ୍ତି କରିବାର  ଇପ୍ସିତ ଲକ୍ଷ୍ୟ ସାଧିତ ହେବ ଯେତେ ଶୀଘ୍ର,  ପୁନର୍ବାର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ  ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପୁଣି ଏହି  ପରିସଂସ୍ଥାରେ ମହାବଳର ପଦଚିହ୍ନ  ଦୃଷ୍ଟିଗୋଚର ହେବ । ଆଶା, ୨୦୧୮ର  ବିଫଳତାରୁ ଅର୍ଜିତ ଶିକ୍ଷା ଓଡ଼ିଶା ପାଇଁ  ସଫଳତାର ମାର୍ଗ ଉନ୍ମୋଚିତ କରିବ ଏବଂ  ଖୁବ୍‌ଶୀଘ୍ର ଦେବ୍ରିଗଡ଼, ସୁନାବେଡ଼ା ସହିତ  ହୀରାକୁଦ, ପାରଳାଖେମୁଣ୍ଡି ଏବଂ କେନ୍ଦୁଝର  ପରି ଅନ୍ୟ ସମୃଦ୍ଧ ବନାଞ୍ଚଳରେ ବ୍ୟାଘ୍ର  ବିଚରଣର ସମ୍ବାଦ ଆମକୁ ଆତ୍ମସନ୍ତୋଷ  ପ୍ରଦାନ କରିବ ।

ବ୍ୟାଘ୍ରବଂଶର ଭବିଷ୍ୟତ ମୁଖ୍ୟତଃ  ବର୍ଦ୍ଧିତ ଓ ନିରନ୍ତର ସଂରକ୍ଷଣ ପ୍ରୟାସ,  ଅବୈଧ ଶିକାରର ମୁକାବିଲା ନିମନ୍ତେ  ଆଇନର ଦୃଢ଼ ପ୍ରବର୍ତ୍ତନ, କ୍ୟାମେରା ଟ୍ରାପ୍‌  ଓ ଡ୍ରୋନ୍‌ ପରି ନୂତନ ପ୍ରଯୁକ୍ତିର ପ୍ରୟୋଗ  ଏବଂ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ  କରିବା ଉଦ୍ଦେଶ୍ୟରେ ଉପଯୁକ୍ତ ରଣନୀତିର  କାର୍ଯ୍ୟକାରିତା ଉପରେ ନିର୍ଭରଶୀଳ । ଯଦି ରାଜ୍ୟବ୍ୟାପୀ ସଚେତନତା ଏବଂ  ସମ୍ବଳକୁ ପ୍ରଭାବଶାଳୀ ଭାବରେ ନିର୍ଦ୍ଦେଶିତ  କରାଯାଏ, ବନାଧିକାରୀ ଏବଂ ରାଜନୈତିକ  ନେତୃବର୍ଗଙ୍କର ପ୍ରତିବଦ୍ଧତାର ପରିସ୍ଫୁଟନ ଘଟେ, ତେବେ ରାଜ୍ୟର ବନାଞ୍ଚଳରେ  ବାଘଙ୍କର ଉପସ୍ଥିତି ବୃଦ୍ଧି ପାଇବାର ଆଶା  ଉଜ୍ଜୀବିତ ରହିବ । ମାତ୍ର ସେମାନଙ୍କର  ଐତିହାସିକ ସଂଖ୍ୟାକୁ ପ୍ରତ୍ୟାବର୍ତ୍ତନ କରିବାର  ବାସ୍ତବତା ଭବିଷ୍ୟତ ହିଁ ନିର୍ଦ୍ଧାରଣ କରିବ।