ଭୁବନେଶ୍ୱର, ୨୦/୧୧ : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ପର୍ବ ମଧ୍ୟରେ ପ୍ରଥମାଷ୍ଟମୀ ଆଦ୍ୟ ଯାତ୍ରା । ସେହିଦିନ ମହାପ୍ରଭୁ ପଢ଼ୁଆଁ ହେବେ । ଚତୁର୍ମାସ ଯୋଗ ନିଦ୍ରା ପରେ ଗତ ଉତ୍‌ଥାପନ ଚତୁର୍ଦଶୀରେ ରାଜ ଭାର ନିଜେ ସମ୍ଭାଳିଛନ୍ତି । ଶନିବାର ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବର୍ଷର ପହିଲି ଯାତ । ମହାପ୍ରଭୁ ମାମୁଁ ବରୁଣେଶ୍ୱରଙ୍କ ପୀଠକୁ(ପାପାନିଶିନୀ, କପାଳି ମଠ ନିକଟକୁ)ବିଜେ ହେବେ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଅନୁଯାୟୀ ପ୍ରଥମାଷ୍ଟମୀରେ ଭୋଗ ମଣ୍ଡପ ନୀତି ପରେ ପୁନଃ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ମହାସ୍ନାନ ଏବଂ ଯାତ୍ରା ପୂଜା ଅନୁଷ୍ଠିତ ହେବ । ବଲ୍ଲଭ ଧୂପ ପରେ ଚଳନ୍ତି ବିଗ୍ରହ ଯଥା ଶ୍ରୀଲିଙ୍ଗରାଜ, ମା’ପାର୍ବତୀ ଓ ମା’ଦୁର୍ଗା ବିମାନକୁ ବିଜେ କରିବେ । 

ସେହିପରି ବାସୁଦେବ ପାଲିଙ୍କିକୁ ବିଜେ କରିବେ । ଶୋଭାଯାତ୍ରାରେ ଧଳା ଆଉ କଳା ଛତା, ତ୍ରାସ, ମଶାଲ, ତ୍ରିଶାଖାଦି ସହ ଘଣ୍ଟ କାହାଳୀ ବଜାଇ ଆପଟିଆ ମାନେ ଦେବାଦେବୀଙ୍କୁ ବଢେଇବାଙ୍କ ଛକ ନିକଟ କପାଳୀ ମଠକୁ ନେବେ । ପରେ ପୂଜାପଣ୍ଡା ଓ ବଡୁ ସେବାୟତ ପାପନାଶିନୀ କୁଣ୍ଡ ଜଳରେ ବିଧି ମୁତାବକ ସ୍ନାନ ସମ୍ପନ୍ନ କରାଇବେ । ତେଣୁ ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁ ଉକ୍ତ କୁଣ୍ଡରେ ସ୍ନାନ କଲେ ପାପ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । କେହି କେହି ମଧ୍ୟ ଦିଅଁଙ୍କ ଏହି ଯାତ୍ରାକୁ ‘ପାପନାଶିନୀ ଯାତ୍ରା’ ବୋଲି କୁହନ୍ତି । ଏହା ପରେ ମାମୁଁ ବରୁଣେଶ୍ୱରଙ୍କ ପ୍ରଦତ୍ତ ନୂଆ ମଠା ଯୋଡ ପରିଧାନ କରାଇ ଭେଟ ଆଳତୀ ଅନୁଷ୍ଠିତ ହେବ । ପତ୍ରୀଙ୍କ ସାହାଯ୍ୟରେ ପୂଜାପଣ୍ଡା ଦେବାଦେବୀଙ୍କ ଠାରେ ଭୋଗ ଲାଗି କରିବେ । ଶେଷର କପାଳୀ ମଠର ଅଧିଷ୍ଠାତ୍ରୀ ମା’କପାଳିଙ୍କ ପୃଷ୍ଠ ବା ପଛ ପଟକୁ ଚଳନ୍ତି ବିଗ୍ରହଙ୍କୁ ଅଣାଯାଇ ଆଳତୀ ପରେ ଦେଉଳ ପ୍ରତ୍ୟାବର୍ତ୍ତନ କରାଇବେ ।