ଇସ୍ଲାମାବାଦ: ସାଉଦି ଆରବ, ଚୀନ୍‌ ଏବଂ ୟୁଏଇ ୨୫୮ ପାକିସ୍ତାନୀଙ୍କୁ ପ୍ରତ୍ୟର୍ପଣ କରିଛନ୍ତି । ସର୍ବାଧିକ ୨୩୨ ଜଣ ପାକିସ୍ତାନୀଙ୍କୁ ସାଉଦି ଆରବ ପ୍ରତ୍ୟର୍ପଣ କରିଛି । ସେହିଭଳି ୟୁଏଇରେ ବେଆଇନ୍‌ ଭାବରେ ରହୁଥିବା ୨୧ ପାକିସ୍ତାନୀ ଫେରିଛନ୍ତି । ବିଦେଶରୁ ଫେରିଥିବା ପାକିସ୍ତାନୀଙ୍କ ମଧ୍ୟରେ ୯ ଜଣ ଭିକାରୀ ରହିଛନ୍ତି । କରାଚୀରେ ପହଞ୍ଚିବା ପରେ ୧୬ ଜଣଙ୍କୁ ପାକିସ୍ତାନ ପୋଲିସ ଗିରଫ କରିଥିବା ନେଇ ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।  

୨୪୪ ଜଣଙ୍କୁ ସ୍ବତନ୍ତ୍ର ଭ୍ରମଣ ଭିସାରେ ପାକିସ୍ତାନ ପଠାଯାଇଥିବା ବେଳେ ୧୪ ଜଣଙ୍କ ପାଖରେ ବୈଧ ପାକିସ୍ତାନୀ ଭିସା ରହିଛି ବୋଲି ଇମିଗ୍ରେସନ କର୍ତ୍ତୃପକ୍ଷ କହିଛନ୍ତି । ସେହିଭଳି ଭିସା ଅବଧି ଶେଷ ହୋଇଥିବା ସତ୍ତ୍ବେ ୧୬ ଜଣ ସାଉଦି ଆରବରେ ରହୁଥିଲେ । ୨୭ ଜଣ ପାକିସ୍ତାନ ନାଗରିକ ବିନା କୌଣସି ପ୍ରାୟୋଜକରେ ସେଠାରେ କାମ କରୁଥିଲା । ୧୧୨ ଜଣଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ରହିଛି । ୟୁଏଇରୁ ଫେରିଥିବା ପାକିସ୍ତାନୀଙ୍କ ମଧ୍ୟରେ ୪ ଜଣଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି । 

 ସେପଟେ କରାଚୀ ବିମାନ ବନ୍ଦରରୁ ବେଆଇନ୍‌ ଭାବେ ବିଦେଶ ଚାଲିଯିବାକୁ ଚେଷ୍ଟା କରୁଥିବା ପ୍ରାୟ ୩୫ ଯାତ୍ରୀଙ୍କୁ ରୋକାଯାଇଛି ।  କରାଚୀ ଏୟାରପୋର୍ଟର ଅଧିକାରୀଙ୍କ ଅନୁସାରେ, ବିଦେଶରୁ ପ୍ରତ୍ୟର୍ପିତଙ୍କ ମଧ୍ୟରୁ ୧୬ ଜଣଙ୍କ ପାଖରେ ପାକିସ୍ତାନ ଭିସା ଅଛି । ୨୪୪ ଜଣ ଜରୁରୀ ଭ୍ରମଣ ଦସ୍ତାବିଜ୍‌ ସହ ଫେରିଛନ୍ତି ।  ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଜେରା କରିବା ପରେ ଛାଡ଼ି ଦିଆଯାଇଛି । ସାଉଦି ଆରବରୁ ଆସିଥିବା ଲୋକମାନଙ୍କ ମଧ୍ୟରେ ୯ ଜଣ ଭିକାରୀ ରହିଥିବା ଜଣାପଡ଼ିଛି ।