ନୂଆଦିଲ୍ଲୀ,୦୪/୦୧: ଆର୍ଥିକ ବର୍ଷ ୨୦୨୩-୨୪ରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦ୍ରୁତ ଭାବେ ହ୍ରାସ ହୋଇଛି । ଏହା ପ୍ରଥମ ଥର ଲାଗି ୫%ରୁ ନିମ୍ନରେ ରହିଛି । ୨୦୨୨-୨୩ରେ ଏହା ୭.୩% ରହିଥିବା ବେଳେ ଗତ ଆର୍ଥିକ ବର୍ଷ ୪.୮%କୁ ଖସି ଆସିଥିବା ଏସ୍ବିଆଇ ରିସର୍ଚ୍ଚ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି । ୨୦୧୨ରେ ଏହି ହାର ୨୫.୭% ସ୍ତରରେ ଥିଲା ।
ସହରାଞ୍ଚଳରେ ଦାରିଦ୍ର୍ୟ ହାର ୪.୬% ରୁ ୪.୦୯%କୁ ଖସିଛି । ଆର୍ଥିକ ବର୍ଷ ୨୦୧୨- ୧୩ରେ ଏହା ୧୩.୭% ଥିଲା । ୨୦୧୨ ତୁଳନାରେ ଦାରିଦ୍ର୍ୟ ହାରରେ ବଡ ପରିବର୍ତ୍ତନ ଆସିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଗତ ୧୦ ବର୍ଷରେ ୨୩ କୋଟିରୁ ଊଦ୍ଧ୍ୱର୍ ଲୋକ ଦାରିଦ୍ର୍ୟ କବଳରୁ ବାହାରକୁ ଆସିଛନ୍ତି ।
ଆଗାମୀ ବର୍ଷଗୁଡିକରେ ସହରାଞ୍ଚଳ ଦାରିଦ୍ର୍ୟ ହାର ଆହୁରି ହ୍ରାସ ହୋଇପାରେ । ୨୦୨୧ ଜନଗଣନା ସମ୍ପୂର୍ଣ୍ଣ ହେଲେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଦାରିଦ୍ର୍ୟ ହାରରେ କିଛିଟା ସଂଶୋଧନ ହେବ । ଗ୍ରାମାଞ୍ଚଳରେ ଚାହିଦା ଉନ୍ନତ ହେବାରୁ ଏହା ଲୋକଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ଭଲ ପ୍ରଭାବ ପକାଇଛି ।
ସଦ୍ୟତମ ପାରିବାରିକ ଚାହିଦା ସର୍ଭେ (ଏଚ୍ସିଇଏସ) ମୁତାବକ, ଭିତ୍ତିଭୂମି ଦୃଢ଼ୀକରଣ ହେବା ଯୋଗୁ ଏହା ଗ୍ରାମାଞ୍ଚଳରେ ଯାନ ବାହନ ଗ୍ରହଣୀୟତା ବଢ଼ାଇଛି । ଏହା ରୋଜଗାର କ୍ଷେତ୍ରରେ ମଧ୍ୟ ସକରାତ୍ମକ ପରିବର୍ତ୍ତନ ସହ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ଆୟ ଅସମାନତା ହ୍ରାସ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଏହାବାଦ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ଅର୍ଥ ବାଟମାରଣା ରୋକିବା ଲାଗି ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର (ଡିବିଟି) ଜରିଆରେ ପ୍ରକୃତ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାରେ ଆର୍ଥିକ ସହାୟତା ଦେଉଛନ୍ତି । ଏହା ମଧ୍ୟ ଗ୍ରାମାଞ୍ଚଳର ସ୍ଥିତି ଉନ୍ନତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସରକାର ଗ୍ରହଣ କରୁଥିବା ଡିବିଟି, ଗ୍ରାମୀଣ ଭିତ୍ତିଭୂମି ଦୃଢ଼ୀକରଣ, କୃଷି ଆୟ ବୃଦ୍ଧି ପଦକ୍ଷେପ ଭଳି ଅନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ପରିବାରଗୁଡିକର ଉନ୍ନତି ଦିଗରେ କାର୍ଯ୍ୟ କରୁଛି ।
ମୁଦ୍ରାସ୍ଫୀତି ଆଧାରରେ ୨୦୨୩-୨୪ ଲାଗି ଏସ୍ବିଆଇ ରିସର୍ଚ୍ଚ ଯଥାକ୍ରମେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦାରିଦ୍ର୍ୟ ସୀମା ରେଖା ଯଥାକ୍ରମେ ୧୬୩୨ ଟଙ୍କା ଏବଂ ୧୯୪୪ ଟଙ୍କା ଧାର୍ଯ୍ୟ କରିଛି । ୨୦୧୧-୧୨ ଲାଗି ସୁରେଶ ତେନ୍ଦୁଲକର କମିଟି ଏହାକୁ ଯଥାକ୍ରମେ ୮୧୬ ଏବଂ ୧୦୦୦ ଟଙ୍କା ରଖିଥିଲେ ।