ନୂଆଦିଲ୍ଲୀ,୧୯/୧୧: ପଞ୍ଜାବର ପୂର୍ବତନ  ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ହତ୍ୟାକାରୀ ବଲୱନ୍ତ ସିଂହ  ରାଜୋଆନାଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁଙ୍କ ପାଖରେ ବିଚାର ପାଇଁ ରଖିବାକୁ  ସୁପ୍ରିମକୋର୍ଟ  ରାଷ୍ଟ୍ରପତିଙ୍କ ସଚିବଙ୍କୁ ଆଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ କହି ଏହି କ୍ଷମା ଆବେଦନ ଉପରେ ୨ ସପ୍ତାହ ଭିତରେ ନିଷ୍ପତ୍ତି ନେବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି ।  

୧୯୯୫ ଅଗଷ୍ଟ ୩୧ ତାରିଖରେ  ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ  ବେଅନ୍ତ ସିଂହଙ୍କୁ ମାନବ ବୋମା  ଦ୍ୱାରା ହତ୍ୟା କରାଯାଇଥିଲା । ପରେ ହତ୍ୟା ଘଟଣାର ଅଭିଯୁକ୍ତ ରାଜୋଆନାଙ୍କୁ ଗିରଫ  କରାଯାଇଥିଲା । ୨୦୦୭ରେ ଦୋଷୀ ସାବ୍ୟସ୍ତ କରି ତଳକୋର୍ଟ  ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ରାଜୋଆନା ଦୀର୍ଘ  ୨୯ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି । ତାଙ୍କ ମୃତ୍ୟୁଦଣ୍ଡ  କୋହଳ କରି ଆଜୀବନ ଜେଲ୍‌ଦଣ୍ଡ କରିବାକୁ ସେ  ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲେ । କିନ୍ତୁ  ରାଷ୍ଟ୍ରପତିଙ୍କ ନିକଟରେ ତାଙ୍କ ଆବେଦନ ଦୀର୍ଘ ୧୨ ବର୍ଷ ହେଲା  ବିଚାରାଧୀନ ରହିଛି । ଗତ ମାସରେ ଶୁଣାଣି ବେଳେ କେନ୍ଦ୍ର  ସରକାରଙ୍କୁ ଏହି ପ୍ରସଙ୍ଗରେ ନୋଟିସ କରି ଜବାବ ମାଗିଥିଲେ  ସୁପ୍ରିମକୋର୍ଟ । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି  ଜବାବ ମିଳି ନଥିଲା । ତେଣୁ ସୁପ୍ରିମକୋର୍ଟ ଆଜି ଶୁଣାଣି  ବେଳେ ରାଷ୍ଟ୍ରପତିଙ୍କ ସଚିବଙ୍କୁ ଏଭଳି ଆଦେଶ ଦେଇଛନ୍ତି ।