ନୂଆଦିଲ୍ଲୀ,୨୩/୧୧: ଭାରତର ସମ୍ବିଧାନରେ ଧର୍ମନିରପେକ୍ଷ ଓ ସମାଜବାଦୀ ଶବ୍ଦ ରହିବ ନା ହଟିବ  ତାହା ଉପରେ ଆସନ୍ତା ସୋମବାର ସୁପ୍ରିମକୋର୍ଟ ରାୟ  ପ୍ରକାଶ କରିବେ । ଏହି ଦୁଇ ଶବ୍ଦକୁ ହଟାଇବା ଲାଗି ଆଗତ  ଏକାଧିକ ପିଟିସନ ଉପରେ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ବିଜେପି ନେତା ସୁବ୍ରମଣ୍ୟମ  ସ୍ୱାମୀ, ଆଇନଜୀବୀ ବଳରାମ ସିଂହ, କରୁଣେଶ କୁମାର  ଶୁକ୍ଳା ଓ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ ଏହି ପିଟିସନ  ଦାୟର କରାଯାଇଥିଲା । 

ସୁବ୍ରମଣ୍ୟମସ୍ୱାମୀ ତାଙ୍କ ପିଟିସନରେ ଦର୍ଶାଇଥିଲେ  କି ୧୯୪୯ରେ ସମ୍ବିଧାନର ମୂଳ ପ୍ରସ୍ତାବନା ପ୍ରତିଷ୍ଠା  ହୋଇଥିଲା । କିନ୍ତୁ ୧୯୭୬ରେ ଜରୁରି ପରିସ୍ଥିତି  ସମୟରେ ୪୨ତମ ସମ୍ବିଧାନ ସଂଶୋଧନ କରାଯାଇ ଏହି  ଦୁଇ ଶବ୍ଦ (ଧର୍ମନିରପେକ୍ଷ ଓ ସମାଜବାଦୀ)କୁ ସାମିଲ କରାଯାଇଛି । ସମ୍ବିଧାନ ପ୍ରଣେତାମାନେ ଏହି ଦୁଇ ଶବ୍ଦକୁ  ମୂଳ ସମ୍ବିଧାନ ପ୍ରସ୍ତାବରେ ସାମିଲ କରି ନଥିଲେ । କାରଣ  ଏହି ଦୁଇଶବ୍ଦ ଯୋଡାଯିବା ଫଳରେ ନାଗରିକଙ୍କ ଉପରେ  ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶବାଦକୁ ଲଦି ଦିଆଯିବା ସହ  ସେମାନଙ୍କ ପସନ୍ଦ ଓ ଅପସନ୍ଦ ଅଧିକାର ଭିତରେ ହସ୍ତକ୍ଷେପ  କରିବା ଭଳି ହେବ । ଏହି ଦୁଇ ଶବ୍ଦକୁ ସାମିଲ କରିବା  ଲାଗି ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର ଆମ୍ବେଦକର ମଧ୍ୟ  ପ୍ରତ୍ୟାଖ୍ୟାନ କରିଥିଲେ । ତେଣୁ ଏହି ଦୁଇ ଶବ୍ଦ ପ୍ରସ୍ତାବନାରେ  ସାମିଲ କରାଯିବା ଫଳରେ ୧୯୭୩ରେ ସୁପ୍ରିମକୋର୍ଟଙ୍କ ୧୩  ଜଣିଆ ବେଞ୍ଚ ପ୍ରସିଦ୍ଧ କେଶବାନନ୍ଦ ଭାରତୀ ମାମଲାରେ ଦେଇଥିବା ରାୟର ବିରୋଧାଚରଣ କରୁଛି । ସେତେବେଳେ  ବେଞ୍ଚ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ସଂସଦର କ୍ଷମତା  ଉପରେ ଅଙ୍କୁଶ ଲଗାଇଥିଲେ । ପୂର୍ବରୁ ଶୁଣାଣି ବେଳେ  ସୁପ୍ରିମକୋର୍ଟ କହିଥିଲେ କି ଧର୍ମନିରପେକ୍ଷତା ହେଉଛି  ସମ୍ବିଧାନ ମୂଳ ଢାଞ୍ଚାର ଏକ ଅବିଚ୍ଛେଦ ଅଂଶ।