କଟକ,୩୦/୦୫: ଜଣେ ବରିଷ୍ଠ  ଆମ୍ବୁଲାନ୍ସ ଡ୍ରାଇଭର୍‌ ଟେବୁଲ୍‌ ଉପରେ ବସିଛନ୍ତି । ପାଦରେ ଅଛି ଜୋତା । ତଳେ ବସିଛନ୍ତି  ଜଣେ କନିଷ୍ଠ ଆମ୍ବୁଲାନ୍ସ  ଡ୍ରାଇଭର । ଆଉ ବରିଷ୍ଠ ଡ୍ରାଇଭରଙ୍କ ଗୋଡ଼କୁ ନିଜ ଜଙ୍ଘ ଉପରେ ରଖି ଜୋତା ଖୋଲି ଗୋଡ଼ ଓ ପାଦକୁ  ହାତରେ ମୋଡ଼ି ଦେଉଛନ୍ତି । - ଏଭଳି ଦୃଶ୍ୟ ଥିବା ଏକ  ଭିଡିଓ ଭାଇରାଲ୍‌  ହେଉଛି । ପ୍ରାୟ ୧ ମିନିଟ୍‌  ୪ ସେକେଣ୍ଡ୍‌ର ଭିଡିଓରେ  ବରିଷ୍ଠ ଆମ୍ବୁଲାନ୍ସ ଡ୍ରାଇଭରଙ୍କ  ପାଦସେବା କରାଯାଉଥିବା ଦିଶୁଛି ଯାହାକୁନେଇ ଚର୍ଚ୍ଚା ହେଉଛି । ତେବେ ଖାଲି ସେତିକି ନୁହେଁ, ଏସ୍‌ସିବି ଆମ୍ବୁଲାନ୍ସ ସେକ୍ସନ୍‌ର କିଛି କର୍ମଚାରୀ ଉକ୍ତ ଅଭିଯୁକ୍ତ ବରିଷ୍ଠ ତଥା ମୁଖ୍ୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟ ବାବଦରେ ଗୁରୁବାର ଡିନ୍‌ ତଥା  ପ୍ରିନ୍ସପାଲ୍‌ଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।  

ଏସ୍‌ସିବିରେ ଏକ ଆମ୍ବୁଲାନ୍ସ ସେକ୍ସନ୍‌  ରହିଛି । ମେଡିକାଲ୍‌ର ଆମ୍ବୁଲାନ୍ସ ଓ ମହାପ୍ରୟାଣ  ଗାଡ଼ି ଏହି ବିଭାଗ ଦ୍ୱାରା  ପରିଚାଳିତ । ସେହି ବିଭାଗରେ ମୁଖ୍ୟ ଡ୍ରାଇଭର ଭାବେ ଶାରଦା ପ୍ରସାଦ ମୁଦୁଲି କାମ କରୁଛନ୍ତି ।  ଏଥିସହିତ ବିଭାଗରେ କିଛି ଅନ୍ୟ କନିଷ୍ଠ ଡ୍ରାଇଭର ଓ ସହାୟକ ମଧ୍ୟ ଅଛନ୍ତି ।   ଏହି ସେକ୍ସନ୍‌ର ଏକ ଭିଡିଓ  ହଠାତ୍‌ ଭାଇରାଲ୍‌ ହେବାକୁ  ଲାଗିଲା । ଯେଉଁଥିରେ  ମୁଖ୍ୟ ଡ୍ରାଇଭର ଶ୍ରୀ ମୁଦୁଲି ଏକ ଟେବୁଲ୍‌ ଉପରେ ବସିଥିବା ଓ ତଳେ  ଜଣେ କନିଷ୍ଠ ଡ୍ରାଇଭର ବସି ତାଙ୍କ ଗୋଡ଼କୁ  ଧରି ମୋଡ଼ି-ଘଷି ଦେଉଥିବା ଦେଖାଗଲା । 

ଅଭିଯୋଗ ହେଉଛି, ଏହା ଦିନକର  ଘଟଣା ନୁହେଁ, ପ୍ରତିଦିନ ଶ୍ରୀ ମୁଦୁଲି କନିଷ୍ଠ  କର୍ମଚାରୀ ଓ ସହାୟକଙ୍କୁ ଏଭଳି ଢଙ୍ଗରେ  ନିଜ କାମରେ ଲଗାଇ ସେବା ପାଇଥାନ୍ତି । ନିଜ ଘର ପରିବା କିଣିବା ପାଇଁ ପଠାଇବା, ପୁଅକୁ ଟିଉସନ୍‌ରୁ ନେଇଆସିବା ଓ ଘରେ ଜିନିଷପତ୍ର  ଦେବା ଭଳି କାମ କରାନ୍ତି । ଶ୍ରୀ ମୁଦୁଲିଙ୍କ ଏଭଳି  ଆଚରଣ ଓ ଶୋଷଣ ନେଇ କିଛି କର୍ମଚାରୀ  ଆଜି ପ୍ରିନ୍ସିପାଲ୍‌ଙ୍କୁ ଲିଖିତ ଭାବେ ଅବଗତ ବି  କରିଛନ୍ତି । ଆମ୍ବୁଲାନ୍ସରେ କିଛି ସମସ୍ୟା ହେଲେ  ମୁଖ୍ୟ ଡ୍ରାଇଭର କିଭଳି କନିଷ୍ଠ ଡ୍ରାଇଭର ଓ  ସହାୟକଙ୍କ ଉପରେ ଦାଉ ସାଧୁଛନ୍ତି ସେନେଇ ପ୍ରିନ୍ସପାଲ୍‌ଙ୍କୁ ଅବଗତ କରାଯାଇଥିବା ସୂଚନା  ମିଳିଛି । ଏହା ସାଙ୍ଗକୁ ଭିଡିଓ ବି ଘୂରିବୁଲୁଛି ।  ତେବେ ଅଭିଯୋଗ ସମ୍ପର୍କରେ ଶ୍ରୀ ମୁଦୁଲିଙ୍କ ସହିତ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା  କରାଯାଇଥିଲେ ମଧ୍ୟ ତାହା ସମ୍ଭବପର  ହୋଇପାରି ନାହିଁ । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ପାରି ନାହିଁ ।