କଟକ,୧୬/୧୨: ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ ହାଲୁକା ହେବା ପରିବର୍ତ୍ତେ ଓଜନ ବଢିଚାଲିଛି ।  ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଥିବା ‘ବସ୍ତାନି  କଟକଣା’କୁ ସ୍କୁଲ୍‌ କର୍ତ୍ତୃପକ୍ଷ ଏକରକମ ଭୁଲି ଗଲେଣି ।  ଏଣେ ବ୍ୟାଗ ବୋଝରେ ବଙ୍କା ଯାଉଛି ପିଲାଙ୍କ ପିଠି । ବିଶେଷ କରି କିଛି ଘରୋଇ ସ୍କୁଲ୍‌ରେ ବସ୍ତାନି ବୋଝ  ଅତିରିକ୍ତ ହୋଇଗଲାଣି । ଏହାକୁ ଅଭିଭାବକମାନେ  ଚିନ୍ତାରେ ପଡିଥିବା ବେଳେ ପ୍ରଶାସନ କିନ୍ତୁ ନିରବ । ବସ୍ତାନି ଓଜନ ଯାଞ୍ଚ୍‌ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ୍‌  ରହିଥିବା ବେଳେ କଟକରେ ଏହି ସ୍କ୍ୱାଡ୍‌ ଏକରକମ  ନିଷ୍କ୍ରିୟ ହୋଇରହିଛି । ଗତ ତିନିବର୍ଷ ଭିତରେ  ଥରଟିଏ ବି ବସ୍ତାନି ଓଜନ ଯାଞ୍ଚ୍‌ କରାଯାଇନାହିଁ ।  

ସ୍କୁଲ୍‌ ପିଲାଙ୍କ ବସ୍ତାନି ବୋଝ ଯେପରି ଅଧିକ  ନହେବ ସେନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି ।  ମାମଲା ଶୁଣାଣି ବେଳେ ସମସ୍ତ ସ୍କୁଲ୍‌ କର୍ତ୍ତୃପକ୍ଷ ଏନେଇ  ସତର୍କ ହୋଇଯାଇଥିଲେ । କିନ୍ତୁ ଦିନ ବିତିବା ପରେ  ଏବେ ପୁଣି ସେହି ପୁରୁଣା ଢାଞ୍ଚାରେ ପିଲାମାନଙ୍କ  ଉପରେ ବହି ବୋଝ ନଦି ଦିଆଯାଉଛି । କଟକରେ  ଏହି କଟକଣାକୁ ଏକରକମ ବେଖାତିର୍‌ କରାଯାଉଛି ।  ବିଶେଷ କରି ଘରୋଇ ସ୍କୁଲ୍‌ ଏଦିଗରେ ବ୍ୟାପକ  ଅବହେଳା ପ୍ରଦର୍ଶନ କରୁଛନ୍ତି । ଅନ୍ୟପକ୍ଷରେ ଏ  ଦିଗରେ କଠୋର ହୋଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଥିବା ସତ୍ତେ୍ୱ ପ୍ରଶାସନିକ ସ୍ତରରେ ଏ ନେଇ ତତ୍ପରତା  ଆଦୌ ନାହିଁ କହିଲେ ଚଳେ । 

ନିୟମାନୁସାରେ,  ଛାତ୍ରଛାତ୍ରୀଙ୍କ ଓଜନର ୧୦ ପ୍ରତିଶତ ଭିତରେ ବସ୍ତାନି  ଓଜନ ରହିବା ଜରୁରୀ । ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)  କିମ୍ବା ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ ନେତୃତ୍ୱରେ  ଏକ ସ୍କ୍ୱାଡ୍‌ ଗଠନ କରାଯାଇ ବିଭିନ୍ନ ଘରୋଇ ସ୍କୁଲ୍‌ରେ  ଚଢଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି  ସ୍କ୍ୱାଡ୍‌ରେ ବିଇଓ, ପୁଲିସ୍‌ ଅଧିକାରୀ, ଅନ୍ୟ ବିଭାଗର  ଅଧିକାରୀ ଏବଂ ଏନ୍‌ଜିଓଙ୍କୁ ସାମିଲ୍‌ କରାଯିବ । ଏହି  ସ୍କ୍ୱାଡ୍‌ ବିଭିନ୍ନ ସ୍କୁଲ୍‌ ଯାଇ ସ୍କୁଲ୍‌ ପିଲାଙ୍କ ବସ୍ତାନି ବୋଝ  ହାଲୁକା ହେଉଛି କି ନାହିଁ ସେ ନେଇ ଯାଞ୍ଚ୍‌ କରିବେ ।  ବିଶେଷ କରି ଘରୋଇ ସ୍କୁଲ୍‌ ଉପରେ ଅଧିକ ଗୁରୁତ୍ୱ  ଦିଆଯିବ । ସ୍କୁଲ୍‌କୁ ସୂଚନା ଦେଇ କିମ୍ବା ସୂଚନା ନ  ଦେଇ ଅଚାନକ ଭାବେ ସେଠାରେ ପହଞ୍ଚି ସ୍ଥିତି  ପରଖିପାରିବାର ସ୍କ୍ୱାଡ୍‌ ପାଖରେ କ୍ଷମତା ରହିବ ।  ନିୟମ ଉଲ୍ଲଂଘନ କରିଥିବା ସ୍କୁଲ୍‌ ବିରୋଧରେ କି  ପଦକ୍ଷେପ ଗ୍ରହଣ କଲେ ସେ ସମ୍ପର୍କରେ ସ୍କୁଲ୍‌ ଓ  ଗଣଶିକ୍ଷା ବିଭାଗକୁ ରିପୋର୍ଟ ପଠାଇବେ ବୋଲି ନିର୍ଦ୍ଦେଶ  ଦିଆଯାଇଥିଲା । କିନ୍ତୁ ଏହାର କୌଣସି କାର୍ଯ୍ୟକାରିତା  ଦେଖିବାକୁ ମିଳୁନାହିଁ । ଗତ ତିନିବର୍ଷ ଭିତରେ  ଥରଟିଏ ବି ଯାଞ୍ଚ୍‌ ହୋଇନଥିବା ଅଭିଯୋଗ ହୋଇଛି । 

ସୂଚନାଯୋଗ୍ୟ, କିଛି ଘରୋଇ ବିଦ୍ୟାଳୟରେ  ପଢୁଥିବା ପିଲାଙ୍କ ବସ୍ତାନି ଏବେ ବୋଝରେ ପରିଣତ  ହୋଇଛି । ଏହି ବୋଝ ହ୍ରାସ କରିବା ଲାଗି କେନ୍ଦ୍ର  ସରକାର ବିଜ୍ଞପ୍ତି ଜାରି କରି ଏହାକୁ କାର୍ଯ୍ୟକାରୀ  କରିବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  କିନ୍ତୁ ଓଡିଶା ସରକାର ଏହାକୁ କାର୍ଯ୍ୟକାରୀ ନକରିବାରୁ  ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା ।  ହାଇକୋର୍ଟରେ ମାମଲା ରୁଜୁ ହେବା ପରେ ରାଜ୍ୟ  ସରକାର ଏହି ନୀତି କାର୍ଯ୍ୟକାରୀ କରିବା ଲାଗି ଏକ  ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଥିଲେ । 

୨୦୧୯ ମାର୍ଚ୍ଚ ୮  ତାରିଖରେ ଏହି ଗାଇଡ୍‌ଲାଇନ୍‌ ରାଜ୍ୟରେ ଲାଗୁ  ହୋଇଥିଲା । ଏହି ଗାଇଡ୍‌ଲାଇନ୍‌ ଅନୁସାରେ ପ୍ରତ୍ୟେକ  ବିଦ୍ୟାଳୟ ସେମାନଙ୍କ ପିଲାଙ୍କୁ ବସ୍ତାନିର ବୋଝ ସ୍ଥିର  କରିବାକୁ ନିର୍ଦ୍ଦେଶ ହୋଇଥିଲା । ଏନେଇ ଜିଲ୍ଲା ଶିକ୍ଷା  ଅଧିକାରୀ ଡକ୍ଟର ସନ୍ତୋଷ ରାଉତଙ୍କୁ ପଚାରିବାରେ ସେ  କହିଛନ୍ତି, ପିଲାମାନଙ୍କ ବ୍ୟାଗ ଅଧିକ ଓଜନ ରହୁଥିବା  ନେଇ କିଛି ଅଭିଯୋଗ ଆସିନାହିଁ । କିନ୍ତୁ ଆଗକୁ ଏ  ଦିଗରେ ଦୃଷ୍ଟି ଦେବୁ ବୋଲି ଡକ୍ଟର ରାଉତ କହିଛନ୍ତି ।