ଶିକ୍ଷା ଅନ୍ଧାରରୁ ଆଲୁଅକୁ ନିଏ । ପ୍ରାଥମିକ ଶିକ୍ଷାରୁ ଉଚ୍ଚଶିକ୍ଷା କିନ୍ତୁ ବିପର୍ଯ୍ୟସ୍ତ । ଆମ ଶିକ୍ଷା ବ୍ୟବସ୍ଥାର ମୂଳ ଉଈ ଖାଇଯାଇଛି । ଏହାଠାରୁ ବଳି ବଡ଼ ବିଡ଼ମ୍ବନା କ’ଣ ବା ହୋଇପାରେ? ବିନା ଗୁଣାତ୍ମକ ଶିକ୍ଷାରେ କେମିତି ଗଢ଼ିବା ସମୃଦ୍ଧ ଓଡ଼ିଶା?

​​​​​​​

ମାୟାମୃଗର ଭୟ। କୋଠାଘର ଅଛି । ପିଲା  ଅଛନ୍ତି । ନାହାନ୍ତି ଶିକ୍ଷକ । ବଦଳୁନି ବ୍ୟବସ୍ଥା । ସମାନ ଗୁଳାରେ ବାଟ ଚାଲୁଛି । ପ୍ରାଥମିକ ଶିକ୍ଷାରୁ ଉଚ୍ଚଶିକ୍ଷା । ବୁଢ଼ିଆଣୀ ଜାଲରେ ଛଟପଟ । ସାରା ରାଜ୍ୟରେ ଆମ ଶିକ୍ଷା ବ୍ୟବସ୍ଥାର ଚିତ୍ର ସମାନ । ଦିନ ପରେ ଦିନ ଗଡ଼ୁଛି । ପଦବି ଖାଲି ପଡ଼ିଛି । ନିଯୁକ୍ତି ସମୁଦ୍ରକୁ ଶଙ୍ଖେ । କେମିତି ପଢ଼ିବେ ପିଲା? ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । ବିନା ଶିକ୍ଷକରେ କ’ଣ ପାଠପଢ଼ା ସମ୍ଭବ? ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମି ଦୟନୀୟ । ବାହାରକୁ ଦିଶୁଛି ଚକାଚକ୍‌ କୋଠା । ଭିତରେ କିନ୍ତୁ ଫମ୍ପା ଆଉ ଫମ୍ପା । ବ୍ୟବସ୍ଥାକୁ କିଏ ସଜାଡ଼ିବ? କେଉଁ ସିଡ଼ିରେ ଚଢ଼ି ସରକାର ଗଢ଼ିବେ ସମୃଦ୍ଧ ଓଡ଼ିଶା । ୫୦୦ ବିଲିୟନ ଡଲାର ଅର୍ଥନୀତିର ପରିକଳ୍ପନା ସାକାର ହେବ ତ? ବିନା ଶିକ୍ଷାରେ ଏତେ ସପନକୁ ରାତି ବା କାହିଁ ଯେ? ଆମଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ । ଚନ୍ଦ୍ର ଓ ସୂର୍ଯ୍ୟ ଭଳି ଏହା ହେଉଛି ଅସଲ ସତ ।

ଲକ୍ଷ୍ୟଠୁ ଦୂରରେ ବିଦ୍ୟାଳୟ ଶିକ୍ଷା

ଗୋଲାପି ସ୍ୱପ୍ନ । ଲକ୍ଷ୍ୟଠୁ ଯୋଜନ ଦୂରରେ ବାସ୍ତବତା । ଆଦର୍ଶ ବିଦ୍ୟାଳୟ ତିଆରି କରିବ ଆଦର୍ଶ । ବତୀଘର ଭଳି ସାଜିବ ଆଲୋକବର୍ତ୍ତିକା । ଏମିତି ପରିକଳ୍ପନା କରିଥିଲେ ରାଜ୍ୟ ସରକାର । ବାସ୍ତବ ଚିତ୍ର କହୁଛି କିନ୍ତୁ କିଛି ଭିନ୍ନ । ପାଠ ପଢ଼ାଇବାକୁ ଶିକ୍ଷକ ମରୁଡ଼ି । ପଢ଼ିବାକୁ ବି ଭିତ୍ତିଭୂମିର ଅଭାବ । ବ୍ଲକର ଏହି ‘ବତୀଘର’ ସ୍କୁଲ ପ୍ରତି କାହିଁକି ସରକାରଙ୍କ ଅଣଦେଖା? ଏଇମିତି ହିନିମାନିଆ ଭିତ୍ତିଭୂମିରେ କେମିତି ରାଜ୍ୟ ଆଗକୁ ବଢ଼ିବ?

ରାଜ୍ୟରେ ଅଛି ୩୨୧ ଆଦର୍ଶ ସ୍କୁଲ । ଏହି ସ୍କୁଲରେ ପଢ଼ୁଛନ୍ତି ୧ ଲକ୍ଷ ୧୦ ହଜାର ପିଲା । ମଞ୍ଜୁରୀପ୍ରାପ୍ତ ପଦବିରୁ ୪୦ ପ୍ରତିଶତ ଶିକ୍ଷକ ପଦବି ଖାଲି । ୭୩୭୦ ଶିକ୍ଷକ ପଦବିରେ ଅଛନ୍ତି ୪୫୪୮ ଜଣ । ୮୨% ସ୍କୁଲରେ ନାହାନ୍ତି ନିୟମିତ ଅଧ୍ୟକ୍ଷ । ୪୦% ସ୍କୁଲରେ କମ୍ପ୍ୟୁଟର ଲାବ୍‌, ୫୫% ସ୍କୁଲରେ ନାହିଁ ହଷ୍ଟେଲ । ପ୍ରାୟ ଦେଢ଼ ବର୍ଷ ହେବ ନୂଆ ନିଯୁକ୍ତି ବି ନାହିଁ । ଖାଲି ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବି ବାହାରିନି । ବହୁ ସ୍କୁଲରେ ହଷ୍ଟେଲ ନିର୍ମାଣ ସରିଛି । ହେଲେ କେଉଁଠି ବିଜୁଳି ସଂଯୋଗ ନାହିଁ, ଆଉ କେଉଁଠି ପାଣି । ପ୍ରାଥମିକ ଓ ମାଧ୍ୟମିକ ସ୍କୁଲଗୁଡ଼ିକର ଅଭାବ, ଅସୁବିଧାର କାହାଣୀ କହୁଥିଲେ ସରିବନି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଖାଲି ପଡ଼ିଛି ୧୭ ହଜାର ଶିକ୍ଷକ ପଦବି । ରାଜ୍ୟରେ ବର୍ତ୍ତମାନ ୪୫,୨୯୨ଟି ପ୍ରାଥମିକ ବିଦ୍ୟାଳୟରେ ୧,୬୦,୩୧୯ଟି ଶିକ୍ଷକ ପଦବି ରହିଛି । ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି । ନୂଆ ଶିକ୍ଷାନୀତି ଅନୁସାରେ ଆଉ ୩୯,୩୬୬ଟି ପଦବି ସୃଷ୍ଟି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୩ବର୍ଷ ମଧ୍ୟରେ ୪୫ ହଜାର ଶିକ୍ଷକ ପଦବି ପୂରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ ଏବେ ପାଠପଢ଼ା କେମିତି ହେବ? ଏହାକୁ ବିଚାର କରନ୍ତୁ ସରକାର । ଅଗ୍ରାଧିକାର ଭିତ୍ତିରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମୂଳଦୁଆ ବଳୁଆ କରିବାକୁ ଶିକ୍ଷକ ଦିଅନ୍ତୁ । ବିଜ୍ଞାନଗାର, କମ୍ପ୍ୟୁଟର ଲାବ୍‌ ବସାନ୍ତୁ । ଖାଲି ପ୍ରତିଶ୍ରୁତି ଓ ଭାଷଣରେ ଶିକ୍ଷା ବିକାଶର ରଥ ଅଟକି ନଯାଉ । ।

ଉଚ୍ଚଶିକ୍ଷାର ବିକଳ ଚିତ୍ର

ପ୍ରାଥମିକ ଶିକ୍ଷା ରାସ୍ତାରେ ରାଜ୍ୟର ଉଚ୍ଚଶିକ୍ଷା । ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରାଧ୍ୟାପକ ମରୁଡ଼ି । ରାଜ୍ୟର ୧୭ ସରକାରୀ ବିଶ୍ୱବିଦ୍ୟାଳୟରେ ୬୯% ପ୍ରାଧ୍ୟାପକ ପଦ ଖାଲି । ୧୪ଟିରେ ସ୍ଥାୟୀ କୁଳପତି ନାହାନ୍ତି ।  ଏହି ପଦବି ପୂରଣ ପାଇଁ ସରକାର ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣିଲେ । ୨୦୨୫ ଏପ୍ରିଲ ୧୪ରୁ ଆଇନରେ ସଂଶୋଧନ ଅଣାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଲେ ନିଯୁକ୍ତି କାର୍ଯ୍ୟ ଯେଉଁଠିକୁ ସେଇଠି । କେବଳ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ଅଛନ୍ତି । ନୂଆ କୁଳପତି ନିଯୁକ୍ତି ପାଇଁ ୨୦୨୫ ଜୁନ୍‌ ମାସରୁ ପର୍ଯ୍ୟାୟକ୍ରମେ ସାକ୍ଷାତକାର ଓ ସଂକ୍ଷିପ୍ତସୂଚୀ ତିଆରି ସରିଛି ।ା କୁଳାଧିପତି(ରାଜ୍ୟପାଳ)ଙ୍କ ସ୍ତରରେ ଚୂଡ଼ାନ୍ତ ଅନୁମୋଦନ ହୋଇପାରିନାହିଁ । ୧୭ ସରକାରୀ ବିଶ୍ୱବିଦ୍ୟାଳୟରେ ୨୦୭୯ ମଂଜୁରୀପ୍ରାପ୍ତ ପଦବି ରହିଛି । ଏଥିରୁ ୧୪୩୪ଟି ପଦ ଖାଲି ପଡ଼ିିଛି । ୩୦୮୨ ଅନୁମୋଦିତ ଅଣ-ଶିକ୍ଷକ ପଦରୁ ୨୩୨୫ଟି ପଦ ଅର୍ଥାତ୍‌ ୭୫% ପଦ ଖାଲି ପଡ଼ିଛି ।

ଭାରତ ହେବ ବିଶ୍ୱଗୁରୁ । ଏଥିପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଶିକ୍ଷାନୀତି । ଓଡ଼ିଶାରେ ଏ ଶିକ୍ଷା ନୀତି ଲାଗୁ ହୋଇଛି । ନୂଆ ଶିକ୍ଷାନୀତିରେ କିଛି ପ୍ରମୁଖ ବ୍ୟବସ୍ଥା ହିଁ ପୁରୁଣାକାଳିଆ ନୀତିକୁ ପଛକୁ ଠେଲିଛି । ଉଚ୍ଚଶିକ୍ଷାରେ ଗବେଷଣା ଓ ନବସୃଜନକୁ ଫୋକସ୍‌ କରାଯାଇଛି ।  ଦୀର୍ଘମିଆଦିରେ ଆମ ଉଚ୍ଚଶିକ୍ଷାରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣି ଭାରତକୁ ‘ଶିକ୍ଷାହବ୍‌’ ଭାବେ ଗଢ଼ି ତୋଳିବ ବୋଲି ସରକାର ଯୁକ୍ତି କରିଥିଲେ । ପ୍ରାଧ୍ୟାପକ ମରୁଡ଼ି ଶିକ୍ଷାକୁ କେଉଁସ୍ତରରେ ରଖିଥିବ ସହଜେ ଅନୁମେୟ ।

ଶିକ୍ଷାନୁଷ୍ଠାନ ପରିଚାଳନାରେ ଗୁଣାତ୍ମକ ମାନ ସହ ସାଲିସ୍‌ କରାଯିବନି । ‘କୁଶଳୀ ଭାରତୀୟ’ ଗଢ଼ିବାକୁ ସରକାର ସଂକଳ୍ପ ନେଇଛନ୍ତି । ବିନା ଶିକ୍ଷକ ଆଉ ଭିତ୍ତିଭୂମିରେ ଏହା କେମିତି ସମ୍ଭବ? ଏ ଦିଗକୁ ବର୍ଷ ବର୍ଷ ଧରି ସରକାର ଅଣଦେଖା କରି ଚାଲିଛନ୍ତି । ରାଜ୍ୟରେ ଉଚ୍ଚଶିକ୍ଷା ଏକରକମ କାମଚଳା ଭାବେ ବାଟ ଚାଲୁଛି । ଯଦି ଏମିତି ଅବସ୍ଥା ଲାଗି ରହେ ତାହା ରାଜ୍ୟର ଉଚ୍ଚଶିକ୍ଷା ପ୍ରତି ଆତ୍ମଘାତୀ ହେବନି କି? ଜାଣତରେ ହେଉ ବା ଅଜାଣତରେ ଆମେ ଉଚ୍ଚଶିକ୍ଷାକୁ ତଳକୁ ତଳକୁ ନେଇ ଚାଲିଛୁ । ବାଣୀବିହାର, ରେଭେନସା, ଭଞ୍ଜବିହାର, ଜ୍ୟୋତିବିହାରରୁ କେତେ ଜଣ ସର୍ବଭାରତୀୟ ସେବାରେ ଉତ୍ତୀର୍ଣ୍ଣ ହେଉଛନ୍ତି? ଅତୀିତରେ ବେଶ୍‌ ସୁନାମ ସାଉଁଟିଥିବା ଏ ଅନୁଷ୍ଠାନ କ୍ୟାମ୍ପସ ଆଜି କାହିଁକି ପଛରେ? ଏ ସଂପର୍କରେ ସରକାର ତର୍ଜମା କରନ୍ତୁ । ଦୋଷ ତ୍ରୁଟି ଖୋଜନ୍ତୁ । ବ୍ୟବସ୍ଥା ସୁଧାରନ୍ତୁ ।

 କେମିତି ଗଢ଼ିବା ସମୃଦ୍ଧ ଓଡ଼ିଶା

ଶିକ୍ଷା ଅନ୍ଧାରରୁ ଆଲୁଅକୁ ନିଏ । ସମ୍ବିଧାନ ଶିକ୍ଷାକୁ ଅଧିକାରର ମାନ୍ୟତା ଦେଇଛି । ଅତଏବ ସରକାର ପିଲାମାନଙ୍କୁ ଶିକ୍ଷା ଅଧିକାର ଆଇନ ଅନୁସାରେ ଶିକ୍ଷା ଦେବାକୁ ବାଧ୍ୟ । ଏଥିରେ ଢିଲାପଣକୁ ଆଦୌ ବରଦାସ୍ତ କରାଯିବ ନାହିଁ । ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଶିକ୍ଷା ଯେ ଏବେ ବାଟବଣା ତାହା ଜଳଜଳ । ସରକାରଙ୍କ ତୁମ୍ବିତୋଫାନ ତୃଣମୂଳସ୍ତରରେ ସମ୍ପୂର୍ଣ୍ଣ ଓଲଟା । ଗଣମାଧ୍ୟମ କେବଳ ଶିକ୍ଷାବ୍ୟବସ୍ଥାକୁ ନେଇ ଜରିଜମ୍ବୁରା କାମର ଚିତ୍ର ଆମକୁ ଦେଉଛି । ସରକାର କ୍ଲାସରୁମ ପାଠରେ ଏଆଇ ବ୍ୟବହାର କରିବାକୁ କହିଲେଣି । ଭଲ କଥା । ହେଲେ ମୂଳ ଭିତ୍ତିଭୂମି ପୂରାକୁ ପୂରା ଦୁର୍ବଳ । ସରକାର ସ୍ୱପ୍ନ ଦେଖନ୍ତୁ...ଦେଖାନ୍ତୁ । ମୂଳ ସମସ୍ୟାର ସମାଧାନ କରିବାକୁ କାହିଁକି କୁନ୍ଥକୁନ୍ଥ?

ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ସରକାର କେବଳ ‘ଗୋଲାପି ସ୍ୱପ୍ନ’ ଦେଖାଇ ଚାଲିଛନ୍ତିି । ମାତ୍ର ତିନି/ଚାରି ଦଶନ୍ଧି ମଧ୍ୟରେ ଆମ ଶିକ୍ଷା ବ୍ୟବସ୍ଥାର ମୂଳ ଉଈ ଖାଇଯାଇଛି । ଚାରି ଦଶନ୍ଧି ପୂର୍ବେ ଯେଉଁ ସ୍କୁଲ ୯୦ ପ୍ରତିଶତ ଡାକ୍ତର ଓ ଇଂଜିନିୟର ତିଆରି କରୁଥିଲା ସେ ସ୍କୁଲ ପିଲାଙ୍କୁ ଆମେ ଆଜି ‘ସଂରକ୍ଷଣ’ ଦେବାକୁ ବାଧ୍ୟ ହେଉଛୁ । ଅତଏବ ସରକାରଙ୍କୁ ସ୍ୱୀକାର କରିବାକୁ ହେବ ଯେ ଶିକ୍ଷାଦାନ ବ୍ୟବସ୍ଥାରେ ସରକାରୀ ସ୍କୁଲ ବହୁ ପଛରେ ପଡ଼ିଛି । ଏହା ଦିନକର କିମ୍ବା ବର୍ଷକର ସମସ୍ୟା ନୁହେଁ । ବର୍ଷ ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ପ୍ରତି ଆମର ଅବହେଳା ଓ ଅଣଦେଖାର ଏହା ହେଉଛି ଫଳ । କାହିଁକି ଏ ହୀନିମାନିଆ ଅବସ୍ଥା? କେଉଁଠି ରହୁଛି ତ୍ରୁଟି? ଆମେ ଏମିତି କେମିତି ଆଖି ବୁଜି ଦେଇଛୁ? ଆମ ଭବିଷ୍ୟତ ପିଢ଼ି ସହ ଆମେ ଖେଳି ଚାଲିଛୁ ଭୟଙ୍କର ଖେଳ ।

ଆମ ଶିକ୍ଷା ଏବେ ଖାଲରେ ପଡ଼ି ଛଟପଟ । ସରକାରୀ ସ୍କୁଲରେ ଶିକ୍ଷାଦାନ ପଦ୍ଧତି, ପାଠ୍ୟକ୍ରମର ଢାଞ୍ଚା, ଉଦ୍‌ଭଟ ପଢ଼ାବହି, ଚଳେଇ ନେବାର ମାନସିକତା ଯୋଗୁଁ ଶିକ୍ଷା ଆଜି ବିପର୍ଯ୍ୟସ୍ତ । ଲକ୍ଷ୍ୟହୀନ ରାସ୍ତାରେ ବାଟ ଚାଲୁଛି ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ । ସରକାରଙ୍କ ପାପର ଫଳ ପିଲାଙ୍କ ମୁଣ୍ଡରେ । ସରକାରୀ ସ୍କୁଲ ପ୍ରତି ଅଭିଭାବକଙ୍କ ଆସ୍ଥା ଓ ଭରସା ତୁଟିଛି । ନିଜ ଛୁଆର ଭବିଷ୍ୟତ ପାଇଁ ଅଭିଭାବକଟିଏ ଘରୋଇ ସ୍କୁଲର ‘ଚକ୍ରବ୍ୟୁହ’କୁ ଡେଉଁଛି । ଇଏ କି ବ୍ୟବସ୍ଥା? ମେଧାବୀ ପିଲାଙ୍କୁ ପାଠରେ ମାରି ସରକାର ଏବେ ‘ସଂରକ୍ଷଣର ସଂଜୀବନୀ’ ଦେଇ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି । ଏହାଠାରୁ ବଳି ବଡ଼ ବିଡ଼ମ୍ବନା ଆଉ କ’ଣ ବା ହୋଇପାରେ । ସମୃଦ୍ଧ ଓଡ଼ିଶା ପାଇଁ ସରକାର ଶିକ୍ଷାକୁ ସମୃଦ୍ଧ କରନ୍ତୁ ।