ଫିରିଙ୍ଗିଆ, ୨/୯ : ଏଠି ସ୍କୁଲ ଅଛି ହେଲେ ରାସ୍ତାଘାଟ ନାହିଁ। ଶ୍ରେଣୀ ଗୃହ ବି ଭାଙ୍ଗିରୁଜି ଗଲାଣି। ପାନୀୟ ଜଳ ଓ ଶୌଚାଳୟ କଥା ନକହିବା ଭଲ। ଏ ହେଉଛି ଆଦିବାସୀ ଅଧ୍ୟୁଷିତ ଉପାନ୍ତ କନ୍ଧମାଳ ଜିଲ୍ଲାର ଦୃଶ୍ୟ। ଏଠି ବିକାଶ ଯେମିତି ଅଟ୍ଟହାସ୍ୟ କରୁଛି। ଏସି ରୁମ୍ରେ ବସି ଫାଇଲ୍ ଚଷୁଥିବା ବାବୁଙ୍କୁ ପ୍ରଶ୍ନ କରୁଛି। ଆମର ଭୁଲ୍ କ'ଣ ? ସ୍ଵାଧିନତାର ୭୯ ବର୍ଷ ପରେ ବି କାହିଁକି ଆମେ ଅବହେଳିତ ? କାହିଁକି ଆମେ ମୌଳିକ ସୁଖ ସୁବିଧାରୁ ବଞ୍ଚିତ ?
ଫିରିଙ୍ଗିଆ ବ୍ଲକ୍ ଭୃଙ୍ଗିଯୋଡ଼ି ପଞ୍ଚାୟତର ବଣ ପାହାଡ଼ ଘେରା ଗଣିବାଲି ଗାଁ। ବ୍ଲକ୍ ମୁଖ୍ୟାଳୟ ଠାରୁ ମାତ୍ର ୧୫ କିଲୋମିଟର ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂର। ଏଠି ବିକାଶ ଯେମିତି ମୁହଁ ମୋଡ଼ି ଖତେଇ ହେଉଛି। ବଣ ଜଙ୍ଗଲ ଭିତରେ ଗଣିବାଲି ଗାଁର ପ୍ରାଥମିକ ବିଦ୍ୟାଳୟ ତିଆରି ହୋଇଛି। ଏଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ମୋଟ ୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଉପାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ସ୍କୁଲକୁ ଭଲ ରାସ୍ତାଟିଏ ନାହିଁ। ପାଦଚଲା ମାଟି ରାସ୍ତାରେ କୁନିକୁନି ପିଲାମାନେ ପାଠ ପଢି ଯାଉଛନ୍ତି। ଜଙ୍ଗଲରେ ଜନ୍ତୁଜୁନ୍ତା ଭୟ ରହିଛି। ବର୍ଷା-ଶୀତ ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ଭିତରକୁ ପାଠ ପଢି ଛାଡ଼ିବାକୁ ଅଭିଭାବକମାନେ ଡରୁଛନ୍ତି। ନିରୁପାୟ ଥିବାରୁ ତଥାପି ପିଲାଙ୍କୁ ପାଠପଢି ଛାଡ଼ୁଛନ୍ତି।

ଗଣିବାଲି ଗାଁ ସ୍କୁଲକୁ ଖାଲି ରାସ୍ତା ନୁହେଁ ଅନେକ ସମସ୍ୟା ଯେମିତି ଜାବୁଡ଼ି ଧରିଛି। ବିଦ୍ୟାଲୟରେ ଶ୍ରେଣୀ ଅନୁସାରେ ଶ୍ରେଣୀ ଗୃହ ନାହିଁ। ଯେତିକି ଅଛି ସେତିକି ବି ଭାଙ୍ଗିରୁଜି ଗଲାଣି। ପ୍ରଥମରୁ ପଞ୍ଚମ ଯାଏଁ ମାତ୍ର ୨ ଜଣ ଶିକ୍ଷକରେ ପାଠପଢା ଚାଲିଛି। ପରିମଳ ବ୍ୟବସ୍ଥା ଏଠି ନକହିବା ଭଲ। ସ୍କୁଲ୍ ଶୌଚାଳୟ ଭାଙ୍ଗିବୁଜି ଗଲାଣି। ପିଲାଙ୍କୁ ମୁନ୍ଦେ ବିଶୁଦ୍ଧ ପାନୀୟ ଜଳ ମିଳୁନି। କୂଅର ଦୂଷିତ ପାଣି ବ୍ୟବହାର ହେଉଛି। ଏଠି ଲାଇଟ୍ ଓ ଫ୍ୟାନ୍ ଅଛି ହେଲେ ବିଦ୍ୟୁତ୍ ସଂଯୋଗ ହୋଇନି। ସ୍କୁଲ ମରାମତି ପାଇଁ ଆସିଥିବା ଟଙ୍କା ବ୍ୟବହାର ହେଉନି। ସରକାରୀ ବାବୁଙ୍କ ଉଦାସୀନତା ପାଇଁ କାମ ଆଗୋଉନି। ଖୁବଶୀଘ୍ର ସ୍କୁଲ ସମସ୍ୟା ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ ପ୍ରଧାନଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ତେବେ ଗଣିବାଲି ଗାଁ ସ୍କୁଲ ପ୍ରତି କେବେ ସରକାରୀ ବାବୁଙ୍କ ଆନ୍ତରିକତା ଉଦୟ ହେଉଛି ତାହା ଦେଖିବାକୁ ବାକି ରହିଲା।
