ଝାଲାୱାର: ରାଜସ୍ଥାନର ଝାଲାୱାର ଜିଲ୍ଲାର ପିପ୍ଲୋଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିବାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ତତଃ ଚାରି ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। ତେବେ ଅନେକ ଛତ୍ର ବର୍ତ୍ତମାନ ମଧ୍ୟ ଭଙ୍ଗା ଅବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ସୂଚନା ମୁତାବକ, ଏହି ଘଟଣାଟି ସକାଳ ପ୍ରାୟ ୮ଟା ୩୦ମିନିଟ ସମୟରେ ଘଟିଥିଲା। ଛାତ୍ରମାନେ ସକାଳ ପ୍ରାର୍ଥନା ପାଇଁ ଏକତ୍ରିତ ହେଉଥିବା ସହ କେତେକ ଛାତ୍ର କ୍ଲାସରେ ରହିଥିଲେ। ପୁରୁଣା ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ବିଦ୍ୟାଳୟର ଛାତ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଯାହା ନିକଟରେ ଲଗାଣ ପ୍ରବଳ ବର୍ଷା କାରଣରୁ ଆହୁରି ଦୁର୍ବଳ ହୋଇଯାଇଥିଲା ବୋଲି ଜଣାପଡ଼ିଛି। ଛାତ ଭୁଶୁଡି ପଡିବା ସମୟରେ ପ୍ରାୟ ୪୦ରୁ ୬୦ ଛାତ୍ର ଏବଂ ଶିକ୍ଷକ ବିଦ୍ୟାଳୟ ପରିସରରେ ଉପସ୍ଥିତ ଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ, ଶିକ୍ଷକ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍କୁଲ ଭଗ୍ନାବଶେଷ ତଳୁ ଆହତ ଛାତ୍ରମାନଙ୍କୁ ବାହାର କରାଯାଇ ମନୋହର ଥାନା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଯେଉଁଠାରେ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଗୁରୁତର ଆହତ ଛାତ୍ରମାନଙ୍କୁ ଝାଲାୱାରର ଏସଆରଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ କିଛି ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।
ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମଦନ ଦିଲାୱାର ଘଟଣାକୁ ଦୁଃଖଦ ବୋଲି ବର୍ଣ୍ଣନା କରି ଏକ ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଆହତ ଛାତ୍ରମାନଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ମଧ୍ୟ ଏହି ଘଟଣାକୁ "ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ" ବୋଲି କହି ଆହତମାନଙ୍କ ପାଇଁ ଉଚିତ ଚିକିତ୍ସା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟ ଭବନଟି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ଏବଂ ଏହା ବିଷୟରେ ପୂର୍ବରୁ ଅନେକ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ଦ୍ୱାରା କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏହି ଘଟଣା ପରେ ତଦନ୍ତ ଜାରି ରହିଛି ଏବଂ ଅନ୍ୟ ବିଦ୍ୟାଳୟ ଭବନଗୁଡ଼ିକର ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଦୁଃଖଦ ଘଟଣା ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦିଆଯାଉଛି।