ନୂଆଦିଲ୍ଲୀ, ୧୭।: ବରଫାବୃତ୍ତ ପାଣିର ଚାଦର ତଳେ ଲୁଚିରହିଛି ଭିନ୍ନ ଏକ ପରିସଂସ୍ଥା । କେଉଁଠି ଘାଟି ତ କେଉଁଠି ପାହାଡ଼... ବରଫ ଚଟାଣରୁ ୪ ହଜାର ମିଟର ତଳର ପରିବେଶକୁ ନେଇ ବୈଜ୍ଞାନିକ ଜାରି କରିଛନ୍ତି ସ୍ପଷ୍ଟ ନକ୍ସା । ତେବେ ବରଫ ତରଳିବା ପରେ ସମୁଦ୍ର ଉପରେ ଏହାର କି ପ୍ରଭାବ ପଡ଼େ ବୈଜ୍ଞାନିକମାନେ ଏହି ଘାଟିର ଅଧ୍ୟୟନରୁ ଜାଣିପାରନ୍ତି । ଏହି ନକ୍ସା ପ୍ରସ୍ତୁତ କରିବାକୁ ବୈଜ୍ଞାନିକମାନେ ୪୦ରୁ ଅଧିକ ଅନ୍ତରାଷ୍ଟ୍ରୀୟ ଅନୁସନ୍ଧାନର ବ୍ୟବହାର କରିଥିଲେ । ବାର୍ସିଲୋନା ୟୁନିଭର୍ସିଟିର ପ୍ରଫେସର ଡା. ଏମ୍ୱାଲାନ୍ସଙ୍କ କହିବାନୁସାରେ, ଏଥିରେ କିଛି ଘାଟି ବିଶ୍ୱରେ ସବୁଠୁ ବଡ଼ କାନୋୟୋନ୍ସର ଆକାର ସହ ସମାନ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଆଣ୍ଟାର୍କଟିକାର ପୂର୍ବ ଓ ପଶ୍ଚିମ ଘାଟି କୂଳ ଉଭୟ ପରସ୍ପରଠୁ ଭିନ୍ନ । ଏହି ଅନୁସନ୍ଧାନରେ ବୈଜ୍ଞାନିକମାନେ ଆଣ୍ଟାର୍କଟିକାର ୨ଟି ଭାଗ ଉପରେ ଅଧ୍ୟୟନ କରିଥିଲେ । ପୂର୍ବ ଆଣ୍ଟାର୍କଟିକା ଘାଟି ବଡ଼ ଓ ଆବଡ଼ାଖାବଡ଼ା ସେହିଭଳି ପଶ୍ଚିମ ଆଣ୍ଟାର୍କଟିକାରେ ଘାଟିଗୁଡ଼ିକ ସମତଳ ଓ ଆକାରରେ ଛୋଟ । ବୈଜ୍ଞାନିକମାନଙ୍କ ଏତେ ବଡ଼ ଅନୁସନ୍ଧାନ ପରେ ବି ଆଣ୍ଟାର୍କଟିକାର ସମୁଦ୍ର ତଳେ ଥିବା ଅଧିକାଂଶ ଅଂଶ ଏ ପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇପାରିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବିଶ୍ୱରେ ଥିବା ମହାସାଗରରର ମାତ୍ର, ୨୭% ନକ୍ସା ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ମହାକାଶ ଗବେଷଣାଠୁ ଅଧିକ ଜଟିଳ ସମୁଦ୍ର ଭିତରର ଗବେଷଣା । ଭବିଷ୍ୟତରେ ବୈଜ୍ଞାନିକମାନେ ପାଣି ଭିତରେ ଗବେଷଣା ଲାଗି ମେସିନ୍ ଓ ସାଟେଲାଇଟ୍ ସାହାଯ୍ୟରେ ଏହି ଅନୁସନ୍ଧାନର ଯାଞ୍ଚ ଜାରି ରଖିବେ ।