ନୂଆଦିଲ୍ଲୀ ୧୮/୦୫: ଥାଇଲାଣ୍ଡରେ ଖନନରୁ ବୈଜ୍ଞାନିକମାନେ ଏକ ନୂଆ ପ୍ରକାର ଲମ୍ବା ବେକଯୁକ୍ତ ବିଶାଳ ଡାଇନୋସର ଅବଶେଷ ଚିହ୍ନଟ କରିଛନ୍ତି । ଏହାର ନାଁ ‘ନାଗାଟାଇଟନ୍’ । ଅଦ୍ୟାବଧି ଦକ୍ଷିଣ-ଏସିଆରେ ମିଳିଥିବା ଏହା ସର୍ବବୃହତ ଡାଇନୋସର । ଓଜନ ୨୭ ଟନ୍, ଯାହା ୯ ବୟସ୍କ ଏସୀୟ ହାତୀ ସହ ସମାନ । ଲମ୍ବା ୨୭ ମିଟର (୮୮ ଫୁଟ) । ଡିପ୍ଲୋଡୋକସ୍ ଡାଇନୋସରଠୁ ଏହା ଅଧିକ ଲମ୍ବା । ଡିପ୍ଲୋଡୋକସ୍ ଭଳି ନାଗାଟାଇଟନ୍ ଲମ୍ବା ବେକଯୁକ୍ତ ତୃଣଭୋଜୀ ସରୋପଡ୍ ସମୂହର ।

ଏକ ଦଶନ୍ଧି ପୂର୍ବେ, ବ୍ରିଟେନ ଓ ଥାଇଲାଣ୍ଡର ଗବେଷକମାନେ ଉତ୍ତର-ପୂର୍ବ ଥାଇଲାଣ୍ଡରେ ଏକ ପୋଖରୀ ପାର୍ଶ୍ୱରେ ଜୀବାଶ୍ମରୁ ଏହି ପ୍ରଜାତିକୁ ଚିହ୍ନଟ କରିଥିଲେ । ପ୍ରାଚୀନ ଜଳବାୟୁ ସ୍ଥିତିରେ ପରିବର୍ତ୍ତନ କିଭଳି ବିଶାଳ ଡାଇନୋସରଙ୍କ ବିକାଶରେ ସହାୟକ ହୋଇଥିଲା, ଏହି ଆବିଷ୍କାର ତା’ ଉପରେ ଆଲୋକପାତ କରିଛି ।

​​​​​​​

ଏହାର ପୂରା ନାଁ ‘ନାଗାଟାଇଟନ୍ ଚୈୟାଫୁମେନସିସ୍’ । ଦକ୍ଷିଣ-ପୂର୍ବ ଏସୀୟ ଲୋକକଥାରେ ସାପକୁ ‘ନାଗ’ ଭାବେ ସମ୍ବୋଧନ କରାଯାଏ । ଗ୍ରୀକ୍ ପୁରାଣରେ ଭଗବାନଙ୍କୁ ‘ଟାଇଟନ୍’ କୁହାଯାଏ । ଚୈୟାଫୁମେନସିସ୍ ଶବ୍ଦ ‘ଚୈୟାଫୁମ୍’ରୁ ଆସିଛି, ଯାହା ଜୀବାଶ୍ମ ଆବିଷ୍କୃତ ହୋଇଥିବା ପ୍ରଦେଶର ନାଁ । ଏହି ଡାଇନୋସର ଟାଇରାନୋସରସ୍ ରେକ୍ସଠୁ ୪ କୋଟି ବର୍ଷ ପୂର୍ବରୁ ଅର୍ଥାତ୍ ୧୦-୧୨ କୋଟି ବର୍ଷ ପୂର୍ବେ ବିଚରଣ କରୁଥିଲା । ଆକାରରେ ଏହା ଟାଇରାନୋସରସ୍‌ଠୁ ଦୁଇଗୁଣ ବିଶାଳ ।

ଗବେଷକମାନେ ନାଗାଟାଇଟନ୍‌କୁ ଥାଇଲାଣ୍ଡର ‘ଶେଷ ଟାଇଟନ୍’ ଭାବେ ସମ୍ବୋଧନ କରିଛନ୍ତି । କାରଣ ଏହାର ଜୀବାଶ୍ମ ଦେଶର ସବୁଠୁ ନୂଆ ପଥର ସଂରଚନାରେ ଠାବ ହୋଇଥିଲା । ନୂଆ ପଥର ଡାଇନୋସରଙ୍କ ଶେଷ ସମୟ ବେଳକୁ ପଡ଼ିଥିଲା । ସେତେବେଳକୁ ଉକ୍ତ କ୍ଷେତ୍ର ସମୁଦ୍ର ଦ୍ୱାରା ପ୍ଲାବିତ ହୋଇଥିବାରୁ ସେହି ପଥରରେ ଡାଇନୋସର ଜୀବାଶ୍ମ ମିଳିବା ଅସମ୍ଭବ ଥିଲା । ତେଣୁ ଏଇଟି ବୋଧହୁଏ ଦକ୍ଷିଣ- ପୂର୍ବ ଏସିଆର ଶେଷ କିମ୍ବା ସର୍ବବୃହତ ସରୋପଡ୍ ବୋଲି ଗବେଷକମାନେ କହିଛନ୍ତି ।

ଯେତେବେଳେ ପୃଥିବୀ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବିଶ୍ୱ ତାପମାତ୍ରା ସହିତ ବୃଦ୍ଧି ପାଉଥିଲା, ସେହି ସମୟରେ ନାଗାଟାଇଟନ୍ ପୃଥିବୀରେ ବିଚରଣ କରୁଥିଲେ । ଏହି ସମୟରେ ସରୋପଡ୍ ସମୂହର ଡାଇନୋସର ଖୁବ୍ ବିଶାଳ ଆକାରଯୁକ୍ତ ଥିଲେ । ଉଚ୍ଚ ତାପମାତ୍ରା ସହ୍ୟ କରିବା ଏମାନଙ୍କ ପାଇଁ ସହଜ ନ ଥିଲା । କାରଣ ବିଶାଳ ଶରୀରରେ ଉଷ୍ଣତା ଅଧିକ ସମୟ ରହୁଥିଲା ଏବଂ ଥଣ୍ଡା ହେବା କଷ୍ଟକର ହେଉଥିଲା । ନାଗାଟାଇଟନ୍ ଥାଇଲାଣ୍ଡରେ ନାମକରଣ ହୋଇଥିବା ଚତୁର୍ଦ୍ଦଶ ଡାଇନୋସର । ମହାସରଖମ୍ ବିଶ୍ୱବିଦ୍ୟାଳୟର ଜୀବାଶ୍ମବିଜ୍ଞାନୀ ଡା. ସୀତା ମନିତକୁନ୍ କହିଛନ୍ତି, ଏ ଦେଶରେ ଡାଇନୋସର ଜୀବାଶ୍ମରେ ଅନେକ ବିବିଧତା ରହିଛି । ଏସିଆରେ ଡାଇନୋସର ଅବଶେଷ ଆବିଷ୍କାର ମାମଲାରେ ଏହା ୩ୟ ସର୍ବାଧିକ ।

ଆହୁରି ପଢ଼ନ୍ତୁ...Not Constitutional Imperative: ନିର୍ବାଚନ କମିଶନ ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ରର ଯୁକ୍ତି, ଚୟନ କମିଟିରେ ବିଚାରପତି ରହିବା ଜରୁରି ନୁହେଁ