ନୂଆଦିଲ୍ଲୀ, ୧୮/୦୫: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି) ନିଯୁକ୍ତି ଲାଗି ଥିବା ଚୟନ କମିଟିରେ ବିଚାରପତି ରହିବା ଜରୁରି ନୁହେଁ । ସମ୍ବିଧାନରେ ଏଭଳି କୌଣସି ପ୍ରାବଧାନ ନାହିଁ । କମିଟିରେ କୌଣସି ବିଚାରପତିଙ୍କୁ ସାମିଲ କରାଯିବା ସଂସଦର ନିଷ୍ପତ୍ତି ହୋଇପାରେ । କିନ୍ତୁ ଏହାକୁ ସାମ୍ବିଧାନିକ ବାଧ୍ୟବାଧକତା ଭାବେ ଗ୍ରହଣ କରାଯାଇପାରିବ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏଭଳି ଯୁକ୍ତି ଉପସ୍ଥାପନ କରାଯାଇଛି ।
ସୁପ୍ରିମକୋର୍ଟରେ ସିଇସି ଓ ଇସି ନିଯୁକ୍ତି ନିୟମ ୨୦୨୩କୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ ଶୁଣାଣି ବେଳେ କେନ୍ଦ୍ର ସରକାର ନିଜର ପକ୍ଷ ରଖି ଏହା ଦର୍ଶାଇଛନ୍ତି । ଏହି ଆଇନ ଅନୁସାରେ ୩ ଜଣିଆ କମିଟି ସିଇସି ଓ ଇସିଙ୍କୁ ନିଯୁକ୍ତ କରିବେ । କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ଜଣେ କେନ୍ଦ୍ରମନ୍ତ୍ରୀ ସଦସ୍ୟ ରହିବେ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଅନ୍ତରୀଣ ବ୍ୟବସ୍ଥାରେ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତିଙ୍କୁ ସାମିଲ କରିଥିଲେ । ୨୦୨୩ ମାର୍ଚ୍ଚରେ ସୁପ୍ରିମକୋର୍ଟ କହିଥିଲେ ଯେପର୍ଯ୍ୟନ୍ତ ଚୟନ କମିଟି ଲାଗି ସଂସଦ ଆଇନଗତ ବ୍ୟବସ୍ଥା ନ କରିଛି ସେପର୍ଯ୍ୟନ୍ତ ପ୍ରଧାନ ବିଚାରପତି ସଦସ୍ୟ ରହିବେ । ଏହା ପରେ କେନ୍ଦ୍ର ସରକାର ନୂଆ ଆଇନ ଆଣିଲେ । ଏହା ୨୦୨୪ ଜାନୁଆରୀ ୨ରେ ଲାଗୁ ହେଲା । ସେଥିରେ ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଗଲା । ପ୍ରଧାନ ବିଚାରପତିଙ୍କୁ ହଟାଇ ଦିଆଗଲା ।
ଅଧିକ ପଢ଼ନ୍ତୁ :- Train Fire: ଭାବୁଆ-ସାସାରାମ ପାଟନା ଇଣ୍ଟରସିଟିରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବିକଳରେ ଟ୍ରେନ୍ରୁ ଡେଇଁଲେ ଯାତ୍ରୀ
ନୂଆ ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରାଯାଇଛି । ଗତ ୧୪ ତାରିଖରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । କହିଥିଲେ ଯଦି ସରକାର ସିଇସି ଓ ଇସିଙ୍କୁ ନିଯୁକ୍ତ କରିବେ ତେବେ କମିଟିରେ ବିରୋଧୀ ଦଳ ନେତାଙ୍କୁ ରଖି ନିରପେକ୍ଷତାର ଦେଖାଣିଆ କରିବାର କଣ ଆବଶ୍ୟକତା ରହିଛି ।