ଏରସମା, ୧୧/୦୯: କିଛି ଦିନ ପୁର୍ବେ ଏରସମା ସିଆଳି ବେଳାଭୂମିରେ ସମୁଦ୍ର କୂଳ ଲଙ୍ଘିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିଲେ । ଏବେ ପୁଣି ରାମତରା ପାଖ ସମୁଦ୍ର କୂଳ ଲଙ୍ଘିବା ପରେ ଏରସମା ବାସୀ ଆହୁରି ଭୟଭୀତ ଅବସ୍ଥାରେ ଅଛନ୍ତି । ବୁଧବାର ରାତିରେ ସାମାନ୍ୟ ଜୁଆର ଆସିଥିବା ବେଳେ ଗୁରୁବାର ତାହା ଉଗ୍ରରୂପ ନେଇଛି। ଏରସମା ବ୍ଲକ୍ ଅନ୍ତର୍ଗତ ରାମତରା ସମୁଦ୍ର ବେଳାଭୂମିର ଉତ୍ତରପଡା ପଦ୍ମପୁର ଘେରି ନିକଟରେ ଘାଇ ସୃଷ୍ଟି ହୋଇ ସମୁଦ୍ର ଜୁଆର କ୍ରମଶଃ ଜନବସତି ଆଡ଼କୁ ମୁହାଁଉଛି । ଯେଉଁଥିପାଇଁ ରାମତରା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଗତ କିଛିଦିନ ତଳେ ଶିଆଳି ଠାରେ ସମୁଦ୍ର କୂଳ ଲଙ୍ଘନ କରି ପଦ୍ମପୁର ପଞ୍ଚାୟତ ଅଞ୍ଚଳରେ ଆତଙ୍କ ସୃଷ୍ଟିକରିଥିବା ବେଳେ ଆଜି ରାମତରା ବେଳାଭୂମିରେ ସମୂଦ୍ର କୂଳ ଲଙ୍ଘିଛି। ଏରସମା ବର୍ତ୍ତମାନ ବିପଦରେ । ଏରସମାକୁ ଲାଗିରହିଥିବା ସମୁଦ୍ର ଦିନକୁ ଦିନ କୁଳ ଲଙ୍ଗିବାରେ ଲାଗିଛି । ସମୁଦ୍ରକୁ ଲାଗିରହିଥିବା ଗାଁ ଗୁଡ଼ିକ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ତରଫରୁ କୌଣସି ସଚେତନତା କରାଯାଇନାହିଁ । ପୂର୍ବରୁ ଅନେକ ଥର ସମୁଦ୍ରର କୂଳେ କୂଳେ ତଥା ହାୱାଖାନାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ ପାଇଁ ଏରସମା ବାସୀ ତଥା ଉପକୂଳ ସୁରକ୍ଷା ସମିତି ତରଫରୁ ଦାବି ହୋଇଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପରିଲା ନାହିଁ । ସମୁଦ୍ର କୂଳେ ରହିଥିବା ଝାଉଁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି ।
କିଛି ଦିନ ପୁର୍ବରୁ ଜଗତସିଂହପୁର ଜିଲ୍ଲାର ଗର୍ବ ଓ ଗୌରବ ଶିଆଳି ବେଳାଭୂମିର ପରିଚୟ ଭିୟୁ ଟାୱାର ସମୁଦ୍ର କୁଳ ଲଙ୍ଘିବାରୁ ସମୁଦ୍ରର ଢେଉ ମାଡ଼ରେ ଭିୟୁ ଟାୱାରର ତଳ ଅଂଶ ଖାଇଗଲାପରେ ପ୍ରଶାସନ ପକ୍ଷରୁ ବିପଦସଂକୁଳ ଘର ଭାବେ ତାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା । ସମୁଦ୍ର କୂଳେ କୂଳେ ପଥର ପନ୍ଧ ନିର୍ମାଣ କରାଯିବା ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ଜୁଆରକୁ ଅଟକାଇ ପାରିବ ଏବଂ ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ଗଛ ଲଗାଯାଇ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ବୋଲି ପରିବେଶବିତମାନେ ମତ ଦେଇଥିଲେ ।
ଝାଉଁ ଜଙ୍ଗଲ କ୍ଷୟ ହେବାରେ ବସିଲାଣି । ପର୍ଯ୍ୟଟନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । କେତେବେଳେ ଯେ ସିଆଳି ସହ ପଦ୍ମପୁର ଓ ଗଡ଼ ହରିଶପୁର ପଞ୍ଚାୟତର କେତେକ ଗାଁ ପାଣିରେ ଲୀନ ହେବ ତାହା ଜଣାପଡ଼ିବନି । ତୁରନ୍ତ ସମୁଦ୍ର କୂଳେ କୂଳେ ପଥର ବନ୍ଧ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ବିଷୟରେ ସ୍ଥାନୀୟ ସରପଞ୍ଚ କହିଥିଲେ, ପାଣି କୂଳ ଲଙ୍ଘିଛି ସତ । ତୁରନ୍ତ ସମୁଦ୍ର କୂଳେ କୂଳେ ପଥର ବନ୍ଧ ନିର୍ମାଣ ନ କରାଗଲେ ସ୍ଥାନୀୟ ଅଞ୍ଚଳ ବୁଡିଯିବ ।