ନ୍ୟୁୟର୍କ,୦୩/୦୨: ଆମେରିକାର ଜେଫ୍ରି ଏପ୍‌ଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ପୀଡ଼ିତା ସଙ୍ଗିନ ଅଭିଯୋଗ ଆଣି କହିଛନ୍ତି ଯେ ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ ୱିଣ୍ଡସରଙ୍କ ସହ ଯୌନ ସମ୍ପର୍କ ସ୍ଥାପନ ଲାଗି ତାଙ୍କୁ ବ୍ରିଟେନ୍ ପଠାଯାଉଥିଲା । ଏପ୍‌ଷ୍ଟିନ୍‌ର ନିର୍ଦ୍ଦେଶରେ ହିଁ ସେ ବ୍ରିଟେନ୍ ଯାତ୍ରା କରୁଥିଲେ ।

ପୀଡ଼ିତାଙ୍କ ଓକିଲ ବ୍ରାଡ୍ ଏଡୱାର୍ଡସ କହିଛନ୍ତି, ଏ ସବୁ ଘଟଣା ବେଳେ ତାଙ୍କ ମହକିଲଙ୍କ ବୟସ ୨୦ ପାଖାପାଖି ଥିଲା । ସେ ବ୍ରିଟିଶ ନାଗରିକ ନ ଥିଲେ । ୨୦୧୦ରେ ତାଙ୍କୁ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କ ‘ରୟାଲ ଲଜ୍’ ବାସଭବନକୁ ପଠାଯାଉଥିଲା । ଆଣ୍ଡ୍ର୍ୟୁଙ୍କ ସହ ରାତି କଟାଇବା ପରେ ପୀଡ଼ିତାଙ୍କୁ ବକିଙ୍ଗହାମ୍ ପ୍ୟାଲେସକୁ ଆମନ୍ତ୍ରଣ କରାଯାଉଥିଲା । ସେଠାରେ ତାଙ୍କୁ ଭଲ ଆତିଥେୟତା ମିଳୁଥିଲା । ଏହା ପୂର୍ବରୁ ୨୦୦୫ରେ ଏପ୍‌ଷ୍ଟିନ୍ ବିରୋଧରେ ପ୍ରଥମ ଅଭିଯୋଗ ଆସିଥିଲା । ୨୦୦୮ରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହାପରେ ତାକୁ ୧୩ ମାସ ଜେଲଦଣ୍ଡ ହୋଇଥିଲା । ୨୦୧୯ରେ ତାକୁ ଗିରଫ କରାଯାଇଥିଲା । ତେବେ ମକଦ୍ଦମା ପୂର୍ବରୁ ସେ ଜେଲରେ ଆତ୍ମହତ୍ୟା କରିଥିଲା । ତା’ର ପ୍ରେମିକା ଘିସଲିନ୍ ମ୍ୟାକ୍ସୱେଲଙ୍କୁ ୨୦୨୧ରେ ଗିରଫ କରାଯାଇଥିଲା । ଏବେ ସେ ଜେଲରେ ସଜା କାଟୁଛନ୍ତି ।

ଆହୁରି ପଢ଼ନ୍ତୁ :- ଚୀନ୍‌ର ରକେଟ ଫୋର୍ସରେ ବଡ଼ ଧରଣର ଦୁର୍ନୀତି, ମିସାଇଲରେ ପାଣି ପୂରାଇ ପିଏଲ୍ଏ ଅଧିକାରୀ ବରଖାସ୍ତ