କୋଣାର୍କ,୨।୧୨ କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମରେ କୁଚିପୁଡି ଓ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରଥମ ଚରଣରେ ବେଙ୍ଗାଲୁରର ବୈଜୟନ୍ତୀ କାଶୀ ଓ ସାଥୀ କଳାକାର ମଞ୍ଚରେ କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ। ଭଗବାନ ବିଷ୍ଣୁଙ୍କ ଅନେକ ଅବତାରକୁ ଅନୁସରଣ କରି ପ୍ରତ୍ୟେକଟି ଧର୍ମର ଅନନ୍ତ ନୀତି ଏବଂ ବିଶ୍ୱସନୀୟ ସନ୍ତୁଳନର ପ୍ରତୀକ ଦେଖିବାକୁ ମିଳିଥିଲା। କୋଲକତାର ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଶର୍ମିଲା ବିଶ୍ବାସଙ୍କ ଓଡ଼ିଶୀ ଭିଜନ ଓ ମୁଭ୍ମେଣ୍ଟ ସେଣ୍ଟରର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମେ ମହାଲକ୍ଷ୍ମୀ ସ୍ତୋତ୍ରମ୍ ଦେବୀଙ୍କ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧରିଥିବା ଶକ୍ତିଶାଳୀ ଚିତ୍ରକୁ ଜୀବନ୍ତ କରିଥିଲା।
ଦ୍ୱିତୀୟ ସନ୍ଧ୍ୟାର ଅତିଥି ଭାବେ ଉଚ୍ଚଶିକ୍ଷା ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ ଏଏସଆଇ ପୁରୀ ସର୍କଲ ଡକ୍ଟର ଦିବିଷାଦ ବ୍ରଜସୁନ୍ଦର ଗଡ଼ନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ଵାଇଁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗଦେଇଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ, ନାଜିୟା ଆଲମ। ସେହିଭଳି ହେଲିପ୍ୟାଡରେ ଅପେରା ଓ ମୀନା ବଜାରରେ ଭିଡ ଜମିଥିଲା। ବୁଧବାର ରତିକାନ୍ତ ମହାପାତ୍ର ଓ ସାଥି କଳାକାରଙ୍କ ଓଡିଶୀ ଓ କେରଳର କେରଳ କଳାମଣ୍ଡଳମ ପକ୍ଷରୁ କଥକଳି ନୃତ୍ୟ ପରିବେଷଣ କରିବେ ମୋହିନୀଆଟ୍ଟମ ନୃତ୍ୟ।